ଓଡ଼ିଶାଲାଇଭ୍ ବ୍ୟୁରୋ

ମୃତ୍ୟୁ ପରେ ବି ଜୀବିତ ରହିବେ ଭୁବନେଶ୍ଵରର ପ୍ରସନ୍ନଜିତ ମହାନ୍ତି। ନିଜେ ଚାଲି ଗଲେ ସତ, ହେଲେ ଯିବା ଆଗରୁ ଆଉ ଚାରି ଜଣଙ୍କୁ ଦେଇଗଲେ ନୂଆ ଜୀବନ।

ମୃତ୍ୟୁ ପରେ ବି ଜୀବିତ ରହିବେ ଭୁବନେଶ୍ଵର ରେଣ୍ଟାଲ କଲୋନୀର ପ୍ରସନ୍ନଜିତ ମହାନ୍ତି। ଡାକ୍ତର ପ୍ରସନ୍ନଜିତଙ୍କୁ ବ୍ରେନ ଡେଡ୍ ଘୋଷଣା କରିଥିଲେ। ଏହା ପରେ ମୃତ୍ୟୁ ଅପେକ୍ଷାରେ ଥିବା ପ୍ରସନ୍ନଜିତଙ୍କ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଲାଗି ତାଙ୍କ ପରିବାର ପକ୍ଷରୁ ନିଆଯାଇଥିଲା ଏକ ବଡ଼ ନିଷ୍ପତ୍ତି।

ବ୍ରେନ ଡେଡ୍ ହୋଇଥିବା ପ୍ରସନ୍ନଜିତଙ୍କ ଶରୀରରୁ ଏକାଧିକ ଅଙ୍ଗ ଭୁବନେଶ୍ଵରସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବାହାର କରାଯାଇ ଅନ୍ୟ ଗୁରୁତର ରୋଗୀମାନଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇପାରିଛି। ଶନିବାର ଦିନ ଦେଶର ୩ଟି ଭିନ୍ନ ଭିନ୍ନ ସହରରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ୪ଜଣ ରୋଗୀଙ୍କ ଶରୀରରେ ପ୍ରସନ୍ନଜିତଙ୍କ ଶରୀରର ଅଙ୍ଗଗୁଡ଼ିକୁ ସଫଳତାର ସହ ପ୍ରତ୍ୟାରୋପଣ କରାଯାଇଛି। ପ୍ରସନ୍ନଜିତଙ୍କ ଯୋଗୁଁ ନୂଆ ଜୀବନ ପାଇଛନ୍ତି ଜୀବନ ମରଣ ସହ ସଂଘର୍ଷ କରୁଥିବା ଆଉ ୪ ଜଣ ରୋଗୀ। ଜଣେ ମଣିଷର ଏକାଧିକ ଅଙ୍ଗ ସଫଳ ପ୍ରତ୍ୟାରୋପଣ କରାଯିବା ଘଟଣା ଓଡ଼ିଶାରେ ପ୍ରଥମ।

ଜୁନ ୨୨ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ପ୍ରସନ୍ନଜିତ

୪୩ ବର୍ଷୀୟ ପ୍ରସନ୍ନଜିତଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ଗତ ଜୁନ ୨୨ ତାରିଖରେ ସମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କ ମସ୍ତିଷ୍କରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ପ୍ରସନ୍ନଜିତଙ୍କ ସ୍ଵାସ୍ଥ୍ୟାବସ୍ଥାରେ ସାମାନ୍ୟ ପରିବର୍ତ୍ତନ ଆସିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବିଗିଡ଼ିବାକୁ ଲାଗିଥିଲା। ଜୁନ ୨୩ ତାରିଖରେ ଆପନିଆ ଟେଷ୍ଟ ପରାଯିବା ପରେ ପ୍ରସନ୍ନଜିତଙ୍କର ବ୍ରେନ ଡେଡ୍ ହୋଇଥିବା ରିପୋର୍ଟରୁ ଜଣାପଡ଼ିଥିଲା।

ପୁଣି ୬ ଘଣ୍ଟା ପରେ ଦ୍ୱିତୀୟ ପରୀକ୍ଷା କରାଯାଇଥିଲା। ଏଥିରୁ ପ୍ରସନ୍ନଜିତଙ୍କର ବ୍ରେନ ଡେଡ୍ ହୋଇଥିବା ସ୍ପଷ୍ଟ ପ୍ରମାଣ ମିଳିଥିଲା ବୋଲି କହିଛନ୍ତି କନସଲଟାଣ୍ଟ ନ୍ୟୁରୋସର୍ଜନ ଡାକ୍ତର ସୋମନାଥ ପ୍ରସାଦ ଜେନା।

ଅଙ୍ଗଦାନ ପାଇଁ ପରିବାର ଜଣାଥିଲେ ସହମତି

ପ୍ରସନ୍ନଜିତଙ୍କର ବ୍ରେନ ଡେଡ୍ ହୋଇଥିବା ତାଙ୍କ ପରିବାର ଲୋକଙ୍କୁ ଜଣାଇବା ସହ ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇବାକୁ ପରାମର୍ଶ ଦେଇଥିଲେ ଡାକ୍ତର। ପ୍ରସନ୍ନଜିତଙ୍କ ଅଙ୍ଗଦାନ କରିବାକୁ ସହମତି ପ୍ରକାଶ କରିଥିଲେ ପତ୍ନୀ ମୃଦ୍ୟୁମଞ୍ଜରୀ ମହାପାତ୍ର।

ଏହା ପରେ ପ୍ରସନ୍ନଜିତଙ୍କର ୨ଟି ବୃକକ୍, ଦୁଇଟି ଫୁସଫୁସ ଓ ଗୋଟିଏ ଯକୃତ ଅସ୍ତ୍ରୋପଚାର କରି ବାହାର କରାଯାଇଥିଲା। ଏହି ଅଙ୍ଗଗୁଡ଼ିକୁ କଟକ, ନୂଆଦିଲ୍ଲୀ ଏବଂ କୋଲକାତାର ହସ୍ପିଟାଲରେ ଚିକିତ୍ସାଧୀନ ଥିବା ରୋଗୀଙ୍କ ଶରୀରରେ ସଫଳ ଭାବେ ପ୍ରତ୍ୟାରୋପଣ କରାଯାଇଥିଲା। ଏ ନେଇ ରବିବାର ଦିନ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ସମ୍ ହସ୍ପିଟାଲରେ ଚିଫ୍ ଏଗଜିକ୍ୟୁଟିଭ୍ ଅଫିସର ଡାକ୍ତର ଶ୍ୱେତପଦ୍ମା ଦାଶ ସୂଚନା ଦେଇଛନ୍ତି।

ବିମାନ ଯୋଗେ ବିଭିନ୍ନ ସହରକୁ ଗଲା ପ୍ରସନ୍ନଜିତଙ୍କ ଅଙ୍ଗ

ମେଡିକାଲ୍ ଟିମ୍‌ଙ୍କ ସହାୟତାରେ ଅଙ୍ଗଗୁଡ଼ିକ ଭୁବନେଶ୍ୱରରୁ ଅନ୍ୟ ଦୁଇଟି ସହରକୁ ବିମାନ ଯୋଗେ ପଠାଯାଇଥିଲା। ପ୍ରସନ୍ନଜିତଙ୍କର ଦୁଇଟି ବୃକକ୍ ମଧ୍ୟରୁ ଗୋଟିଏ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ରୋଗୀଙ୍କ ଶରୀରରେ ଶନିବାର ଦିନ  ପ୍ରତ୍ୟାରୋପଣ କରାଯାଇଥିବା ବେଳେ ଅନ୍ୟଟି କଟକ ଏସ୍‌ସିବି ମେଡିକାଲ୍ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କଠାରେ ପ୍ରତ୍ୟାରୋପଣ ପାଇଁ ପଠାଯାଇଥିଲା।

ଫୁସ୍‌ଫୁସ୍ ଦୁଇଟିକୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଜଣେ ୧୬ ବର୍ଷର କିଶୋରଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଛି। ଏହା ସହିତ ଯକୃତକୁ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଜଟିଳ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିବା ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରାଯାଇଥିବା ଡାକ୍ତର ଦାଶ ସୂଚନା ଦେଇଛନ୍ତି।

ଶନିବାର ଦିନ କୋଲକାତା ଏବଂ ନୂଆଦିଲ୍ଲୀରୁ ଆସିଥିବା ମେଡିକାଲ୍ ଟିମ୍ ସହ ସମ୍ ଏବଂ ଅନ୍ୟ ହସ୍ପିଟାଲର ୨୦ ଜଣିଆ ଡାକ୍ତର ଟିମକୁ ୪ ଘଣ୍ଟା ଧରି ଅସ୍ତ୍ରୋପଚାର କରି ପ୍ରସନ୍ନଜିତଙ୍କ ଶରୀରରୁ ଅଙ୍ଗ କାଢ଼ିଥିଲେ।

ପୂର୍ବରୁ ଅଙ୍ଗଦାନ କରିବାକୁ ପ୍ରସନ୍ନଜିତଙ୍କର ଇଚ୍ଛା ରହିଥିଲା ବୋଲି ତାଙ୍କ ପତ୍ନୀ କହିଛନ୍ତି। ସେ କହିଛନ୍ତି ଯଦି ତାଙ୍କ ସ୍ଵାମୀଙ୍କ ଯୋଗୁଁ ଆଉ ଚାରି ଜଣଙ୍କର ଜୀବନ ବଞ୍ଚିପାରିବ ତେବେ ମୃତ୍ୟୁ ପରେ ତାଙ୍କ ସ୍ଵାମୀଙ୍କ ଆତ୍ମାଶାନ୍ତି ପାଇବ। ମୃଦ୍ୟୁମଞ୍ଜରୀଙ୍କର ଏଭଳି ନିଷ୍ପତ୍ତି ଆଗାମୀ ଦିନରେ ଏକ ଉଦାହରଣ ସୃଷ୍ଟି କରିବ ବୋଲି ଡାକ୍ତର ଦାଶ କହିଛନ୍ତି।

Tags: #PrasannjitMohanty #BrainDead #OrganDonation #OrganTransplant #Odisha #Bhubaneswar #SUMHospital

Comment