ଓଡ଼ିଶାଲାଇଭ୍ ବ୍ୟୁରୋ

ଅମରେନ୍ଦ୍ର ସାହୁ। ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ଜଣେ ସଫଳ ଓଡ଼ିଆ ଉଦ୍ୟୋଗୀ। ଭଦ୍ରକର ଗୋଟିଏ ଛୋଟିଆ ଗାଁରୁ ଆସି ଏବେ ସେ ବେଙ୍ଗାଳୁରୁ ବେସ୍‌ଡ ଷ୍ଟାର୍ଟଅପ୍ ‘ନେଷ୍ଟ୍‌ଆୱେ’ର ସିଇଓ ହୋଇପାରିଛନ୍ତି। ଅମରେନ୍ଦ୍ରଙ୍କର ଏହି ସଫଳତା ପଛରେ ରହିଛି ଅନେକ ସଂଘର୍ଷ କାହଣୀ। କମ୍ପାନି ଆରମ୍ଭ ସମୟରେ ନିଜ ବ୍ୟକ୍ତିଗତ ନମ୍ବରକୁ ହିଁ କଲ୍‌ ସେଣ୍ଟର ରୂପେ ସେ ବ୍ୟବହାର କରୁଥିଲେ। ଏପରିକି ଗ୍ରାହକଙ୍କୁ ସେବା ଯୋଗାଇବା ପାଇଁ ଦିନେ ତାଙ୍କୁ ପାଇଖାନା ମଧ୍ୟ ସଫା କରିବାକୁ ପଡ଼ିଥିଲା।

କାହିଁକି ଗ୍ରାହକଙ୍କ ପାଇଖାନା ସଫା କରିଥିଲେ ଅମରେନ୍ଦ୍ର?

‘ଓଡ଼ିଶାଲାଇଭ୍’ ପ୍ରସ୍ତୁତ ମାସିକ ୱେବ୍ ସିରିଜ୍ ‘ଷ୍ଟାର୍ଟଅପ୍ ଷ୍ଟୋରି’ରେ ଏକ ସାକ୍ଷାତକାର ଦେଇ ଅମରେନ୍ଦ୍ର କହିଥିଲେ,”ନେଷ୍ଟ୍‌ଆୱେ ପ୍ରତିଷ୍ଠାକୁ ମାସେ ହୋଇଥାଏ। ସେତେବେଳେ କମ୍ପାନିର ମାତ୍ର ଚାରି ଜଣ ଗ୍ରାହକ ଥିଲେ। ନିଜର ଅଫିସ ଘରଟିଏ ବି ନଥିଲା। ଘରେ ସବୁ କାମ ହେଉଥିଲା। ମୋର ବ୍ୟକ୍ତିଗତ ନମ୍ବରକୁ ହିଁ କଲ୍‌ ସେଣ୍ଟର ରୂପେ ବ୍ୟବହାର କରୁଥିଲି। କାମ କରିବା ପାଇଁ ଜଣେ ପିଲା ଥିଲା। ସେଦିନ ସେ ଆସିନଥିଲା। ଜଣେ ଗ୍ରାହକ ତାଙ୍କର ଇଲେକ୍ଟ୍ରି ବିଲ୍‌ ପାଉନଥିଲେ। ତେଣୁ ମତେ ହିଁ ଯିବାକୁ ପଡ଼ିଲା। କବାଟ ଖୋଲୁ ଖୋଲୁ ଗ୍ରାହକ ଭାବିଲେ ମୁଁ ଜଣେ ପାଇପ ମିସ୍ତ୍ରୀ। ମୁଁ ଇଲେକ୍ଟ୍ରି ବିଲ୍‌ ଖୋଜି ବାହାର କରିଦେଲି। ସେ କହିଲେ ପାଇଖାନା ଅପରିଷ୍କାର ଅଛି। କିଛି ନକହି ତାଙ୍କ ପାଇଖାନା ସଫା କରି ଦେଇ ଆସିଲି। ମୋ ବେଶ ପରିପାଟୀରୁ ପାଇପ ମିସ୍ତ୍ରୀ ଭଳି ଜଣା ପଡୁନଥିଲି। ତାଙ୍କୁ ମଧ୍ୟ ସନ୍ଦେହ ଥିଲା। ତା’ର ଚାରି ପାଞ୍ଚ ଦିନ ପରେ ସେ ସମ୍ବାଦପତ୍ରରେ ମୋ ଫୋଟ ଦେଖି ମୋତେ ଫୋନ୍‌ କରି କ୍ଷମା ମାଗିଲେ। ଆମ କାମ ହେଉଛି ସେବା ପ୍ରଦାନ କରିବା ଯାହା ମୁଁ କରିଥିଲି।”

ଏହି ଘଟଣା ସବୁଦିନ ପାଇଁ ଏକ ଅଭୁଲା ସ୍ମୃତି ହୋଇ ରହିଥିବ ବୋଲି ଅମରେନ୍ଦ୍ର କହନ୍ତି।

‘ନେଷ୍ଟ୍‌ଆଓ୍ୱେ’ କ’ଣ?

ଅଜଣା ସହରରେ ନିଜ ପାଇଁ ଏକ ଭଡ଼ା ଘର ଖୋଜିବା ଏକ ବଡ଼ ସମସ୍ୟା ହୋଇଥାଏ। ଏହି ସମସ୍ୟାର ଏକ ସହଜ ସମାଧାନ ସୂତ୍ର ବାହାର କରିବା ପାଇଁ ଅମରେନ୍ଦ୍ର ସାହୁ ଷ୍ଟାର୍ଟଅପ୍‌ ‘ନେଷ୍ଟ୍‌ଆଓ୍ୱେ’ ଆରମ୍ଭ କରିଥିଲେ। ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ନେଷ୍ଟ୍‌ଆଓ୍ୱେ’ ମାଧ୍ୟମରେ ଜଣେ ଅତି ସହଜରେ ଭଡ଼ାଘର ପାଇପାରୁଛନ୍ତି।

Comment