ଓଡ଼ିଶାଲାଇଭ୍ ବ୍ୟୁରୋ

  • ରାଲି ଓ ରୋଡ ସୋ’ ପ୍ରଚାର ଉପରେ କଟକଣା
  • କୋଭିଡ ପଜିଟିଭ ପ୍ରାର୍ଥୀ କରିପାରିବେନି ପ୍ରତ୍ୟକ୍ଷ ପ୍ରଚାର
  • ସର୍ବାଧିକ ୫ ଜଣଙ୍କ ସହ ପ୍ରଚାର କରିପାରିବେ ପ୍ରାର୍ଥୀ

ରାଜ୍ୟରେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନୂଆ ଗାଇଡ ଲାଇନ ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା। ନୂଆ ଗାଇଡଲାଇନ ଅନୁସାରେ ପ୍ରାର୍ଥୀ କିମ୍ବା କୌଣସି ରାଜନୈତିକ ଦଳମାନେ ରୋଡ୍ ସୋ’, ପଦଯାତ୍ରା, ସାଇକେଲ, ବାଇକ୍ କିମ୍ବା ଅନ୍ୟ ଶୋଭାଯାତ୍ରା କରି ପ୍ରଚାର କରିପାରିବେ ନାହିଁ। କୋଭିଡ଼ ପଜିଟିଭ ଥିବା ପ୍ରାର୍ଥୀ ପ୍ରତ୍ୟକ୍ଷ ପ୍ରଚାର ନକରି କେବଳ ସୋସିଆଲ ମିଡିଆରେ ହିଁ ପ୍ରଚାର କରିବାକୁ ଅନୁମତି ରହିଛି।

ପ୍ରାର୍ଥୀମାନେ ଅତି ବେଶିରେ ୫ ଜଣ ଲୋକଙ୍କ ସହ ଘରକୁ ଘର ବୁଲି ପ୍ରଚାର କରିପାରିବେ। ଏହି ସମୟରେ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ କୋଭିଡ ସଂକ୍ରମଣ ହାର ବଢ଼ୁଥିବାରୁ ଏହି ସମୟରେ ୫ ଜଣଙ୍କୁ ଅଧିକ ବ୍ୟକ୍ତିଙ୍କୁ ଏକାଠି ହେବାକୁ ମନା କରାଯାଇଛି। ତେଣୁ କୌଣସି ବଡ଼ ସମାବେଶ ହୋଇପାରିବ ନାହିଁ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

ଜାନୁଆରି ୧୩ ତାରିଖ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ୧୭ରୁ ୨୧ ତାରିଖ ମଧ୍ୟରେ ନାମାଙ୍କନପତ୍ର ଦାଖଲ କରାଯିବ। ୨୨ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ, ୨୫ ତାରିଖରେ ପ୍ରାର୍ଥିପତ୍ର ପ୍ରତ୍ୟାହର ଓ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଫେବ୍ରୁଆରି ମାସରେ ଗୋଟିଏ ଗୋଟିଏ ଦିନ ବ୍ୟବଧାନରେ ଭୋଟ ଗ୍ରହଣ କରାଯିବ। ଅର୍ଥାତ୍ ଫେବ୍ରୁଆରି ୧୬, ୧୮, ୨୦, ୨୨ ଏବଂ ୨୪ ତାରିଖରେ ମତଦାନ କରାଯିବ। ଫେବ୍ରୁଆରି ୧୬ ତାରିଖରେ ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ, ୧୮ ତାରିଖରେ ୬୮ଟି ବ୍ଲକର ୧୮୬ଟି ଜିଲ୍ଲାପରିଷଦ ଜୋନ, ୨୦ ତାରିଖରେ ୬୩ଟି ବ୍ଲକର ୧୭୧ଟି ଜୋନ୍, ୨୨ ତାରିଖରେ ୬୪ଟି ବ୍ଲକର ୧୬୩ଟି ଜୋନ ଏବଂ ୨୪ ତାରିଖରେ ୪୮ଟି ବ୍ଲକର ୧୩୧ଟି ଜିଲ୍ଲା ପରିଷଦ ଜୋନ ଏବଂ ଏହା ଅଧିନରେ ଥିବା ଓ୍ଵାର୍ଡ ତଥା ପଞ୍ଚାୟତଗୁଡ଼ିକରେ ମତଦାନ କରାଯିବ।

Comment