ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କୋଟିଆ ଗ୍ରାମ ପଞ୍ଚାୟତରେ ଇଲେକ୍ସନ ନୁହେଁ ସିଲେକ୍ସନ ହେବ ବୋଲି କୁହାଯାଉଥିଲା। ସର୍ବଦଳୀୟ କମିଟି ବୈଠକରେ ସର୍ବସମ୍ମତି କ୍ରମେ ଜଣଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ମଧ୍ୟ ଚୟନ କରାଯାଇଥିଲା। କିନ୍ତୁ ମଙ୍ଗଳବାର ଆଉ ଜଣେ ସ୍ଵାଧୀନ ପ୍ରାର୍ଥୀ ଜିଲ୍ଲା ପରିଷଦ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପରେ ସବୁ ଓଲଟ ପାଲଟ ହୋଇଯାଇଛି। ଏବେ କୋଟିଆରେ ସିଲେକ୍ସନ ନୁହେଁ ଇଲେକ୍ସନ ହିଁ ହେବ।

କୋଟିଆ ଉପରେ ଲୋଲୁପ ଦୃଷ୍ଟି ପକାଇଥିବା ପଡ଼ୋଶୀ ଆନ୍ଧ୍ରକୁ କଡ଼ା ଜବାବ ଦେବା ଉଦ୍ଦେଶ୍ୟରେ ଗତ ୨୧ ତାରିଖରେ ସର୍ବଦଳୀୟ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ଥୁରିଆ ଗ୍ରାମର ମମତା ଯାନୀଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଚୟନ କରାଗଲା। ମମତା ପଟାଙ୍ଗି ବ୍ଲକ ଜୋନ ୧ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ଦାଖଲ କରିଥିଲେ।

ଦ୍ଵିତୀୟ ଦଫାରେ ଦୁଇ ଜଣ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆଗେଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପ୍ରାର୍ଥୀ ନାମାଙ୍କନରୁ ଓହରି ଯାଇଥିବାବେଳେ ସ୍ଵାଧୀନ ପ୍ରାର୍ଥୀ ଟିକାଇ ଗେମେଲ ଆଜି ନାମାଙ୍କନ ଦାଖଲ କରିଛନ୍ତି। ଜିଲ୍ଲା ପରିଷଦ ଦୌଡ଼ରେ ଏବେ ଦୁଇଜଣ ପ୍ରାର୍ଥୀ ସାମିଲ ହୋଇଛନ୍ତି।

କୋଟିଆ ଜିଲ୍ଲା ପରିଷଦ ନିର୍ବାଚନରେ ଦୁଇ ଜଣ ପ୍ରାର୍ଥୀ ମୁହାଁମୁହିଁ ହେବାକୁ ଯାଉଛନ୍ତି। ନାମାଙ୍କନରୁ ଓହରି ଯିବାକୁ ସର୍ବଦଳୀୟ କମିଟି ପକ୍ଷରୁ ଟିକାଇ ଗେମେଲ ଏବଂ ସାବିନା ବୁଡ଼ିଆଙ୍କୁ ବହୁ ବୁଝାସୁଝା କରିବା ପରେ ସାବିନା ଓହରି ଯାଇଥିଲେ। ଏବେ ସାବିନା ଜିଲ୍ଲା ପରିଷଦ ପ୍ରାର୍ଥୀ ମମତାଙ୍କୁ ସମର୍ଥନ ଦେବେ। ସବୁ ଚେଷ୍ଟା ପରେ ମଧ୍ୟ ଟିକାଇ ଗେମେଲ ନିର୍ବାଚନ ଲଢ଼ିବାକୁ ଜିଦ୍ ଧରି ବସିଛନ୍ତି। ନିର୍ବାଚନକୁ ନେଇ କୋଟିଆରେ ସର୍ବାଦଳୀୟ ଉଦ୍ୟମ ବିଫଳ ହୋଇଥିବା କୁହାଯାଉଛି।

ସର୍ବଦଳୀୟ କମିଟିର ସହମତିରେ ମମତାଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ କରାଯାଇଛି। ମମତାଙ୍କ ପାଇଁ ସବୁ ଦଳର ସମର୍ଥନ ରହିଛି। ଟିକାଇ ଗେମେଲଙ୍କ ପ୍ରାର୍ଥୀପତ୍ର ଦାଖଲ ପଛରେ ଆନ୍ଧ୍ରର ହାତ ରହିଥିବା ସର୍ବଦଳୀୟ କମିଟି ପକ୍ଷରୁ ଅଭିଯୋଗ ହୋଇଛି।

Comment