ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଉପକୂଳରେ ପୁରୀ ବ୍ୟତୀତ ଆଉ ୫ଟି ସମୁଦ୍ରକୂଳକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ମିଳିବା ଆବଶ୍ୟକ। ଏହିସବୁ ଉପକୂଳକୁ ଗ୍ଲାମ୍ପିଂ ଯୋଜନାରେ ସାମିଲ କରାଯାଇପାରିଲେ ଏହାଦ୍ୱାରା ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ମାନ ବୃଦ୍ଧି ପାଇବ। ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି)ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବ ଏହା କହିଛନ୍ତି।ସୋଆ ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟର ଭର୍ଚୁଆଲ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ସଚିନ୍ ରାମଚନ୍ଦ୍ର ଯାଦବ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶା ପର୍ଯ୍ୟଟନ ନୀତି ୨୦୧୬ରେ ବ୍ଲୁ ପ୍ଳାଗ୍‌ ମାନ୍ୟତା ପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଯୋଜନା କରାଯାଇଥିଲା। ଏହା ଦ୍ୱାରା ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ଦିଆଯାଇପାରିବ। ଗ୍ଲାମରସ ଓ କ୍ୟାମ୍ପିଂ ଭଳି ଦୁଇଟି ଶବ୍ଦକୁ ନେଇ ଗ୍ଲାମ୍ପିଂ ଭଳି ଶବ୍ଦର ବ୍ୟବହାର ଆରମ୍ଭ କରାଯାଇଛି। ଏହାର ଉଦ୍ଦେଶ୍ୟ ହେଉଛି ବିଭିନ୍ନ ସମୁଦ୍ରକୂଳ ଅଞ୍ଚଳକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ରହିବା ନିମନ୍ତେ ଅତ୍ୟାଧୁନିକ ସୁବିଧା ସୁଯୋଗ ଯୋଗାଇଦେବା। ଯାହାକି ସାଧାରଣ କ୍ୟାମ୍ପିଂରେ ମିଳିନଥାଏ।

“ପର୍ଯ୍ୟଟନ ଶିଳ୍ପ ପ୍ରତି ୨.୫ ସେକେଣ୍ଡରେ ନୂତନ ଚାକିରିର ସୁଯୋଗ ଯୋଗାଇଥାଏ। ତେଣୁ ଛାତ୍ରଛାତ୍ରୀମାନେ ଧର୍ଯ୍ୟ ବୃଦ୍ଧି କରିବା ସହ ନିଜ ଦକ୍ଷତାକୁ ବିନିଯୋଗ କରି ଏହି ସୁଯୋଗକୁ ହାତକୁ ନେବାର ଆବଶ୍ୟକତା ରହିଛି। ହୋଟେଲ, ହସ୍‌ପିଟାଲ ଏବଂ ରେଷ୍ଟୁରାଣ୍ଟ ତଥା ବିମାନ ଚଳାଚଳ ଶିଳ୍ପରେ ଏହି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଅନେକ ସୁଯୋଗ ରହିଛି। ସେହିପରି କୋଭିଡ-୧୯ ମହାମାରୀ ଖାଦ୍ୟ ସୁରକ୍ଷା ନିମନ୍ତେ ବିଶେଷଜ୍ଞମାନଙ୍କ ପାଇଁ ମଧ୍ୟ ନୂତନ ସୁଯୋଗ ସୃଷ୍ଟି କରିଛି” କହିଛନ୍ତି ଟ୍ରେନର୍ ଅପରେସ ସିହ୍ନା।

ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର କହିଛନ୍ତି ଯେ, ମାତ୍ର ୧୩ ବର୍ଷ ମଧ୍ୟରେ ସୋଆ ପୂର୍ବାଞ୍ଚଳରେ ଏକ ଉତ୍ତମ ବିଶ୍ୱବିଦ୍ୟାଳୟ ଭାବେ ପ୍ରତିପାଦିତ ହୋଇପାରିବା ସହ ନାସନାଲ ଇନଷ୍ଟିଚ୍ୟୁସନାଲ ରାଙ୍କିଙ୍ଗ୍‌ ଫ୍ରେମୱାର୍କ (ଏନଆଇଆରଏଫ) ରାଙ୍କିଙ୍ଗ୍‌ରେ ଦେଶରେ ଶ୍ରେଷ୍ଠ ୨୦ ତମ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଛି।

ଏହି ଅନଲାଇନ କାର୍ଯ୍ୟକ୍ରମରେ ସୋଆ କୂଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଆତିଥ୍ୟ କମିଟି କନସଲ୍‌ଟାଣ୍ଟ ଓ ଟ୍ରେନର୍ ଅପରେସ ସିହ୍ନା, ଏସଏଚଏମର ଡିନ ତଥା ଉପଦେଷ୍ଟା ପ୍ରଫେସର ଶିତିକଣ୍ଠ ମିଶ୍ର ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ।

ପ୍ରଫେସର ଶିତିକଣ୍ଠ ମିଶ୍ର ଏହି କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ସୂଚନା ଦେବା ସହ ଏହା ଡିସେମ୍ବର ୧୧ ତାରିଖ ଯାଏ ଚାଲୁରହିବ ବୋଲି କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସୋଆ ରେଜିଷ୍ଟର ପ୍ରଫେସର ବି ବି ପ୍ରଧାନ, ହ୍ୟୁମାନିଟି ବିଭାଗର ପ୍ରଫେସର ଅଶୋକ ମହାନ୍ତି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ବିଏଚଏମସିଟି ଶେଷ ବର୍ଷର ଛାତ୍ରୀ ଶ୍ୱେତା ବୋଇତି କାର୍ଯ୍ୟକ୍ରମ ସଞ୍ଚାଳନା କରିଥିବା ବେଳେ ଶେଷରେ ଏସଏଚଏମର ଆସୋସିଏଟ ପ୍ରଫେସର ଡକ୍ଟର ସ୍ମିତା ସୁଚରିତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

 

Comment