ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଜିଓଥେରାପି ଚିକିତ୍ସା କ୍ଷେତ୍ରରେ ଅଗ୍ରଗତି ନିମନ୍ତେ ଓଡ଼ିଶାରେ ରାଜ୍ୟ ଅକୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି କାଉନସିଲ୍ ଗଠିତ ହୋଇଛି। ଓଡ଼ିଶା ଷ୍ଟେଟ୍ କାଉନସିଲ୍ ଫର୍ ଅକୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି ଆକ୍ଟ, ୨୦୧୯ ବଳରେ ଜୁନ ୩ ତାରିଖରେ ଏହି କାଉନସିଲ୍ ଗଠିତ ହୋଇସାରିଥିବା ବେଳେ ଶନିବାର ସରକାରୀ ଭାବେ ଏହାର ଘୋଷଣା କରାଯାଇଛି। ଏବାବଦରେ ଇଣ୍ଡିଆନ୍ ଆସୋସିଏସନ୍ ଅଫ ଫିଜିଓଥେରାପିଷ୍ଟସ୍(ଆଇଏପି) ଓଡ଼ିଶା ଶାଖାର ଅଧ୍ୟକ୍ଷା ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଫିଜିଓଥେରାପି ବିଭାଗର ମୁଖ୍ୟ ଡକ୍ଟର ସ୍ଥିତିପ୍ରଜ୍ଞା ଦଳବେହେରା ସୂଚନା ଦେଇଛନ୍ତି।

“ରାଜ୍ୟରେ ଏଭଳି ଆଇନ ଆଣିବା ନିମନ୍ତେ ଆଇଏପିର ଓଡ଼ିଶା ଶାଖା ଦୀର୍ଘ ଦିନ ଧରି ପ୍ରସ୍ତୁତ ଚଳାଇଥିବା ବେଳେ ୨୦୧୧ରୁ ଏ ନେଇ ଏକ କମିଟି ଗଠନ ହୋଇଥିଲା ଏବଂ ଏହାର ସଂଯୋଜକ ଡକ୍ଟର ଭୁବନାନନ୍ଦ ପାଣି ଏହି କାଉନସିଲ୍ ଗଠନ ନିମନ୍ତେ ଦୀର୍ଘ ଦିନ ଧରି କାର୍ଯ୍ୟ କରୁଥିଲେ। ଏ ଦିଗରେ ଡକ୍ଟର ଆର୍ ଏନ୍ ଦାସ, ଡକ୍ଟର ପି ପି ମହାନ୍ତି ଏବଂ ଡକ୍ଟର ଅମ୍ଳାନ୍ ମାଇତିଙ୍କର ମଧ୍ୟ ଅନେକ ଅବଦାନ ରହିଛି”, କହିଛନ୍ତି ଡକ୍ଟର ସ୍ଥିତିପ୍ରଜ୍ଞା ଦଳବେହେରା।

ସେହିପରି ଏହି ନୂତନ କାଉନସିଲ୍ ଗଠନ ଦ୍ୱାରା ଫିଜିଓଥେରାପିଷ୍ଟମାନଙ୍କର ବୃତିଗତ କ୍ଷେତ୍ରରେ ଅନେକ ଉନ୍ନତି ଘଟିବ। ଏହାର ଗଠନ ନେଇ ଆଇଏପିର ଅନ୍ୟ ରାଜ୍ୟମାନଙ୍କର ଶାଖା ଗୁଡ଼ିକ ପକ୍ଷରୁ ଯଥେଷ୍ଟ ସାହାଯ୍ୟ ଓ ସହଯୋଗ ମିଳିଥିଲା ବୋଲି ଡକ୍ଟର ଦଳବେହେରା କହିଛନ୍ତି।

ନିକଟରେ ରାଜ୍ୟ ଆଇଏପି ନିମନ୍ତେ ୪ଟି ବଡ଼ ସଫଳତା ମିଳିସାରିଛି। ଏଗୁଡ଼ିକ ହେଉଛି ଫିଜିଓଥେରାପି ଶିକ୍ଷା ମହିଳା ଶିଶୁ ବିକାଶ ବିଭାଗ ହାତରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାତକୁ ଯିବା, ବିପିଟି କୋର୍ସ ଶିକ୍ଷା ପ୍ରଦାନ କରୁଥିବା ଫିଜିଓଥେରାପି ଅନୁଷ୍ଠାନଗୁଡ଼ିକ ନିମନ୍ତେ ସର୍ବନିମ୍ନ ନିୟମାବଳୀ ପ୍ରସ୍ତୁତ କରିବା, ଓଡ଼ିଶା କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ୍‌ସ (କଣ୍ଟ୍ରୋଲ୍ ଆଣ୍ଡ ରେଗୁଲେସନ୍‌ସ) ରୁଲ୍‌ସ ୨୦୧୭ରେ ସଂଶୋଧନ ଆଣିବା ଏବଂ ଓଡ଼ିଶା ଷ୍ଟେଟ କାଉନସିଲ୍ ଫର୍ ଅକୁପେସନାଲ୍ ଥେରାପି ଆଣ୍ଡ ଫିଜିଓଥେରାପି ଆକ୍ଟ , ୨୦୧୯ର ଗଠନ।

ଫିଜିଓଥେରାପିଷ୍ଟମାନଙ୍କର ଦୀର୍ଘଦିନର ଦାବି ପୂରଣ ହୋଇଥିବାରୁ ଡକ୍ଟର ଦଳବେହେରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହି ଆଇନରେ ରହିଯାଇଥିବା କିଛି ତ୍ରୁଟିରେ ପରିବର୍ତ୍ତନ ଆଣିଲେ ଏହା ଜନସାଧାରଣଙ୍କ ପାଇଁ ହିତକର ହେବ ବୋଲି ସେ କହିଛନ୍ତି।ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍, ଫିଜିଓଥେରାପିଷ୍ଟସମାନଙ୍କର ପ୍ରଶିକ୍ଷଣ ଦିଗରେ ଅନେକ ସାହାଯ୍ୟ କରିଥାଏ। ନିୟମିତ ଭାବେ ସମ୍ ହସ୍ପିଟାଲରେ ବିଭିନ୍ନ ବେସରକାରୀ କଲେଜଗୁଡ଼ିକୁ କ୍ଲିନିକାଲ୍ ଏବଂ ପ୍ରାକ୍ଟିକାଲ୍ ଟ୍ରେନିଂ ପ୍ରଦାନ କରାଯାଇଥାଏ। ହସ୍ପିଟାଲ୍ କର୍ତ୍ତୃପକ୍ଷ ଫିଜିଓଥେରାପି କର୍ମଶାଳା ଓ ୱାର୍କସପ୍ ନିମନ୍ତେ ହସ୍ପିଟାଲ୍ ପରିସର ସବୁବେଳେ ଉନ୍ମୁକ୍ତ ରଖିଥାନ୍ତି ଏବଂ ସାହାଯ୍ୟ ଓ ସହଯୋଗ କରିଥାନ୍ତି।

Comment