ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର (ସୋଆ) ୬ ଜଣ ଛାତ୍ରଛାତ୍ରୀ ଏବଂ ଜଣେ ଅଧ୍ୟାପକ ଓଡ଼ିଶା ମିନି ଗଲ୍ଫ ଦଳରେ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ମାସ ୩ରୁ ୬ ତାରିଖ ପର୍ଯ୍ୟନ୍ତ ନାଗପୁରରେ ଆୟୋଜିତ ହେବାକୁ ଥିବା ଜାତୀୟ ପୁରୁଷ ଓ ମହିଳା ମିନି ଗଲ୍ଫ ଚାମ୍ପିୟନସିପରେ ସେମାନେ ଓଡ଼ିଶାର ପ୍ରତିନିଧିତ୍ଵ କରିବେ।

ଓଡିଶା ମିନି ଗଲ୍ଫ ଆସୋସିଏସନର ସୂଚନା ଅନୁସାରେ ସୋଆ ବିଶ୍ୱବିଦ୍ୟାଳୟର ଛାତ୍ର ବିନୀତ ଦାସ, ଆଦିତ୍ୟ ରାଜ ଦୋରା ଓ ବାଦଲ ସାମଲ ରାଜ୍ୟ ପୁରୁଷ ମିନି ଗଲ୍ଫ ଦଳରେ ସାମିଲ ହୋଇଛନ୍ତି। ସେହିପରି ବିଶ୍ୱବିଦ୍ୟାଳୟର ଛାତ୍ରୀ ଆଦ୍ୟାଶା ମିଶ୍ର, ଅମୃତା ଦାସ ଓ ଲିପ୍ସା ମହାନ୍ତି ମହିଳା ଦଳ ନିମନ୍ତେ ମନୋନୀତ ହୋଇଛନ୍ତି।

ଏହାସହ ସୋଆ ପରିଚାଳିତ ଇଞ୍ଜିନିୟରିଂ କଲେଜ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଆସିଷ୍ଟାଣ୍ଟ ପ୍ରଫେସର ସ୍ମୁତିରେଖା ପଟ୍ଟନାୟକ ମଧ୍ୟ ରାଜ୍ୟ ମହିଳା ମିନି ଗଲ୍ଫ ଦଳରେ ମନୋନୀତ ହୋଇଛନ୍ତି।

ଓଡ଼ିଶା ମିନି ଗଲ୍ଫ ଦଳରେ ମନୋନୀତ ହୋଇଥିବା ଖେଳାଳିମାନେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ଡକ୍ଟର ମନୋଜରଞ୍ଜନ ନାୟକଙ୍କ ସହ ସାକ୍ଷାତ କରିଥିଲେ। ସେ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଜାତୀୟ ଚାମ୍ପିୟନସିପରେ ସେମାନଙ୍କ ସଫଳତା କାମନା କରିଥିଲେ।

Tags: #NationalMiniGolfChampionship #TeamOdisha #Players #SOAUniversity #Sports

LEAVE A REPLY

Please enter your comment!
Please enter your name here