ଓଡ଼ିଶାଲାଇଭ୍ ବ୍ୟୁରୋ

  • ସୋର ବିଦୁ ଛକରେ ଘଟିଲା ଦୁର୍ଘଟଣା
  • ୬ ମୃତକଙ୍କ ମଧ୍ୟରେ ଥିଲା ବର୍ଷକର ଶିଶୁ
  • ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର

ବାଲେଶ୍ଵର ଜିଲ୍ଲାରେ ଶନିବାର ଅପରାହ୍‌ଣରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍‌କୁ ଗୋଟିଏ କୋଇଲା ବୋଝେଇ ଟ୍ରକ ପଛପଟୁ ଧକ୍କା ଦେବାରୁ ବସ୍‌ଟି ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ସୋର ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।

ମୟୂରଭଞ୍ଜ ଉଦଳାରୁ ଏକ ଘରୋଇ ବସ୍‌ ପ୍ରାୟ ୪୫ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ଵର ଆସୁଥିଲା। ବାଲେଶ୍ଵର ସୋର ନିକଟ ବିଦୁ ଛକ ବସ୍ ଷ୍ଟପେଜ୍‌ରେ ଯାତ୍ରୀଙ୍କୁ ଓହ୍ଲାଇବା ପାଇଁ ଗାଡ଼ି କିଛି ସମୟ ଅଟକିଥିଲା। ଏହି ସମୟରେ ଏକ କୋଇଲା ବୋଝେଇ ଟ୍ରକ ଦ୍ରୁତ ବେଗରେ ଆସି ବସ୍‌କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ନିୟନ୍ତ୍ରଣ ହରାଇ ବସ୍‌ଟି ରାସ୍ତା ତଳକୁ ଖସି ପଡ଼ିଥିଲା।ଘଟଣାସ୍ଥଳରେ ଗୋଟିଏ ବର୍ଷକର ଶିଶୁ ସମେତ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ଏଥିସହିତ ପ୍ରାୟ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତମାନଙ୍କୁ ସୋର ମେଡିକାଲକୁ ନେବାବେଳେ ଅଧାରାସ୍ତାରେ ଆଉ ୩ ଜଣ ଯାତ୍ରୀ ଆଖି ବୁଜିଥିଲେ।

ତେବେ ବସ୍‌କୁ ଧକ୍କା ଦେବା ପରେ ଟ୍ରକଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା। ଏହାପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଥିଲେ। ଖବର ପାଇ ସୋର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment