ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ବୁଧବାର ଏକ ଅତ୍ୟାଧୁନିକ ସେଣ୍ଟ୍ରାଲ୍ ସ୍କିଲ୍ ଲ୍ୟାବ୍ ଉଦ୍‌ଘାଟିତ ହୋଇଛି। ମେଡିକାଲ୍ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ଗ୍ରହଣ ନିମନ୍ତେ ଏହି ଅତ୍ୟାଧୁନିକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି।“୨୦୧୯ରେ ତତ୍କାଳୀନ ମେଡିକାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ (ଏମ୍‌ସିଆଇ)ର ନିର୍ଦ୍ଦେଶ ଅନୁଯାୟୀ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସ୍କିଲ୍ ଲ୍ୟାବ୍ ମେଡିକାଲ୍ କଲେଜଗୁଡ଼ିକରେ ଆରମ୍ଭ କରାଯାଉଛି। ଏମ୍‌ସିଆଇକୁ ନିକଟରେ ପରିବର୍ତ୍ତିତ କରାଯାଇ ନାସ୍‌ନାଲ ମେଡିକାଲ୍ କମିସନ ଗଠନ କରାଯାଇଛି। ଏହି ଲ୍ୟାବ୍ ସ୍ଥାପନ ଦ୍ୱାରା ଡାକ୍ତରୀ ଛାତ୍ରଛାତ୍ରୀମାନେ ତାଙ୍କର ପ୍ରାକ୍ଟିକାଲ୍ ନିମନ୍ତେ ଆଉ ମୃତ ଶରୀର ସାହାଯ୍ୟରେ ଶିକ୍ଷା ଗ୍ରହଣ ନକରି ସିଧାସଳଖ ମାନିକ୍ୟୁନ୍ ସିଲିକନ୍‌ରେ ପ୍ରସ୍ତୁତ ମଣିଷ ଶରୀରର ଅବିକଳ ନକଲ ତଥା ପୁରୁଷ ଓ ମହିଳାମାନଙ୍କ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଉପରେ ଶିକ୍ଷାଲାଭ କରିପାରିବେ। ଏହା ଦ୍ୱାରା ସଂକ୍ରମଣର ଭୟ କମ୍ ରହିବା ସହ ଛାତ୍ରଛାତ୍ରୀମାନଙ୍କର ଦକ୍ଷତାରେ ମଧ୍ୟ ବୃଦ୍ଧି ଘଟିବ” କହିଛନ୍ତି ଡିଏମ୍ଇଟି ପ୍ରଫେସର ଡକ୍ଟର ସି ବି କେ ମହାନ୍ତି।

“ଏହି ପ୍ରୟୋଗଶାଳାରେ ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କୁ ଉନ୍ନତମାନର ଶିକ୍ଷା ଓ ତାଲିମ୍ ପ୍ରଦାନ କରିବା ହିଁ ମୂଳ ଲକ୍ଷ୍ୟ। ଆନାଟୋମି, ସର୍ଜରୀ, ସ୍ତ୍ରୀ ଓ ପ୍ରସୂତି, ଅର୍ଥୋପେଡିକ୍ ଓ ଇଏନ୍‌ଟି ବିଭାଗ ନିମନ୍ତେ ଏହି ଲ୍ୟାବ୍‌ର ବିଶେଷ ଆବଶ୍ୟକତା ରହିଛି। ପ୍ରଥମ ବର୍ଷରୁ ହିଁ ଏମ୍‌ବିବିଏସ୍ ଛାତ୍ରଛାତ୍ରୀମାନେ ଏହି ସ୍କିଲ୍ ଲ୍ୟାବ୍‌ରେ ଶିକ୍ଷା ଗ୍ରହଣ କରିପାରିବା ସହ ଅସ୍ତ୍ରୋପଚାର, ମଣିଷ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା ଓ ବିଭିନ୍ନ ପ୍ରକାର ନିଦାନ ଚିକିତ୍ସା ସମ୍ବନ୍ଧୀୟ ପ୍ରୟୋଗର ଗୁରୁତ୍ୱପୂର୍ଣ୍ଣ ଜ୍ଞାନ ହାସଲ କରିପାରିବେ” କହିଛନ୍ତି ସୋଆ କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର।

ଏହି ଲ୍ୟାବ୍‌କୁ ରାଜ୍ୟ ଚିକିତ୍ସା ଶିକ୍ଷା ଏବଂ ପ୍ରଶିକ୍ଷଣର ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ସି ବି କେ ମହାନ୍ତି, ଆଡିସ୍‌ନାଲ୍ ଡିଏମ୍ଇଟି ପ୍ରଫେସର ଡକ୍ଟର ବ୍ରଜକିଶୋର ଦାଶ, ସୋଆ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର ଏବଂ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର ଗଙ୍ଗାଧର ସାହୁଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରାଯାଇଥିଲାବେଳେ ଅନ୍ୟମାନଙ୍କ ମଧ୍ୟରେ ଆଡିସ୍‌ନାଲ୍ ଡିନ୍ ପ୍ରଫେସର ଡକ୍ଟର ଅଜୟ କୁମାର ଜେନା, ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ଡକ୍ଟର ପୁଷ୍ପରାଜ ସାମନ୍ତସିଂହାର, ଆଡିସ୍‌ନାଲ୍ ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ଡକ୍ଟର ରାଜେଶ କୁମାର ଲେଙ୍କା, ମେଡିକାଲ୍ ଏଜୁକେସନ୍ ବିଭାଗୀୟ ମୁଖ୍ୟ ସଂଯୋଜକ ତଥା ସ୍କିଲ୍ ଲ୍ୟାବ୍ ଫାକଲ୍ଟି ଇନ୍‌ଚାର୍ଜ ପ୍ରଫେସର ଡକ୍ଟର ପ୍ରକାଶ କୁମାର ସାହୁ, କନ୍‌ଭେନର୍ ଫାର୍ମାକୋଲଜି ବିଭାଗୀୟ ମୁଖ୍ୟ ପ୍ରଫେସର ଡକ୍ଟର ସୁଧାଂଶୁ ଶେଖର ମିଶ୍ର ତଥା ବିଭାଗୀୟ ମୁଖ୍ୟ ଓ ଫ୍ୟାକଲ୍ଟିମାନେ ଏହି ଉତ୍ସବରେ ଉପସ୍ଥିତ ଥିଲେ।

Comment