ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ପଞ୍ଚାୟତ ନିର୍ବାଚନର ରୂପରେଖ ବଦଳିବାକୁ ଯାଉଛି। ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହଟିବା ପରେ ବିରୋଧୀଙ୍କ ବିରୋଧ ସ୍ଵର ଦୃଢ଼ ହେବାରେ ଲାଗିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓବିସି ସିଟଗୁଡ଼ିକ ଅଣସଂରକ୍ଷିତ ସିଟକୁ ବଦଳିଯିବ ବୋଲି ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ କହିଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ବିଜେପି ଓ କଂଗ୍ରେସ।

ରାଜ୍ୟ ସରକାର ଓବିସି ସଂରକ୍ଷଣ ବିରୋଧୀ। ପଞ୍ଚାୟତ ନିର୍ବାଚନ ପାଇଁ ଓବିସି ବର୍ଗଙ୍କ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାରଙ୍କର ଆନ୍ତରିକତା ଦେଖିବାକୁ ମିଳୁନାହିଁ। ଦୀର୍ଘ ଦିନ ଧରି ଓବିସିଙ୍କ ପାଇଁ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ବ୍ୟବସ୍ଥା ନିମନ୍ତେ ଆବେଦନ ସର୍ବୋଚ୍ଚ ନ୍ୟାୟାଳୟରେ ପଡ଼ିରହିଛି। ମଧ୍ୟ ପ୍ରଦେଶ ରିଭ୍ୟୁ ପିଟିସନ କରିବାକୁ ଯାଉଥିବା ବେଳେ ରାଜ୍ୟ ସରକାର କାହିଁକି ସର୍ବୋଚ୍ଚ ନ୍ୟାୟାଳୟକୁ ଯାଉନାହାନ୍ତି ବୋଲି ଟୁଇଟ କରି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଟୁଇଟ କରି ଧର୍ମେନ୍ଦ୍ରଙ୍କ ପ୍ରଶ୍ନର କଡ଼ା ଜବାବ ଦେଇଛନ୍ତି ବିଧାୟକ ପ୍ରଣବ ପ୍ରକାଶ ଦାସ। ସେ ଧର୍ମେନ୍ଦ୍ରଙ୍କୁ ଭାଇ ବୋଲି ସମ୍ବୋଧନ କରି ପାଲଟା ପ୍ରଶ୍ନ କରିଛନ୍ତି ଆପଣଙ୍କ ଦଳ ଗତ ସାଢ଼େ ୭ ବର୍ଷ ହେଲା କ୍ଷମତାରେ ରହିଛି। ଓବିସି ସଂରକ୍ଷଣ କେବେ ପ୍ରାଥମିକତା ପାଇଛି କି? ଭାରତରେ ଓବିସି ସଂରକ୍ଷଣ ସୁନିଶ୍ଚିତ କରିବା ପାଇଁ ଆପଣ କାହିଁକି କେନ୍ଦ୍ରୀୟ ଆଇନ ଆଣି ସୁପ୍ରିମକୋର୍ଟରେ ଆବେଦନ କରୁନାହାନ୍ତି?

‘‘ଓବିସିଙ୍କ ପ୍ରତି ଆପଣ ଓ ଆପଣଙ୍କ ସରକାରଙ୍କ ପ୍ରତିବଦ୍ଧତାର ଆତ୍ମ ସମୀକ୍ଷା କରନ୍ତୁ। ମୋର ଅନୁରୋଧ ଦୟାକରି ରାଜନୀତି କରିବା ବନ୍ଦ କରନ୍ତୁ। ଦେଶ ଜାଣିଛି ମଧ୍ୟପ୍ରଦେଶରେ ସରକାର କେମିତି ଗଠନ ହୋଇଛି। ଆମେ ଓଡ଼ିଶାରେ ଜନମତ ପାଇଛୁ। ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୪୦ ପ୍ରତିଶତ ସଂରକ୍ଷଣ ଦେବାକୁ ବିଜେଡି ପ୍ରତିଶ୍ରୁତିବଦ୍ଧ। ଆମେ ୫୦ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ଯାଇପାରୁ। ବିଜେଡିରେ ସଂରକ୍ଷିତ ଟିକେଟ ପାଇଥିବା ଓବିସି ପ୍ରାର୍ଥୀଙ୍କ ନାମ ତାଲିକାକୁ ସର୍ବସାଧାରଣରେ ପ୍ରକାଶ କରିବୁ। ବିଜେପିରେ ମଧ୍ୟ ଏହି ପଦକ୍ଷେପ ନେବା ପାଇଁ ଆପଣଙ୍କୁ ନିବେଦନ କରୁଛୁ,’’ ସେ କହିଥିଲେ।

ପଛୁଆ ବର୍ଗଙ୍କ ପାଇଁ ସ୍ଥାନ ସଂରକ୍ଷଣ ନରହି ଏବେ ଏହା ଅଣସଂରକ୍ଷିତ ବର୍ଗରେ ରହିବ। ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବିଜ୍ଞପ୍ତି ପ୍ରତ୍ୟାହାର ନେଇ ରାଜ୍ୟ ସରକାର ହାଇକୋର୍ଟକୁ ଜଣାଇଛନ୍ତି। ଆସନ୍ତା ୨୭ ତାରିଖରେ ସଂରକ୍ଷଣର ସାନି ତାଲିକା ପ୍ରକାଶ ପାଇବ। ଏନେଇ ପଞ୍ଚାୟତିରାଜ ବିଭାଗ ଜିଲ୍ଲାପାଳମାନଙ୍କୁ ଜଣାଇଛନ୍ତି। ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ହଟିବା ପରେ ଅଣସଂରକ୍ଷିତ ସିଟ୍ ସଂଖ୍ୟା ବୃଦ୍ଧି ପାଇବ। ନୂତନ ତାଲିକା ପରେ ମୋଟ ୯୧ ହଜାର ୯୧୩ଟି ଓ୍ଵାର୍ଡ ମଧ୍ୟରୁ ୨୫ହଜାର ୫୫୨ଟି ଓ୍ଵାର୍ଡ ଅଣସଂରକ୍ଷିତ ବର୍ଗଙ୍କ ପାଇଁ ରହିବ। ଏହା ସହ୨୫ ହଜାର ୯୯ଟି ଓ୍ଵାର୍ଡ ମହିଳାଙ୍କ ନିମନ୍ତେ ସଂରକ୍ଷିତ ରହିବ।

ସରପଞ୍ଚଙ୍କ କ୍ଷେତ୍ରରେ ୧୬ଶହ ୩୧ଟି ଅଣସଂରକ୍ଷିତ ଓ ୧୫ଶହ ୯୯ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବାର ସମ୍ଭବନା ରହିଛି। ସମିତି ସଭ୍ୟଙ୍କ କ୍ଷେତ୍ରରେ ୧୯ଶହ ୧୬ଟି ଅଣସଂରକ୍ଷିତ ଓ ୧୮ଶହ ୨୩ଟି ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିବାର ସମ୍ଭାବନା ରହିଛି। ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୫୬ଟି ଅଣସଂରକ୍ଷିତ ଓ ୨୩୧ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିବାର ସମ୍ଭାବନା ରହିଛି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ ୨୭ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିବା ବିଜେଡି ପକ୍ଷରୁ କୁହାଯାଇଛି।

Comment