ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ବିଶ୍ୱରୁ ୨୦୩୦ ସୁଦ୍ଧା ଯକ୍ଷ୍ମା ରୋଗର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହିକ୍ରମରେ ୨୦୨୫ ବେଳକୁ ଭାରତକୁ ଯକ୍ଷ୍ମାମୁକ୍ତ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ହେଲେ କୋଭିଡ ମହାମାରୀ ଏ କ୍ଷେତ୍ରରେ ବାଧା ସୃଷ୍ଟି କରିଛି। ଫଳରେ ଦେଶରେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା ହ୍ରାସ ପାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁଯାୟୀ ୨୦୧୯ ଏବଂ ୨୦୨୦ ମଧ୍ୟରେ ଭାରତରେ ଯକ୍ଷ୍ମା ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟା ୪୧ ପ୍ରତିଶତ କମିଛି। ଅର୍ଥାତ୍ ଯକ୍ଷ୍ମା ପରୀକ୍ଷା ଏବଂ ରୋଗୀଙ୍କୁ ଖୋଜି ବାହାର କରିବାର ସମସ୍ତ କଷ୍ଟସାଧ୍ୟ ଉଦ୍ୟମ ନଷ୍ଟ ହୋଇଛି।ଏ ବିଷୟରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସେଣ୍ଟର ଫର୍ କାଟାଲାଇଜିଙ୍ଗ ଚେଞ୍ଜ (ସିଥ୍ରୀ)ର ମିଳିତ ସହଭାଗିତାରେ ବୁଧବାର ସମ୍ ହସ୍ପିଟାଲରେ ଆୟୋଜିତ ‘ଯକ୍ଷ୍ମା ରୋଗ ନିମନ୍ତେ ସେବା ପ୍ରଦାନ କରୁଥିବା ଘରୋଇ ସଂସ୍ଥାଗୁଡ଼ିକୁ ସଚେତନ କରିବା ଆବଶ୍ୟକତା’ ଶୀର୍ଷକ ଆଲୋଚନାରେ ବିଶେଷଜ୍ଞମାନେ ଉପରୋକ୍ତ ମତ ଦେଇଛନ୍ତି।

ଏହି ଅବସରରେ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କମ୍ୟୁନିଟି ମେଡିସିନ୍ ବିଭାଗର ପ୍ରଫେସର ଇ. ଭେଙ୍କଟରାଓ କହିଥିଲେ, “ଯକ୍ଷ୍ମା ପରୀକ୍ଷା ଏବଂ ଚିକିତ୍ସା ନେଇ ତଥ୍ୟ ପ୍ରସ୍ତୁତ କରିବା କ୍ଷେତ୍ରରେ ନିୟୋଜିତ ସରକାରୀ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନଙ୍କ କାର୍ଯ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ, କାରଣ ସମସ୍ତ ସରକାରୀ, ବେସରକାରୀ, ଏନ୍‌ଜିଓ ଓ ବ୍ୟକ୍ତିଗତ ଭାବେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଯକ୍ଷ୍ମା ରୋଗକୁ ଚିହ୍ନଟ କରିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଜରୁରୀ।”  ସେହିପରି ପଲମୁନାରୀ ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ପ୍ରିୟଦର୍ଶିନୀ ବେହେରା ନ୍ୟାସନାଲ୍ ଟ୍ୟୁବରକୁଲୋସିସ୍ ଏଲିମିନେସନ୍ ପ୍ରୋଗ୍ରାମ୍ (ଏନ୍‌ଟିଇପି)ର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ଜେନେରାଲ୍ ମେଡିସିନ ବିଭାଗର ଡାକ୍ତର ସନ୍ତୋଷ ସ୍ୱାଇଁ କହିଥିଲେ, “ଭାରତରେ ପ୍ରତ୍ୟେକ ୩ ମିନିଟରେ ଦୁଇ ଜଣ ଯକ୍ଷ୍ମାଜନିତ ରୋଗ ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି। ଦେଶରେ ସାରା ବିଶ୍ୱର ୩୦ ପ୍ରତିଶତ ଅର୍ଥାତ୍ ସର୍ବାଧିକ ୨.୬୪ ମିଲିୟନ୍ ଯକ୍ଷ୍ମା ରୋଗୀ ଅଛନ୍ତି।”

ଏହି କାର୍ଯ୍ୟକ୍ରମରେ ସିଥ୍ରୀର ରାଜ୍ୟ ମୁଖ୍ୟ ଅଶୋକ ନାୟକ ଏବଂ ପ୍ରୋଗ୍ରାମ ଅଫିସର ବିଭୁତି ଭୂଷଣ ପ୍ରଧାନ ମଧ୍ୟ ବକ୍ତବ୍ୟ ରଖିଥିଲେ।

LEAVE A REPLY

Please enter your comment!
Please enter your name here