ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି। ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେବା ସହ ଅଳ୍ପ ଦିନ ମଧ୍ୟରେ ରୋଗୀ ସୁସ୍ଥ ହେଉଛନ୍ତି ବୋଲି କୁହନ୍ତି ସମ ହସ୍ପିଟାଲର ଅସ୍ଥିଶଲ୍ୟ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ଅନିରୁଦ୍ଧ ଦାଶ।

“ପାରମ୍ପରିକ ଆଣ୍ଠୁ ପ୍ରତ୍ୟାରୋପଣ ପ୍ରକ୍ରିୟା ଓ ରୋବୋଟ ସହାୟତାରେ ପ୍ରତ୍ୟାରୋପଣ ପ୍ରକ୍ରିୟା ସମାନ। ଏହି ପ୍ରତ୍ୟାରୋପଣ ଦ୍ଵାରା ଆଣ୍ଠୁରେ ନଷ୍ଟ ହୋଇଯାଇଥିବା ତନ୍ତୁଗୁଡ଼ିକୁ ବାହାର କରାଯାଇ କୃତ୍ରିମ ଗଣ୍ଠି ଯୋଡ଼ା ଯାଇଥାଏ। ତେବେ ରୋବୋଟିକ ଆର୍ମ ସହାୟତାରେ ହେଉଥିବା ଅସ୍ତ୍ରୋପଚାରକୁ ସଫ୍ଟୱେୟାର ଏବଂ ସର୍ଜନ ନିୟନ୍ତ୍ରଣ କରିଥାନ୍ତି”, କହିଛନ୍ତି ଡାକ୍ତର ଅନିରୁଦ୍ଧ ଦାଶ।

ଓଡ଼ିଶାରେ ପ୍ରଥମ ଥର ପାଇଁ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଭବିଷ୍ୟତରେ ଏହି ଉପାୟ ଅବଲମ୍ବନ କରାଯିବ ବୋଲି ଡାକ୍ତର ଦାଶ କହିଛନ୍ତି।

“ଚିରାଚରିତ ଢଙ୍ଗରେ କରାଯାଉଥିବା ଆଣ୍ଠୁ ପ୍ରତ୍ୟାରୋପଣ ଅସ୍ତ୍ରୋପଚାର ଓ ରୋବୋଟ ସହାୟତାରେ କରାଯାଉଥିବା ଅସ୍ତ୍ରୋପଚାର ମଧ୍ୟରେ କୌଣସି ଫରକ ନାହିଁ। ତେଣୁ ରୋବୋଟ ସହାୟତାରେ ଅସ୍ତ୍ରୋପଚାର ନିମନ୍ତେ ପ୍ରସ୍ତୁତ ହେଉଥିବା ରୋଗୀଙ୍କୁ ଅଲଗା ଭାବେ ପ୍ରସ୍ତୁତ ହେବାର ଆବଶ୍ୟକତା ନାହିଁ। ସାଧାରଣ ଭାବେ ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତି ମଧ୍ୟ ରୋବୋଟ ସହାୟତାରେ ଏହା କରାଇପାରିବେ”, କୁହନ୍ତି ଡାକ୍ତର ଅନିରୁଦ୍ଧ ଦାଶ।

 

ରୋବଟ ସହାୟତାରେ ଅସ୍ତ୍ରୋପଚାରରେ କେବଳ ରୋବୋଟ କାମ କରେନାହିଁ, ସେ କେବଳ ସର୍ଜନମାନଙ୍କୁ ଅସ୍ତ୍ରୋପଚାରରେ ସାହାଯ୍ୟ କରିଥାଏ। ରୋବୋଟିକ୍ ସର୍ଜରୀ ଦ୍ୱାରା ଅଧିକ ସୁଫଳ ମିଳିଥାଏ ବୋଲି ଡାକ୍ତର କୁହନ୍ତି।

ଆଣ୍ଠୁ ଗଣ୍ଠିରେ ସମସ୍ୟା ଥିବା ଏବଂ କୌଣସି ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ରୋବୋଟ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ ଲାଭଦାୟକ ହୋଇଥାଏ। ଏହା ସହ ରୋଗୀ ଶୀଘ୍ର ସୁସ୍ଥ ହେବା ସହ ଆଉ ଥରେ ଅସ୍ତ୍ରୋପଚାରର ଆବଶ୍ୟକତା କମ୍ ଥାଏ ବୋଲି ଡାକ୍ତର ଦାଶ କହିଛନ୍ତି।

Tags: #RoboticReplacementSurgery #SumHospital #Odisha

Comment