ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟରେ ଆରମ୍ଭ ହୋଇଛି ପ୍ରଥମ ଅନ୍ତର୍ଜାତୀୟ ଗ୍ରାଣ୍ଡ ମାଷ୍ଟର୍ସ ଚେସ୍ ପ୍ରତିଯୋଗିତା। ଏଥିରେ ୧୨ଟି ଦେଶର ଚେସ୍ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ ଗ୍ରାଣ୍ଡ ମାଷ୍ଟର ଓ ୨୨ ଜଣ ଇଣ୍ଟରନାସନାଲ ମାଷ୍ଟର ରହିଛନ୍ତି। ରବିବାର ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରତିଯୋଗିତାର ଉଦ୍‌ଘାଟନ କରିଥିଲେ।

ଏହି ପ୍ରତିଯୋଗିତାକୁ ଅଲ ଓଡ଼ିଶା ଚେସ୍ ଆସୋସିଏସନ ଦ୍ୱାରା ଆୟୋଜନ କରାଯାଉଛି। ଏଥିପାଇଁ ସୋଆ ବିଶ୍ଵବିଦ୍ୟାଳୟ ସହାୟତା ଯୋଗାଇଥିବାବେଳେ ଅନ୍ତର୍ଜାତୀୟ ଚେସ୍ ଫେଡେରସନ, ଅଲ ଇଣ୍ଡିଆ ଚେସ୍ ଫେଡେରେସନ, ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ ଓ ରାଜ୍ୟ ସରକାରଙ୍କ ସମର୍ଥନ ମିଳିଛି।

“ବିଭିନ୍ନ ଅନ୍ତର୍ଜାତୀୟ ପ୍ରତିଯୋଗିତାର ସଫଳ ଆୟୋଜନ କରି ଓଡ଼ିଶା କ୍ରୀଡ଼ା କ୍ଷେତ୍ରରେ ଏକ ନୂଆ ଦିଗନ୍ତ ସୃଷ୍ଟି କରିଛି। ଓଡ଼ିଶା ସରକାର ଅଧିକ ଅର୍ଥ ବିନିଯୋଗ କରି ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ କରୁଛନ୍ତି, ଯାହାଦ୍ୱାରା ବିଭିନ୍ନ କ୍ରୀଡ଼ାରେ ଓଡ଼ିଶାର ଖେଳାଳିମାନେ ଉନ୍ନତ ପ୍ରଦର୍ଶନ କରିପାରୁଛନ୍ତି”, କହିଥିଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।  

ସେ ଆହୁରି ମଧ୍ୟ କହିଥିଲେ, “୨୦୦୦-୦୧ ମସିହାରେ ଓଡ଼ିଶା ସରକାର କ୍ରୀଡ଼ା ନିମନ୍ତେ ମାତ୍ର ୪ କୋଟି ଟଙ୍କା ବ୍ୟୟବରାଦ କରିଥିବାବେଳେ ଗତ ବଜେଟରେ କ୍ରୀଡ଼ା ପାଇଁ ୧,୨୧୭ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି। ଏହା ରାଜ୍ୟ ସରକାରଙ୍କ କ୍ରୀଡ଼ାର ବିକାଶ ନିମନ୍ତେ ଥିବା ଆନ୍ତରିକତାକୁ ପ୍ରକାଶ କରୁଛି।”

ପ୍ରତିଯୋଗିତାରେ ଯୋଗ ଦେଇଥିବା ଚେସ୍ ଖେଳାଳିମାନଙ୍କୁ ‘ଏ’, ‘ବି’ ଏବଂ ‘ସି’ ତିନୋଟି ଶ୍ରେଣୀରେ ବିଭକ୍ତି କରାଯାଇଛି। ସମ୍ପୂର୍ଣ୍ଣ ପ୍ରତିଯୋଗିତା ନିମନ୍ତେ ମୋଟ୍ ପୁରସ୍କାର ରାଶି ୩୫ ଲକ୍ଷ ଟଙ୍କା ରହିଥିବାବେଳେ ସେଥିରୁ ‘ଏ’ ଶ୍ରେଣୀର ଖେଳାଳିମାନଙ୍କ ପାଇଁ ୨୦ ଲକ୍ଷ ଟଙ୍କା ପୁରସ୍କାର ରଖାଯାଇଛି। ସେହିପରି ‘ବି’ ଓ ‘ସି’ ଶ୍ରେଣୀ ଖେଳାଳିଙ୍କ ପାଇଁ ୭.୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରହିଛି।

ସୋଆ ଅନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାର ଉଦଘାଟନ ସମାରୋହରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମନ୍ତ୍ରୀ ତୁଷାରକାନ୍ତି ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ସେ ଓଡ଼ିଶାରେ ହେଉଥିବା କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ବିକାଶ କଥା କହିବା ସହ ଏହି ଅନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାର ଆୟୋଜନ ପାଇଁ ସୋଆ ବିଶ୍ଵବିଦ୍ୟାଳୟର ଧନ୍ୟବାଦ ଜଣାଇଥିଲେ।

ପ୍ରତିଯୋଗିତାର ଉଦଘାଟନୀ କାର୍ଯ୍ୟକ୍ରମରେ ସୋଆ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଅଲ ଓଡ଼ିଶା ଚେସ୍ ଆସୋସିଏସନର ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, କୋଷାଧ୍ୟକ୍ଷ ଶଙ୍କର ପ୍ରସାଦ ମିଶ୍ର, ସୋଆ ଛାତ୍ରମଙ୍ଗଳ ଡିନ ପ୍ରଫେସର ଜ୍ୟୋତିରଞ୍ଜନ ଦାସ ଏବଂ କ୍ରୀଡ଼ା ଅଧିକାରୀ ସୁନୀତା ବର୍ମା ପ୍ରମୁଖ ଯୋଗ ଦେଇଥିଲେ।

Tags: #SOAInternationalGrandMasters #ChessTournament #SOAUniversity #Sports #Bhubaneswar #Odisha

Comment