ଓଡ଼ିଶାଲାଇଭ୍ ବ୍ୟୁରୋ

  • ଚିନ୍ତା ଓ ଚେତନାର ୪୩ତମ ରାଷ୍ଟ୍ରୀୟ ବର୍ଷା ମହୋତ୍ସବ
  • ନୀଳଚକ୍ର ରାଷ୍ଟ୍ରୀୟ ସମ୍ମାନିତ ହେଲା ଦୈନିକ ଖବରକାଗଜ ‘ସମାଜ’
  • ‘ପଞ୍ଚ ପାଇକ’ ନୃତ୍ୟରେ କମ୍ପିଲା ରବୀନ୍ଦ୍ର ମଣ୍ଡପ
  • ଦର୍ଶକଙ୍କୁ ବିମୋହିତ କଲା ‘ଗୋଟିପୁଅ’

ଚିନ୍ତା ଓ ଚେତନାର ୪୩ତମ ବର୍ଷା ମହୋତ୍ସବ ୨୦୨୧ ଅନୁଷ୍ଠିତ ହୋଇଛି। ସୋମବାର ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, “ଉତ୍କଳ କେବଳ ଏକ ପ୍ରଦେଶ ନୁହେଁ, ସାରା ବିଶ୍ଵର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପ୍ରାଚୁର୍ଯ୍ୟ ବହନ କରୁଥିବା ଭୂଖଣ୍ଡ ଭାବେ ବେଶ ପରିଚିତ। ଓଡ଼ିଶା ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର। ସାରା ବିଶ୍ଵ ଏହି ପ୍ରଦେଶକୁ ଆଲୋକବର୍ତ୍ତିକା ଭାବେ ଜାଣନ୍ତି। ତେଣୁ ଓଡ଼ିଶା ରାଜ୍ୟର ବିକଳ୍ପ ନାହିଁ। ଏହା ଏକ ଦେବଭୂମି। ଏହି ଭୂମିର କଳା ଓ ସଂସ୍କୃତିରେ ରହିଛି ଜୀବନ ଉତ୍ତରଣର ମାର୍ଗ।”ଚଳିତବର୍ଷ ଚିନ୍ତା ଓ ଚେତନା ପକ୍ଷରୁ ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ’କୁ ‘ନୀଳଚକ୍ର ରାଷ୍ଟ୍ରୀୟ ସମ୍ମାନ’ରେ ସମ୍ମାନିତ କରାଯାଇଛି। ସମାଜର କାର୍ଯ୍ୟକାରୀ ସମ୍ପାଦକ ସୁଶାନ୍ତ କୁମାର ମହାନ୍ତି ରାଜ୍ୟପାଳଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଥିଲେ। ଏଥିସହ କଳା, ସାହିତ୍ୟ, ସ୍ଵାସ୍ଥ୍ୟ, ଆଇନ, ଶିଳ୍ପ, ସମାଜସେବା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୦ ଜଣ ବିଶିଷ୍ଟ ବ୍ୟକ୍ତିତ୍ଵଙ୍କୁ ‘ଚିନ୍ତା ଓ ଚେତନା ରାଷ୍ଟ୍ରୀୟ ସମ୍ମାନ’ରେ ସମ୍ମାନିତ କରାଯାଇଛି।

ଋତୁରାଣୀ ବର୍ଷାର ଅନନ୍ୟ ମହ୍ଲାରକୁ ପାଳନ କରିବା ଅବସରରେ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପଠାରେ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ‘ସୃଜନ’ର କଳାକାରମାନଙ୍କ ଦ୍ଵାରା ‘ଶ୍ରୀରାମଚନ୍ଦ୍ର କୃପାଳୁ ଭଜମନ’ ଏବଂ ‘ଚନ୍ଦ୍ରଚୂଡ଼’ ଗୀତରେ ଦୁଇଟି ସୁନ୍ଦର ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଏହାକୁ ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ।ଏହାପରେ ‘ନୃତ୍ୟ ନୈବେଦ୍ୟ’ର କଳାକାରମାନଙ୍କ ଦ୍ଵାରା ଓଡ଼ିଶାର ପାଇକ ସଂଗ୍ରାମର ବୀରତ୍ଵ ଗାଥାକୁ ନେଇ ମଞ୍ଚସ୍ଥ ହୋଇଥିଲା ଓଡ଼ିଶୀ ନୃତ୍ୟ ‘ପଞ୍ଚ ପାଇକ’। ଖଣ୍ଡା, ଢାଲ, ଲାଠି ଧରି କଳାକାରମାନେ ଖୁବ୍ ସୁନ୍ଦର ଭାବରେ ପାଇକ ସଂଗ୍ରାମର ବୀର କାହାଣୀକୁ ନୃତ୍ୟକଥା ମାଧ୍ୟମରେ ଦେଖାଇଥିଲେ।

ସାଂସ୍କୃତିକ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିଥିଲା ‘ଗୋଟିପୁଅ ନୃତ୍ୟ’। ପୁରୀ ରଘୁରାଜପୁର କଳାଗ୍ରାମର ‘ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦ’ର କଳାକାରମାନେ ଏହାକୁ ପରିବେଷଣ କରିଥିଲେ। ରାଧାକୃଷ୍ଣଙ୍କର ବିଭିନ୍ନ ମାନବୀୟ ଲୀଳାଖେଳା ସହ ଯୋଗ ଓ ଆଖଡ଼ାଭଙ୍ଗୀ ମାଧ୍ୟମରେ ପ୍ରଦର୍ଶିତ ଗୋଟିପୁଅ ଦର୍ଶକଙ୍କୁ ବିମୋହିତ କରିଥିଲା।“ସମଗ୍ର ଭାରତ ପାଇଁ ବର୍ଷା ଋତୁ ଏକ ଆଶୀର୍ବାଦ। ଦକ୍ଷିଣ-ପୂର୍ବ ଏସିଆ ମହାଦେଶରେ ଆମ ଦେଶରେ ହିଁ ସର୍ବାଧିକ ବର୍ଷା ଅନୁଭୂତ ହୋଇଥାଏ। ଏହି ବର୍ଷା ସହିତ ଆମ କଳା, ସଂସ୍କୃତି ଅଙ୍ଗାଅଙ୍ଗୀ ଭାବେ ଜଡ଼ିତ। ବର୍ଷାର ଆଗମନ ଏବଂ ଏହାର ବିଦାୟକୁ ଆମ ସଂସ୍କୃତିରେ ସ୍ଵତନ୍ତ୍ର ସ୍ଥାନ ଦିଆଯାଇଛି। ତେଣୁ ଋତୁରାଣୀ ବର୍ଷାର ସେହି ଅନନ୍ୟ ମହ୍ଲାର ଉତ୍ସବକୁ ପାଳନ ଲାଗି ଚିନ୍ତା ଓ ଚେତନା ପକ୍ଷରୁ ବର୍ଷା ମହୋତ୍ସବ ଆୟୋଜିତ ହୋଇଆସୁଛି। ବର୍ଷାକୁ ଏଥର ୪୨ ପୂରି ୪୩ ହୋଇଛି, ଆଉ ଏହା ଭାରତର କଳା, ସଂସ୍କୃତିକୁ ପୂର୍ବପରି ସେମିତି ଜୀବନ୍ତ କରି ରଖିଛି”, କହିଥିଲେ ଚିନ୍ତା ଓ ଚେତନା ରାଜ୍ୟ ସଭାପତି ତଥା ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ।  ଏହି ଅବସରରେ ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ କହିଥିଲେ, “ଓଡ଼ିଶା ଏବଂ ସମଗ୍ର ଭାରତ ବର୍ଷର ବିଭିନ୍ନ କଳା, ସଂସ୍କୃତିକୁ ଲୋକଲୋଚନକୁ ଆଣିବା ଲାଗି ପ୍ରତି ବର୍ଷ ଚିନ୍ତା ଓ ଚେତନା ପକ୍ଷରୁ ‘ବର୍ଷା ମହୋତ୍ସବ’ ପାଳିତ ହୋଇଆସୁଛି। ପୂର୍ବରୁ ପାଞ୍ଚଦିନ ଧରି ହେଉଥିବା ଏହି ଉତ୍ସବକୁ କରୋନା ପାଇଁ ଗୋଟିଏ ଦିନରେ ସୀମିତ ରଖିବାକୁ ପଡ଼ିଛି। ଦେଶର ବିଭିନ୍ନ ଲୋକକଳା ପ୍ରଦର୍ଶିତ ହେଉଥିବା ମଞ୍ଚରେ ଏଥର କେବଳ ଓଡ଼ିଶାର ଲୋକକଳା ହିଁ ପ୍ରଦର୍ଶିତ ହୋଇଛି।”

ଅନ୍ୟମାନଙ୍କ ମଧ୍ୟରେ ସାଧକ ରାମନାରାୟଣ ମହାରାଜ, ଚିନ୍ତା ଓ ଚେତନାର ରାଷ୍ଟ୍ରୀୟ ସଭାପତି ତଥା ବିଧାୟକ ଶଶୀ ଭୂଷଣ ବେହେରା, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କଳାକାରମାନଙ୍କୁ ସମ୍ଵର୍ଦ୍ଧିତ କରିଥିଲେ।

Comment