ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୬ ମୃତକଙ୍କ ପରିବାର ଲାଗି ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ବସ୍ ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି ମୃତକଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏଥିସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

ବାଲେଶ୍ଵର ଜିଲ୍ଲାରେ ଶନିବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌କୁ ଗୋଟିଏ କୋଇଲା ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ବସ୍‌ଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସୋର ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।ମୟୂରଭଞ୍ଜ ଉଦଳାରୁ ଏକ ଘରୋଇ ବସ୍‌ ପ୍ରାୟ ୪୫ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵର ଆସୁଥିବା ବେଳେ ବାଲେଶ୍ଵର ସୋର ନିକଟ ବିଦୁ ଛକଠାରେ ବସ୍‌ର ଦୁର୍ଘଟଣା ହୋଇଥିଲା। ଏକ କୋଇଲା ବୋଝେଇ ଟ୍ରକ ଦ୍ରୁତ ବେଗରେ ଆସି ବସ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ନିୟନ୍ତ୍ରଣ ହରାଇ ବସ୍‌ଟି ରାସ୍ତା ତଳକୁ ଖସି ପଡ଼ିଥିଲା।

ଘଟଣାସ୍ଥଳରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏଥିସହିତ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ସୋର ମେଡିକାଲକୁ ନେବାବେଳେ ଅଧାରାସ୍ତାରେ ଆଉ ୩ ଜଣ ଯାତ୍ରୀ ଆଖି ବୁଜିଥିଲେ। ବସ୍‌କୁ ଧକ୍କା ଦେବା ପରେ ଟ୍ରକଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।

Comment