ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗକୁ ରାଜ୍ୟରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। କିନ୍ତୁ ଯେଉଁଭଳି ଭାବରେ କରୋନା ସଂକ୍ରମଣ ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ଏହାକୁ ନେଇ ଚିନ୍ତା ବଢ଼ିଛି। ଏହି ପରିସ୍ଥିତିରେ ନିର୍ବାଚନ କିପରି କରାଯିବ ସେ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି। ଏହି ଅବସରରେ କୋଭିଡ ସ୍ଥିତି ସମ୍ପର୍କରେ ରାଜ୍ୟ ସରକାର ନିର୍ବାଚନ ଆୟୋଗଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଏହାକୁ ଆଧାର କରି ଆଗାମୀ ପଞ୍ଚାୟତ ନିର୍ବାଚନ ଉପରେ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ି ସୂଚନା ଦେଇଛନ୍ତି।

ପଞ୍ଚାୟତ ନିର୍ବାଚନ ସମୟରେ ମତଦାତା, ବିଭିନ୍ନ ଦଳର ପ୍ରାର୍ଥୀ, ନିର୍ବାଚନ ପରିଚାଳନା ଦାୟିତ୍ଵଥିବା କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକ ଦିଆଯିବା ଉପରେ ବୈଠକରେ ଆଲୋଚନା ହୋଇଥିଲା। କୋଭିଡ ପରିସ୍ଥିତିକୁ ଦେଖି ନିର୍ବାଚନ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି।

ବୈଠକରେ ରାଜ୍ୟରେ ବଢ଼ୁଥିବା କରୋନାର ସ୍ଥିତି, ଟିକାକରଣ, ସମ୍ମୁଖ ଯୋଦ୍ଧା ଓ ବହୁବିଧ ରୋଗୀଙ୍କୁ ବୁଷ୍ଟର ଡୋଜ ଉପରେ ଆଲୋଚନା କରାଯାଇଛି। କୋଭିଡ ସ୍ଥିତି ସମ୍ପର୍କରେ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଛି। ପଞ୍ଚାୟନ ନିର୍ବାଚନ ଉପରେ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ଼ ନିୟମକୁ କଡ଼ାକଡ଼ି କରାଯାଇଛି। ଆସନ୍ତା ଫେବ୍ରୁଆରି ମାସ ବେଳକୁ ଏହା ଶୀର୍ଷରେ ପହଞ୍ଚିବାର ଆଶଙ୍କା ରହିଛି। ପରିସ୍ଥିତିକୁ ସମୀକ୍ଷା କରି ପଞ୍ଚାୟନ ନିର୍ବାଚନ ପାଇଁ ଗାଇଡ଼ ଲାଇନ ଜାରି କରାଯିବ ବୋଲି ଏସ୍ଆରସି କହିଛନ୍ତି। ବୈଠକରେ ମୁଖ୍ୟ ଶାସନ ସଚିବ, ସ୍ଵତନ୍ତ୍ର ରିଲିଫ କମିଶନର ଏବଂ ସ୍ଵାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Comment