ଓଡ଼ିଶାଲାଇଭ୍ ବ୍ୟୁରୋ

  • ଆରମ୍ଭ ହେଲା ‘ଓଡ଼ିଶୀ ରାଗ ମହୋତ୍ସବ’
  • ‘ଓଡ଼ିଶୀ ରାଗ ମହୋତ୍ସବ’ ହେଉଛି ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମିର ଷଷ୍ଟ ସଂସ୍କରଣ
  • ଓଡ଼ିଶୀ ରାଗ ରତ୍ନାବଳୀର ୪ର୍ଥ ଭାଗର ସିଡି ଉନ୍ମୋଚିତ

ଓଡ଼ିଶୀ ସଙ୍ଗୀତର ସ୍ୱତନ୍ତ୍ର ଶାସ୍ତ୍ରୀୟତା ପ୍ରମାଣ ଦିଗରେ ମୌଳିକ ଲକ୍ଷ ନେଇ କାର୍ଯ୍ୟ କରିଆସୁଥିବା ଗୁରୁ ଗୋପାଳ ପଣ୍ଡା ଏକାଡେମି ପକ୍ଷରୁ ଭୁବନେଶ୍ୱରସ୍ଥିତ ରବିନ୍ଦ୍ର ମଣ୍ଡପରେ ‘ଓଡ଼ିଶୀ ରାଗ ମହୋତ୍ସବ’ ୨୦୧୮ ର ପ୍ରଥମ ସନ୍ଧ୍ୟା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ସମସ୍ତ ସଙ୍ଗୀତ, ନୃତ୍ୟ ଗୁରୁ ଗୋପାଳ ପଣ୍ଡାଙ୍କର ଗବେଷଣାତ୍ମକ ପାରମ୍ପରିକ ରାଗରାଗିଣୀ ଉପରେ ଆଧାରିତ।

‘ଓଡ଼ିଶୀ ରାଗ ମହୋତ୍ସବ’ରେ ଗୁରୁ ଗୋପାଳ ପଣ୍ଡାଙ୍କର ଛାତ୍ରଛାତ୍ରୀମାନେ ରାଗ ଗୌଡ଼ୀରେ ବୃନ୍ଦ ଗାୟନ, ଗୁରୁ ସଚ୍ଚିଦାନନ୍ଦ ଦାସଙ୍କ ଏକକ ମର୍ଦ୍ଦଳ ବାଦନ ପରିବେଶଣ କରିଥିଲେ। ଏହାପରେ ପଦ୍ମଶ୍ରୀ ରାମଲି ବିନ୍ ଇବ୍ରାହମ୍ ଓ ଶିଷ୍ୟା ଗୀତିକା ଶ୍ରୀଙ୍କ ଦ୍ୱାରା ଲକ୍ଷ୍ମୀ ନାରାୟଣ ବନ୍ଦନା ଓ ରସମଞ୍ଜରୀ ପଲ୍ଲବୀ ଓଡ଼ିଶୀ ନୃତ୍ୟ ଦର୍ଶକଙ୍କ ମନ ମୋହିନେଇଥିଲା।

ଷଷ୍ଟ ବାର୍ଷିକ ‘ଓଡ଼ିଶୀ ରାଗ ମହୋତ୍ସବ’ ହେଉଛି ଗୁରୁ ଗୋପାଳ ପଣ୍ଡା ଓଡ଼ିଶୀ ଏକାଡେମିର ଏକ ଅଭିନବ ପ୍ରୟାସ। ଏହି ମାଧ୍ୟମରେ ଓଡ଼ିଶୀ ସଙ୍ଗୀତର ୮ଗୋଟି ନିଜସ୍ୱ ଶାସ୍ତ୍ର ଆଧାରିତ ତଥା ପାରମ୍ପରିକ ରାଗକୁ ନେଇ ଏକାଡେମି ପକ୍ଷରୁ ପ୍ରସ୍ତୁତ ସିଡ଼ି ‘ଓଡ଼ିଶୀ ରାଗ ରତ୍ନାବଳୀ’ର ୪ର୍ଥ ଭାଗ ଉନ୍ମୋଚିତ ହୋଇଛି।

‘ଓଡ଼ିଶୀ ରାଗ ମହୋତ୍ସବ’ର ପ୍ରଥମ ସନ୍ଧ୍ୟାରେ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି କମଳ କୁମାର ମିଶ୍ର, ଓଡ଼ିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ବିଜୟ ନାୟକ, ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟନିବାହୀ ଅଧିକାରୀ ସଙ୍ଗୀତା ଗୋସାଇଁ ପ୍ରମୁଖ ଉପସ୍ଥିତ ଥିଲେ।

ଶନିବାର ଏହାର ଦ୍ୱିତୀୟ ସନ୍ଧ୍ୟା ହେବ। ଶନିବାର ସନ୍ଧ୍ୟାରେ ହିନ୍ଦୁସ୍ଥାନୀ, ଓଡ଼ିଶୀ ଏବଂ କର୍ଣ୍ଣାଟକୀର ଟ୍ରାୟୋ ଏବଂ ନୃତ୍ୟ ପରିବେଷଣ ହେବ।

‘ଓଡ଼ିଶୀ ରାଗ ମହୋତ୍ସବ’ରେ ଓଡ଼ିଶାଲାଇଭ୍ ମିଡିଆ ଡିଜିଟାଲ ପାର୍ଟନର ରହିଛି।

Comment