ଓଡ଼ିଶାଲାଇଭ୍ ବ୍ୟୁରୋ

ଆଗାମୀ ତ୍ରିୟସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସବୁଆଡ଼େ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ନିର୍ବାଚନ ଲଢ଼ିବା ପାଇଁ ବହୁ ପୁରୁଣା ଓ ନୂଆ ଚେହେରା ରାଜନୀତିକୁ ଆସିଛନ୍ତି। ଏବେ ବିଭିନ୍ନ ପଞ୍ଚାୟତରେ ଏକାଠି ଲଢ଼ିବାକୁ ସ୍ଵାମୀ-ସ୍ତ୍ରୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

ସ୍ତ୍ରୀ ଜିଲ୍ଲା ପରିଷଦ-ସ୍ଵାମୀ ସମିତି ସଭ୍ୟ

ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିଶ୍ଚିତକୋଇଲି ବ୍ଲକର ୨୬ନଂ ଜିଲ୍ଲା ପରିଷଦ ଜୋନରେ ସ୍ଵାମୀ-ସ୍ତ୍ରୀ ନିର୍ବାଚନ ମିଇଦାନକୁ ଓହ୍ଲାଇଛନ୍ତି। ୨୬ ନଂ ଜୋନ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ପାଇଁ ବିଜୟଲକ୍ଷ୍ମୀ ବେହେରା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ବିଜୟଲକ୍ଷ୍ମୀଙ୍କ ସ୍ଵାମୀ କୈଳାସ ଚନ୍ଦ୍ର ବେହେରା କଟିକଟା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ହୋଇଛନ୍ତି।

ସ୍ଵାମୀ ସରପଞ୍ଚ-ସ୍ତ୍ରୀ ସମିତି ସଭ୍ୟ ପ୍ରାର୍ଥୀ

ନରସିଂହପୁର ବ୍ଲକ ଅନ୍ତର୍ଗତ ବାସେଳିହତା ପଞ୍ଚାୟତରେ ନିର୍ବାଚନକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସହ ଦେଖିବାକୁ ମିଳିଛି। ଚଳିତ ଥର ପୂର୍ବତନ ସରପଞ୍ଚ କଳିଙ୍ଗ କେଶରୀ ମହାଳିକ ସରପଞ୍ଚ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ତାଙ୍କ ସ୍ତ୍ରୀ ସୂର୍ଯ୍ୟସ୍ନାତା ମହାଳିକ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପଞ୍ଚାୟତର ବିକାଶ ଉଦ୍ଦେଶ୍ୟରେ ପୁନର୍ବାର ସରପଞ୍ଚ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଳିଙ୍ଗ କେଶରୀ। କଳିଙ୍ଗଙ୍କ ପତ୍ନୀ ସୂର୍ଯ୍ୟସ୍ନାତା ଫୁଲପଡ଼ା ଓ ଅଲରା ପଞ୍ଚାୟତ ପାଇଁ ସମିତି ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଗୋଟିଏ ପଦବୀ ଉପରେ ପତି-ପତ୍ନୀଙ୍କ ନଜର

ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଜାମୁନାଳି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ଭାବେ ପତି-ପତ୍ନୀ ପରସ୍ପର ବିରୋଧରେ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ବସନ୍ତ ପ୍ରଧାନ ଏବଂ ତାଙ୍କ ପତ୍ନୀ ସୂର୍ଯ୍ୟଲତା ପ୍ରଧାନ ଉଭୟ ସରପଞ୍ଚ ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଗୋଟିଏ ପଦବୀ ଉପରେ ଉଭୟ ପତି-ପତ୍ନୀଙ୍କ ନଜର ରହିଛି। କିଏ ହାତେଇବ ସରପଞ୍ଚ ପଦବୀ ଆଗାମୀ ଦିନରେ ଜଣାପଡ଼ିବ।

କୁକୁଡ଼ାଖଣ୍ଡି ବ୍ଲକର ରୋହିଗାଁ ପଞ୍ଚାୟତରେ ସନାତନ ସଂଗ୍ରାମ ସିଂହ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଥିବାବେଳେ ତାଙ୍କ ପତ୍ନୀ ଲିଲି ସିଂହ ମଧ୍ୟ ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସନାତନ ସଂଗ୍ରାମ ୧୯୯୭ରୁ ୨୦୦୨ ପର୍ଯ୍ୟନ୍ତ ରୋହିଗାଁ ପଞ୍ଚାୟତର ସରପଞ୍ଚ ଥିଲେ।

ପରେ ସମବାୟ ସମିତି ସଭାପତି, ଜିଲ୍ଲା ସମବାୟ ସମିତି ସଭାପତି ରହିଥିଲେ। ଲିଲି ୨୦୦୭ରୁ ୨୦୧୨ ମସିହା ପର୍ଯ୍ୟନ୍ତ କୁକୁଡ଼ାଖଣ୍ଡି ବ୍ଳକର ୮ନଂ ଜୋନର ବିଜେଡି ତରଫରୁ ଜିଲ୍ଲା ପରିଷଦ ସଭ୍ୟ ନିର୍ବାଚିତ ହୋଇଥିଲେ। ଉଭୟ ସ୍ଵାମୀ-ସ୍ତ୍ରୀ ରାଜନୀତିରେ ସକ୍ରିୟ ରହିବା ସହ ଲୋକପ୍ରିୟ ଥିବାରୁ ଜିତର ବାଜି କିଏ ମାରିବ ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ।

ଏଠିବି ନିର୍ବାଚନ ଲଢ଼ିବେ ସ୍ଵାମୀ-ସ୍ତ୍ରୀ

ଭାପୁର ବ୍ଲକର ସର୍ବାଧିକ ୬ ଯୋଡ଼ା ସ୍ଵାମୀ-ସ୍ତ୍ରୀ ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଦେଖିବାକୁ ମିଳିଛି। ବ୍ଲକ ଅଧ୍ୟକ୍ଷ ଗୟାଧର ପରିଡ଼ା କଇଁଫୁଲିଆ ପଞ୍ଚାୟତ ପାଇଁ ସମିତି ସଭ୍ୟ ଓ ତାଙ୍କ ପତ୍ନୀ ବାସନ୍ତୀ ପରିଡ଼ା ବିଜିପୁର ପଞ୍ଚାୟତ ସରପଞ୍ଚ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

ବେଣୁଧର ପ୍ରଧାନ କଇଁଫୁଲିଆ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ନାମାଙ୍କନ ଦାଖଲ କରିଥିବାବେଳେ ତାଙ୍କ ପତ୍ନୀ ସାବିତ୍ରୀ ପ୍ରଧାନ ଶାଳପଡ଼ା ଓ ଧାନଚାଙ୍ଗଡ଼ା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

ସାମ୍ବାଦିକ ସଂଗ୍ରାମ କେଶରୀ ପଟ୍ଟନାୟକ ବିଜିପୁର ପଞ୍ଚାୟତ ପାଇଁ ସମିତି ସଭ୍ୟ ଭାବେ ନାମାଙ୍କନ କରିଛନ୍ତି। ତାଙ୍କ ପତ୍ନୀ ସ୍ଵପ୍ନପ୍ରିୟା ପଟ୍ଟନାୟକ ଧାନଚାଙ୍ଗଡ଼ା ପଞ୍ଚାୟତ ସମିତି ସଭ୍ୟ ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

ସାମ୍ବାଦିକ ଭରତ କୁମାର ବେହେରା ପଦ୍ମାବତୀ ସରପଞ୍ଚ ପ୍ରାର୍ଥୀ ପାଇଁ ଓ ତାଙ୍କ ସ୍ତ୍ରୀ ଆରତୀ ବେହେରା ସେହି ପଞ୍ଚାୟତର ସମିତି ସଭ୍ୟ ପଦ ପାଇଁ ନାମାଙ୍କନ ଭରିଛନ୍ତି। ଅମୂଲ୍ୟ ଚନ୍ଦ୍ର ପରମଗୁରୁ ଗୋଳାପୋଖରୀ ପଞ୍ଚାୟତ ସମିତି ସଭ୍ୟ ଓ ତାଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ଦାଶ ସେହି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି।

Comment