ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱରେ ଦିନକୁ ଦିନ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ଆସନ୍ତା ୨୦୫୦ ମସିହା ସୁଦ୍ଧା ବିଶ୍ୱର ପ୍ରାୟ ୫୦୦ କୋଟି ଲୋକ ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ। ଜାତିସଂଘର ଏକ ରିପୋର୍ଟରେ ଏଭଳି ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବିଶ୍ୱ ସମୁଦାୟ ଆଗେଇ ଆସିବାକୁ ଜାତିସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି।ଜାତିସଂଘ ରିପୋର୍ଟରୁ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୦ ବର୍ଷ ମଧ୍ୟରେ ପୃଥିବୀର ଭୂତଳ ଜଳସ୍ତର ବର୍ଷକୁ ପ୍ରାୟ ୧ ସେଣ୍ଟିମିଟର ହାରରେ ହ୍ରାସ ପାଉଛି। ଆଣ୍ଟାର୍ଟିକା ଓ ଗ୍ରୀନଲ୍ୟାଣ୍ଡର ବିରାଟ ବରଫଗୁଡିକ କ୍ରମାଗତ ତରଳିବାରେ ଲାଗୁଥିବାରୁ ଏଭଳି ସମସ୍ୟା ଉପୁଜିଛି। ୨୦୧୮ ମସିହାଠାରୁ ବିଶ୍ଵର ପ୍ରାୟ ୩୬୦ କୋଟି ଲୋକଙ୍କୁ ବର୍ଷକରେ ଗୋଟିଏ ମାସ ପାଣି ମିଳୁ ନଥିବା ମଧ୍ୟ ଜାତିସଂଘ ରିପୋର୍ଟରେ ପ୍ରକାଶ ପାଇଛି।

ତେଣୁ ଅକ୍ଟୋବର ୩୧ରୁ ନଭେମ୍ବର ୧୨ ଯାଏଁ ଆୟରଲ୍ୟାଣ୍ଡର ଗ୍ଲାସଗୋଠାରେ ଅନୁଷ୍ଠିତ ହେବାକୁ ଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଜଳ ସଙ୍କଟ ସମସ୍ୟାର ସମାଧାନ ଉପରେ ଅଲୋଚନା ହେବ।

ଅନ୍ୟପଟେ ବୁଦ୍ଧିଜୀବିମାନଙ୍କ କହିବା ଅନୁସାରେ ବିଶ୍ୱର ତାପମତ୍ରା ବୃଦ୍ଧି ପାଉଥିବାରୁ ଏହାର ପ୍ରଭାବ ଜଳସ୍ତର ଉପରେ ପଡିଛି। ଏହାର ପ୍ରମାଣ ହେଉଛି ୨୦୦୦ ମସିହା ପରଠାରୁ ବିଶ୍ଵର କେତେକ ଅଂଶରେ ମରୁଡି ଭଳି ସମସ୍ୟା ମଧ୍ୟ ବୃଦ୍ଧି ପାଇଛି। ତେବେ ଏ ପ୍ରସଙ୍ଗରେ ଆଫ୍ରିକା ମହାଦେଶ ସବୁଠୁ ଆଗରେ ରହିଛି। ମରୁଡି ଯୋଗୁଁ ଆଫ୍ରିକାରେ ହଜାର ହଜାର ଲୋକ ଲୋକେ ମୃତ୍ୟୁମୁଖରେ ପଡୁଛନ୍ତି। ଏହାର ମୁଖ୍ୟ କାରଣ ବିଶ୍ୱ ତାପମାନ ବୃଦ୍ଧି ହୋଇଥିବା ବେଳେ ଅନ୍ୟ ଏକ ପ୍ରଧାନ କାରଣ ପାଲଟିଛି ଜଙ୍ଗଲ କ୍ଷୟ।

ତେଣୁ ଏବେଠାରୁ ଯଦି ଏସବୁ ସମସ୍ୟା ଉପରେ ଗୁରୁତ୍ୱ ଦିଆଯିବା ସହ ଜଳ ସମସ୍ୟାର ସମାଧାନ କରା ନଯାଏ ତେବେ ଆଗାମୀ ଦିନରେ ବିଶ୍ୱର ଅଧିକାଂଶ ଲୋକ ଏହି ଯନ୍ତ୍ରଣାରେ ଛଟପଟ ହେବା ଏକ ପ୍ରକାର ସ୍ପଷ୍ଟ ହେଲାଣି।

Comment