ଓଡ଼ିଶାଲାଇଭ୍ ବ୍ୟୁରୋ

ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜନମାନେ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଦୁଇଜଣ ରୋଗୀଙ୍କ ପାଟି ଭିତରୁ ସଫଳତାର ସହ ସବ୍‌ମାନ୍‌ଡିବୁଲାର ଗ୍ରନ୍ଥିକୁ ବାହାର କରିଛନ୍ତି। ଏହା ଦ୍ୱାରା ରୋଗୀଙ୍କର ମୁହଁରେ କୋଣସି ପ୍ରକାର ସ୍ଥାୟୀ ଦାଗ ସୃଷ୍ଟି ହେବାରୁ ସେମାନେ ରକ୍ଷା ପାଇପାରିଛନ୍ତି।

ସମ୍ ହସ୍ପିଟାଲ୍‌ର କର୍ଣ୍ଣ, ନାସା ଏବଂ ଗଳା ବିଭାଗର ସର୍ଜନମାନେ ନୂତନ ଏଣ୍ଡୋସ୍କୋପିକ ପଦ୍ଧତିରେ ଏହି ସବ୍ମାନଡିବୁଲାର ଗ୍ରନ୍ଥିଟିକୁ ବାହାର କରିବାରେ ସଫଳ ହୋଇଥିବା ସର୍ଜରୀର ବିଶେଷଜ୍ଞ ଡାକ୍ତର ରାଧାମାଧବ ସାହୁ କହିଛନ୍ତି।

ଏହି ଅଭିନବ ଅପରେସନ୍ ଓଡ଼ିଶାରେ ପ୍ରଥମ ଥର ପାଇଁ କରାଯାଇଥିବା ସୂଚନା ଦେଇ ଡାକ୍ତର ସାହୁ କହିଛନ୍ତି ଯେ, ଏହି ସବ୍‌ମାନ୍‌ଡିବୁଲାର ଗ୍ରନ୍ଥିଟି ମଣିଷ ଶରୀରର ମାଢ଼ିର ତଳ ଭାଗରେ ରହିଥାଏ, ଏହି ଗ୍ରନ୍ଥିର ମୁଖ୍ୟ କାମ ହେଉଛି ପାଟିରେ ଲାଳ ସୃଷ୍ଟି କରିବା ଏବଂ ଏହାଦ୍ୱାରା ଖାଦ୍ୟକୁ ନରମ କରିବା ସହ ହଜମ କରିବାରେ ସାହାଯ୍ୟ କରିବା

ତେବେ ମୁହଁ ଏବଂ ଗ୍ରନ୍ଥିର ମଝିରେ ଥିବା ନଳୀରେ ଯଦି ପ୍ରତିବନ୍ଧକ ସୃଷ୍ଟି ହୋଇ ଲାଳ ବାହାରି ନ ପାରିଥାଏ ତେବେ ଏହା ଜମାଟ ବାନ୍ଧିଯାଏ ଏବଂ ସଂକ୍ରମିତ ହୋଇଥାଏ। ଏହା ଦ୍ୱାରା ଗ୍ରନ୍ଥିଟି ଫୁଲି ଯାଇଥାଏ ପୂର୍ବରୁ ଏହି ସବ୍‌ମାନ୍‌ଡିବୁଲାର ଗ୍ରନ୍ଥିକୁ  ଟ୍ରାନ୍ସ ସର୍ଭିକାଲ୍ ଆପ୍ରୋଚ୍ ଦ୍ୱାରା ବାହାର କରାଯାଉଥିଲା। ଫଳରେ ମୁହଁରେ ଏକ ବଡ଼ କଟା ଦାଗ ସୃଷ୍ଟି ହୋଇଥାଏ ଏବଂ ଅନେକ ସମୟରେ ତଳ ଓଠ ଦୁର୍ବଳ ହୋଇଯାଏ।

ତେବେ ନୂତନ ପଦ୍ଧତିରେ ସର୍ଜରୀ ଖୁବ୍ ସୁରକ୍ଷିତ ଏବଂ ଟ୍ରାନ୍ସ ସର୍ଭିକାଲ୍ ପଦ୍ଧତି ପ୍ରୟୋଗ ନ କରି ମଧ୍ୟ ଅପରେସନ୍ କରିହେବ। ସର୍ଜନଙ୍କ ଦକ୍ଷତା ଦ୍ୱାରା ହିଁ ଏହି ଏଣ୍ଡୋସ୍କୋପିକ ପଦ୍ଧତିରେ ସର୍ଜରୀ କରିହେବ ବୋଲି ଡାକ୍ତର ସାହୁ କହିଛନ୍ତି।

ଅସ୍ତ୍ରୋପଚାର ସମୟରେ ମୁହଁର ଧମନୀ ଓ ଶିରାଗୁଡ଼ିକୁ ଯେପରି ଆଘାତ ନ ପହଞ୍ଚେ, ସେ ବିଷୟରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ।

ଯେଉଁ ଦୁଇ ଜଣ ରୋଗୀଙ୍କର ଏହି ସର୍ଜରୀ କରାଯାଇଛି ସେମାନେ ଏବେ ସୁସ୍ଥ ଅଛନ୍ତି ଏବଂ ସେମାନଙ୍କର କୋଣସି ସମସ୍ୟା ନାହିଁ ବୋଲି ଡାକ୍ତର ସାହୁ କହିଛନ୍ତି।

Comment