ଓଡ଼ିଶାଲାଇଭ୍ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଅତ୍ୟାଧୁନିକ ଏଣ୍ଡୋସର୍ଜରୀ ପ୍ରଶିକ୍ଷଣ କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସୋମବାର ହସ୍ପିଟାଲ୍‌ର ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏହି କେନ୍ଦ୍ର ଖୋଲାଯାଇଥିବା ସୂଚନା ମିଳିଛି।

ଏହି ବିଭାଗରେ ତିନୋଟି ଏଣ୍ଡୋଟ୍ରେନର୍ ମେସିନ୍ ସହିତ ଓପନ୍ ସର୍ଜରୀ ନିମନ୍ତେ ୧୫ଟି ଅତ୍ୟାଧୁନିକ ଯନ୍ତ୍ର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଛି।

ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସର୍ଜରୀ ବିଭାଗର ପିଜି ଓ ଏମ୍‌ସିଏଚ୍ ଛାତ୍ରଛାତ୍ରୀଙ୍କର ଅସ୍ତ୍ର୍ରୋପଚାର କୌଶଳକୁ ଅଧିକ ଦକ୍ଷ କରିବା ନିମନ୍ତେ ଏହି କେନ୍ଦ୍ର ଖୋଲାଯାଇଛି। ସର୍ଜରୀ ବିଭାଗର ବରିଷ୍ଠ ସର୍ଜନମାନେ ଏହି ଯନ୍ତ୍ର ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେଇପାରିବେ।

ଏହି ଯନ୍ତ୍ର ସାହାଯ୍ୟରେ ଶରୀରର ଉପୁଜୁଥିବା ବିଭିନ୍ନ ରୋଗ ଯେପରିକି ପିତକୋଷରେ ପଥର ହେବା, ପିତନଳୀ ଓ ପାକସ୍ଥଳୀରେ ଉପୁଜୁଥିବା ଜଟିଳ ରୋଗଗୁଡ଼ିକର ଲାପ୍ରୋସ୍କୋପିକ୍ ପଦ୍ଧତିରେ ସଠିକ୍ ଓ ସରଳୀକୃତ ଭାବେ ଅସ୍ତ୍ର୍ରୋପଚାର କରାଯାଇପାରିବ। ତେଣୁ ଏହି ଯନ୍ତ୍ର ସର୍ଜରୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦେବା ନିମନ୍ତେ ମୁଖ୍ୟ ଭୂମିକା ଗ୍ରହଣ କରିବ।

ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ଡକ୍ଟର ଅଶୋକ କୁମାର ମହାପାତ୍ର, ମେଡିକାଲ୍ ସୁପରିଟେଣ୍ଡେଣ୍ଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଜଗଦାନନ୍ଦ ମିଶ୍ର, ପ୍ରଫେସର ଡକ୍ଟର ପି କେ ସାହୁ, ପ୍ରଫେସର ଡକ୍ଟର ଦେବାଶିଷ ସାମଲ, ପ୍ରଫେସର ଡକ୍ଟର ରଶ୍ମିରଞ୍ଜନ ସାହୁ, ବାୟୋମେଡିକାଲ୍ ବିଭାଗର ପ୍ରେମନାଥ ତାଣ୍ଡି, ମନୋରମା ପରିଡା, ସୋଆ ସୁପରିଟେଣ୍ଡିଂ ଇଞ୍ଜିନିୟର ଚିତ୍ତରଞ୍ଜନ ମାନ୍ଧତା, ରୋଗୀ ସମ୍ପର୍କ ବିଭାଗର ଡକ୍ଟର ଏଲ୍ ରଥ ଏବଂ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଇଞ୍ଜିନିୟର ପ୍ରହଲ୍ଲାଦ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Comment