ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମୀ ପକ୍ଷରୁ ଡିସେମ୍ବର ୧୧ ଓ ୧୨ ଦୁଇ ଦିନ ଧରି ଚାଲିଥିବା ଓଡ଼ିଶୀ ରାଗ ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି ଉତ୍ସବରେ ଓଡ଼ିଶା ତବଲା ଜଗତର ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ୱ ଗୁରୁ ପଣ୍ଡିତ ଉମେଶ ଚନ୍ଦ୍ର କରଙ୍କୁ ‘ଗୁରୁ ସିଂହାରୀ ସମ୍ମାନ’, ସ୍ୱନାମଧନ୍ୟ ନୃତ୍ୟକଳା ସାଧିକା ଅଲୋକା କାନୁନଗୋଙ୍କୁ ‘ଭଗବତୀ ସ୍ମୃତି ସମ୍ମାନ’, ସୁପରିଚିତ ନୃତ୍ୟାଙ୍ଗନା ମଧୁସ୍ମିତା ମହାନ୍ତିଙ୍କୁ ‘ଗୁରୁ ଗୋପାଳ ପଣ୍ଡା ଯୁବ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା।

ଦ୍ୱିତୀୟ ସନ୍ଧ୍ୟାରେ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ ଚେନ୍ନାଇର କର୍ଣ୍ଣାଟକୀ ଗାୟକ ସିକିଲ.ସି ଗୁରୁଚରଣ ଓ ସାଥୀ। ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ପରିବେଷଣ କରିଥିଲେ ଭୁବନେଶ୍ୱରର ଗାୟକ ଅମିତ ରଥ ଓ ସାଥୀ।

‘‘ଓଡ଼ିଶୀ ରାଗ ଓ ରାଗିଣୀକୁ ଲୋକ ଲୋଚନକୁ ଆଣି, ଦେଶ ବିଦେଶରେ ଉପସ୍ଥାପନ କରିବା ଲକ୍ଷ୍ୟରେ ଗୁରୁ ଗୋପାଳ ପଣ୍ଡା ରାଗ ମହୋତ୍ସବ ଆୟୋଜିତ ହେଉଛି। ଗୀତ, ବାଦ୍ୟ, ନୃତ୍ୟ ଏହି ତିନୋଟି ଯାକ ଜିନିଷକୁ ଗୋଟିଏ ମଞ୍ଚରେ ଉପସ୍ଥାନ କରିବା ହିଁ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ’’, କହିଥିଲେ ଗୁରୁ ଗୋପାଳ ପଣ୍ଡାଙ୍କ ସୁପୁତ୍ରୀ ସଙ୍ଗୀତା ପଣ୍ଡା।

ଶେଷ ପର୍ଯ୍ୟାୟରେ ଓଡ଼ିଶୀ ନୃତ୍ୟ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହାକୁ ପ୍ରସ୍ତୁତ କରିଥିଲେ ବିଖ୍ୟାତ ନୃତ୍ୟଗୁରୁ ଗଜେନ୍ଦ୍ର କୁମାର ଓ ତାଙ୍କ ଶିଷ୍ୟ। ସେ ପରିବେଷଣ କରିଥିଲେ ଗୁରୁ ଗୋପାଳ ପଣ୍ଡାଙ୍କ ତତ୍ତ୍ୱବଧାନରେ ତାଙ୍କ ସୁପୁତ୍ରୀ ସଙ୍ଗୀତା ପଣ୍ଡାଙ୍କ ଦ୍ୱାରା ସଂଯୋଜିତ ମଧୁଶ୍ରୀ ପଲ୍ଲବୀ ଓ ଅଭିନୟ ମହାଲଷ୍ମୀଷ୍ଟକମ୍‌।

ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ଅଭିଯାନ ଅଧ୍ୟକ୍ଷା ସୁସ୍ମିତା ବାଗଚୀ, ସଂସ୍କୃତି ବିଶ୍ୱବିଦ୍ୟାଳୟ, ତିରୁପତି ତଥା କିସ୍‌ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ହରେକୃଷ୍ଣ ଶତପଥୀ, ବିଶିଷ୍ଟ ସାହିତ୍ୟିକ, ଲେଖକ ତଥା ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମିର ଉପସଭାପତି ଶାନ୍ତନୁ କୁମାର ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରଥମ ସନ୍ଧ୍ୟାରେ ବୃନ୍ଦ ଓଡ଼ିଶୀ ଗାୟନ ସହ ଗୁରୁ ରାମାରାଓ ପାତ୍ରଙ୍କର ଓଡ଼ିଶୀ ବୀଣା ବାଦନ, ଗୁରୁ କାଳିନ୍ଦୀ ଚରଣ ବେହେରାଙ୍କ ବୃନ୍ଦ ମର୍ଦ୍ଦଳ ବାଦନ ଏବଂ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଗ୍ରୁପ୍ ପକ୍ଷରୁ ଓଡ଼ିଶୀ ନୃତ୍ୟ ଇତ୍ୟାଦି ମଞ୍ଚସ୍ଥ ହେବ। ଏଥିସହିତ ଉତ୍ସବରେ ଓଡ଼ିଶୀ ରାଗ ରତ୍ନାବଳି ସିଡିର ପାର୍ଟ-୬ ଉନ୍ମୋଚିତ ହୋଇଥିଲା।

ଅଗ୍ରଣୀ ଡିଜିଟାଲ ମିଡିଆ କମ୍ପାନି ‘ଓଡ଼ିଶାଲାଇଭ୍’ ଏହି ମହୋତ୍ସବର ଓ୍ଵେବ୍ ପାର୍ଟନର ରହିଥିଲା।

Comment