ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ଵର ମହାନଗର ନିଗମ(ବିଏମସି)ର ମେୟର ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ନେଇ ଗୃହ ଏବଂ ନଗର ଉନ୍ନୟନ ବିଭଗ ପକ୍ଷରୁ ଚିଠା ବିଜ୍ଞପ୍ତି ପ୍ରକାଶ ପାଇଛି। ଏ ନେଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ମେୟର ଗାଦିରେ କିଏ ବସିବ ସେ ନେଇ ଚର୍ଚ୍ଚା ଆରମ୍ଭ ହେଲାଣି। ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ନିଜ ନିଜର ନେତ୍ରୀଙ୍କୁ ନେଇ ଆଲୋଚନା ଆରମ୍ଭ କଲେଣି। କିଏ ହେବ ଭୁବନେଶ୍ଵର ମହାନଗର ନିଗମର ପ୍ରଥମ ମହିଳା ମେୟର। ଏହି ଦୌଡ଼ରେ ବିଜେଡି, ବିଜେପି ଏବଂ କଂଗ୍ରେସ ଦଳର କେଉଁ ନେତ୍ରୀମାନେ ସାମିଲ ହେବାକୁ ଯାଉଛନ୍ତି ତାହାକୁ ନେଇ ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି।

ଭୁବନେଶ୍ଵର ମହାନଗର ନିଗମ ଗଠନ ହେବାଠାରୁ କୌଣସି ମହିଳା ମେୟର ହୋଇନାହାନ୍ତି। ଚଳିତ ଥର ଭୁବନେଶ୍ଵର ଦେଖିବାକୁ ଯାଉଛି ପ୍ରଥମ ମହିଳା ମେୟର। ୨୦୦୩ ମସିହାରେ ଭୁବନେଶ୍ଵର ମହାନଗର ନିଗମ ପାଇଁ ହୋଇଥିବା ନିର୍ବାଚନରେ ବିଜେଡି-ବିଜେପି ମେଣ୍ଟ ବହୁମତ ପାଇଥିଲା। ତେଣୁ ମେୟର ପଦବୀ ବିଜେପି ଭାଗରେ ପଡ଼ିଥିଲା। ଫଳରେ ବିଏମସିର ପ୍ରଥମ ମେୟର ହୋଇଥିଲେ ତତ୍କାଳୀନ ବଜେପି ନେତା ମିହିର ମହାନ୍ତି। 

ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରେ ୨୦୦୯ ମସିହାରେ ପୁଣି ହୋଇଥିଲା ଭୁବନେଶ୍ଵର ମହାନଗର ନିଗମ ପାଇଁ ନିର୍ବାଚନ। ଏଥିରେ ବିଜେଡି-ବିଜେପି ଅଲଗା ଅଲଗା ହୋଇ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚରେ ବିଜେଡି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିଲା। ଫଳରେ ବିଜେଡିରୁ ଅନନ୍ତ ନାରାୟଣ ଜେନା ମେୟର ପଦବୀ ହାତେଇ ଥିଲେ। ଅନନ୍ତଙ୍କ ହାତରେ ଦୁଇ ଦୁଇ ଥର ବିଏମସିର ମେୟର ପଦବୀ ରହିଥିଲା।

ତେବେ ୨୦୧୯ ମସିହାରେ ବିଭିନ୍ନ ପୌରପାଳିକାରେ ନିର୍ବାଚିତ ପ୍ରତିନିଧିମାନଙ୍କର କାର୍ଯ୍ୟକାଳ ସରିଥିଲେ ମଧ୍ୟ ନିର୍ବାଚନ ହୋଇପାରିନଥିଲା। ତେଣୁ ତିନିବର୍ଷ ପରେ ପୌର ନିର୍ବାଚନ କରିବା ପାଇଁ ସରକାର ଏବେ ଅଣ୍ଟା ଭିଡ଼ିଛନ୍ତି। ଭୁବନେଶ୍ଵର ଭଳି ଏକ ଗୁରୁତ୍ଵପୂର୍ଣ୍ଣ ସହରରେ ପ୍ରଥମ ଥର ପାଇଁ ମେୟର ପଦବୀ ମହିଳାମାନଙ୍କ ଲାଗି ସଂରକ୍ଷିତ ରହିଛି। ଭୁବନେଶ୍ଵର ମେୟର ପଦବୀ ହାତେଇବା ପାଇଁ ବିଭିନ୍ନ ଦଳର ନେତ୍ରୀମାନଙ୍କ ଲମ୍ବା ରେସ୍ ଦେଖିବାକୁ ମିଳୁଛି।

କିଏ ରହିଛନ୍ତି ମେୟର ପାଇଁ ଆଶାୟୀ ?

ବିଏମସି ମହିଳା ମେୟର ଦୌଡ଼ରେ ଶାସକ ବିଜେଡି ପକ୍ଷରୁ ଓଟିଡିସି ଚେୟାରମ୍ୟାନ ଶ୍ରୀମୟୀ ମିଶ୍ରଙ୍କ ନାଁ ଆଗରେ ରହିଛି। ଏହା ସହ ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ବିଜେଡି ମୁଖପାତ୍ର ସୁଲତା ଦେଓ, କାଦମ୍ବିନୀର ସମ୍ପାଦିକା ଇତିରାଣୀ ସାମନ୍ତ, କିନ୍ନର ମହାସଂଘର ସଭାନେତ୍ରୀ ମୀରା ପରିଡ଼ା, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ମିଶନ ଶକ୍ତି ପରମର୍ଶଦାତା ତଥା ବିଜେଡି ସାଧାରଣ ସମ୍ପାଦକ ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନାଁ ଚର୍ଚ୍ଚାକୁ ଆସିଛି।

ସେହିପରି ବିଜେପି ପକ୍ଷରୁ ଦଳର ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏବଂ ଅଭିନେତ୍ରୀ ତଥା ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ଅନୁ ଚୌଧୁରୀଙ୍କ ନାଁ ଚର୍ଚ୍ଚା ହେଉଛି। କଂଗ୍ରେସ ଦଳ ପକ୍ଷରୁ ରଶ୍ମି ମହାପାତ୍ର ମେୟର ପ୍ରାର୍ଥୀ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।

ଶ୍ରୀମୟୀଙ୍କୁ ନେଇ ବଡ଼ ଚର୍ଚ୍ଚା

ରାଜଧାନୀ ରାଜନୀତିରେ ଓଟିଡିସିର ଚେୟାରମ୍ୟାନ ଶ୍ରୀମୟୀ ମିଶ୍ର ସକ୍ରିୟ ରହିଛନ୍ତି। ଶ୍ରୀମୟୀ ଶାସକ ଦଳର ଜଣେ ଲୋକପ୍ରିୟ ନେତ୍ରୀ ମଧ୍ୟ। ଦଳ ପକ୍ଷରୁ ଶ୍ରୀମୟୀଙ୍କୁ ଭୁବନେଶ୍ଵରରେ ବିଭିନ୍ନ କାର୍ଯ୍ୟକ୍ରମ କରିବାକୁ ପରାମର୍ଶ ଦିଆଯାଇଛି। ପଶ୍ଚିମ ଓଡ଼ିଶାର ଗଣପର୍ବ ଉପଲକ୍ଷେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ଓଟିଡିସି ତରଫରୁ ନୂଆଖାଇ ଅଭିନନ୍ଦନ ହୋର୍ଡିଂ ଲଗାଇ ଚର୍ଚ୍ଚାର ପରିସରକୁ ଆସିଥିଲେ ଶ୍ରୀମୟୀ। ବିଭିନ୍ନ ସ୍ଥାନରେ ଶ୍ରୀମୟୀଙ୍କର ପୋଷ୍ଟର ମଧ୍ୟ ଦେଖିବାକୁ ମିଳୁଛି। ଦଳରେ ଶ୍ରୀମୟୀ ବେଶ୍ ସକ୍ରିୟ ରହିଛନ୍ତି। ଅନ୍ୟ ପକ୍ଷରେ ଦଳ ତାଙ୍କୁ ଯେଉଁ ଦାୟିତ୍ଵ ଦେବ ସେ ତୁଲାଇବେ ବୋଲି ଶ୍ରୀମୟୀ କହିଛନ୍ତି। ତାଙ୍କର ତୃତୀୟ ମହଲା ଏବଂ ପ୍ରଶାସନିକ ସ୍ତରରେ ସୁସମ୍ପର୍କ ରହିଛି। ଶାସକ ଦଳର ବହୁ ତୁଙ୍ଗନେତା ତାଙ୍କ ପାଇଁ ଲବି କରିପାରନ୍ତି ବୋଲି ଆଶା କରାଯାଉଛି।

ମେୟର ଦୌଡ଼ରେ ସାମିଲ ହୋଇପାରନ୍ତି ବିଜେଡ଼ିର ଚର୍ଚ୍ଚିତ ଚେହେରା

ବିଏମସି ମେୟର ଆସନ ପାଇଁ ବିଜେଡି କାହାକୁ ପ୍ରାର୍ଥୀ କରିବ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଥିବାବେଳେ ମେୟର ପ୍ରାର୍ଥୀ ପାଇଁ ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗଚୀଙ୍କ ନାଁ ମଧ୍ୟ ଚର୍ଚ୍ଚାକୁ ଆସିଛି। ସୁସ୍ମିତା ମୋ ସ୍କୁଲ ଭଳି ଅନୁଷ୍ଠାନର ଦାୟିତ୍ଵ ଭାର ସଫଳତାର ସହ ତୁଲାଇ ଆସୁଛନ୍ତି। ଜଣେ ସୁଲେଖିକା ଭାବରେ ତାଙ୍କର ବେଶ୍ ନାଁ ରହିଛି। ତାଙ୍କର ଦକ୍ଷତା ଏବଂ କର୍ମନିଷ୍ଠା ପାଇଁ ଦଳ ପକ୍ଷରୁ ମେୟର ପ୍ରାର୍ଥୀ ପାଇଁ ତାଙ୍କ ନାଁ ସୁପାରିଶ କରାଯାଇପାରେ ବୋଲି ଆଶା କରାଯାଉଛି।

ସେହିପରି ବିଜେଡି ମୁଖପାତ୍ର ସୁଲତା ଦେଓ ଦଳ ପକ୍ଷରୁ ମେୟର ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଦଳରେ ସେ ବେଶ୍ ସକ୍ରିୟ ରହିଛନ୍ତି। ସୁଲତାଙ୍କୁ ମେୟର ପ୍ରାର୍ଥୀ କରିବାକୁ ବହୁ ନେତା ସୁପାରିଶ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ପ୍ରକାଶିତ ପାରିବାରିକ ପତ୍ରିକା କାଦମ୍ବିନୀର ସମ୍ପାଦିକା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଭଉଣୀ ଇତିରାଣୀ ସାମନ୍ତଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ତାଙ୍କ ପତ୍ରିକା କାଦମ୍ବିନୀ ଓ କୁନିକଥା ଓଡ଼ିଶାରେ ଘରେ ଘରେ ପରିଚିତ । ସେ ଜଣେ ସୁ ଲେଖିକା , ସାମ୍ବାଦିକା ଏବଂ ସିନେମା ପ୍ରଯୋଜକ । ସେ ୨୦୧୪ ମସିହାରେ ଭଲ ଗଳ୍ପ ଲେଖିକା ଭାବେ ଓଡ଼ିଆ ଫିଲ୍ମଫେଆର ପୁରସ୍କାର ରେ ପୁରସ୍କୃତ ହୋଇଥିଲେ ।

ସେହିପରି ସିନେମା କଥାନ୍ତର ପାଇଁ ଭଲ ପ୍ରଯୋଜକ ଭାବେ ଇତିରାଣୀ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ଠାରୁ ରାଷ୍ଟ୍ରୀୟ ପୁରସ୍କାର ଗ୍ରହଣ କରିଛନ୍ତି । ବିଗତ କିଛିଦିନ ହେବ ଇତି ସୋସିଆଲ ମିଡ଼ିଆରେ ଖୁବ ସକ୍ରିୟ ଅଛନ୍ତି । ସେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ମଧ୍ୟ ଜଡ଼ିତ ଅଛନ୍ତି । ଉତ୍ତର ଭୁବନେଶ୍ୱରରେ ତାଙ୍କର ଖୁବ ଲୋକପ୍ରିୟ ଥିବାରୁ ମେୟର ପଦଵୀ ପାଇଁ ସେ ଜଣେ ପ୍ରମୁଖ ଦାବେଦାର ବୋଲି ଚର୍ଚ୍ଚା ହେଉଛି ।

ଚର୍ଚ୍ଚାରେ ମୀରା ପରିଡ଼ାଙ୍କ ନାଁ

କିନ୍ନର ମହାସଂଘର ସଭାନେତ୍ରୀ, ସାମାଜିକ କର୍ମୀ ତଥା ବିଜେଡି ନେତ୍ରୀ ମିରା ପରିଡ଼ାଙ୍କ ନାଁ ମଧ୍ୟ ମେୟର ପ୍ରାର୍ଥୀ ପାଇଁ ଚର୍ଚ୍ଚାକୁ ଆସିଛି। ଶାସକ ଦଳ ସହ ତାଙ୍କର ସୁସମ୍ପର୍କ ରହିଛି। ଦଳ ପକ୍ଷରୁ ତାଙ୍କୁ ବିଭିନ୍ନ ସମୟରେ ଗୁରୁତ୍ଵପୂର୍ଣ୍ଣ ଦିଆଯାଉଛି। ତାଙ୍କୁ କୋରପୁଟ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ଵ ଦେଇଥିଲା ବିଜେଡି। ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳ ତାଙ୍କୁ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

ଏହା ସହ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମେୟର ପ୍ରାର୍ଥୀ ହୋଇପାରିନ୍ତି ବୋଲି ଶୁଣିବାକୁ ମିଳୁଛି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମାହାନ୍ତି ଏବଂ ବର୍ଷାଙ୍କ ବିବାହ ବିବାଦ ପରେ ଅନୁଭକୁ ଅଣଦେଖା କରାଯିବା ପରି ମନେ ହେଉଛି। ଏବେ ବିଜେଡିର ଅନେକ କାର୍ଯ୍ୟକ୍ରମରେ ମଧ୍ୟ ଅନୁଭବଙ୍କୁ ଦେଖିବାକୁ ମିଳୁନାହିଁ। ଦଳ ଅନୁଭବଙ୍କୁ ଏକପାଖିଆ କରି ଏବେ ବର୍ଷାଙ୍କୁ ପ୍ରାର୍ଥୀ କରାଇବାକୁ ଯୋଜନା କରୁଛି। ବର୍ଷା ପ୍ରାର୍ଥୀ ହେଲେ ଦଳକୁ ଜଣେ ନେତ୍ରୀ ସହ ଲୋକପ୍ରିୟ ଅଭିନେତ୍ରୀ ମିଳିଯିବ ବୋଲି କୁହାଯାଉଛି।

ମିଶାନ ଶକ୍ତିର ପରାମର୍ଶଦାତା ତଥା ବିଜେଡି ସାଧାରଣ ସମ୍ପାଦିକା ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ଦଳ ମୟେର ପ୍ରାର୍ଥୀ କରିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି।

ବିଜେପିର କିଏ ହେବେ ମହିଳା ପ୍ରାର୍ଥୀ ?

ଭାରତୀୟ ଜନତା ପାର୍ଟି(ବିଜେପି) ପକ୍ଷରୁ ଦଳର ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ବିଏମସି ମେୟର ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହା ସହ ଅଭିନେତ୍ରୀ ତଥା ବିଜେପି କାର୍ଯ୍ୟକାରୀଣି ସଦସ୍ୟା ଅନୁ ଚୌଧୁରୀଙ୍କ ନାଁ ମଧ୍ୟ ମେୟର ଦୌଡ଼ରେ ସାମିଲ ହୋଇଛି। ବର୍ତ୍ତମାନ ସୁଦ୍ଧା ଦଳ ପକ୍ଷରୁ ପ୍ରାର୍ଥୀ ଚୟନ ହୋଇନାହାନ୍ତି କିମ୍ବା ଏ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଦଳ ପକ୍ଷରୁ ଯାହାକୁ ଗ୍ରୀନ୍ ସିଗନାଲ ମିଳିବ ସେ ହିଁ ପ୍ରାର୍ଥୀ ହେବେ।

ଭୁବନେଶ୍ଵର ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ଟକ୍କର ଦେବା ଭଳି ଚର୍ଚ୍ଚିତ ଚେହେର ହେଉଛନ୍ତି ବିଜେଡିର ଶ୍ରୀମୟୀ ମିଶ୍ର। ତେଣୁ ସେ ଭୁବନେଶ୍ଵର ମହାନଗର ନିଗମର ମେୟର ପ୍ରାର୍ଥୀ ହୋଇପାରନ୍ତି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି। ଶେଷ ମୁହୂର୍ତ୍ତରେ ବାଜି ପଲଟି କିଛି ବି ହୋଇପାରେ ବୋଲି କୁହାଯାଉଛି।

Comment