ଓଡ଼ିଶାଲାଇଭ୍ ବ୍ୟୁରୋ

  • ଡବଲ ଡୋଜ୍ ଟିକା ପ୍ରମାଣପତ୍ର ନଥିଲେ ମନ୍ଦିର ପ୍ରବେଶ ମନା
  • ପ୍ରତି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର
  • ଶ୍ରୀମନ୍ଦିର ପ୍ରବେଶ ପାଇଁ ଆଧାରକାର୍ଡ ଜରୁରୀ
  • ବିନା ମାସ୍କକରେ ହେବନି ଜଗା ଦର୍ଶନ

ମହାପ୍ରଭୁ ଶ୍ରୀଜଗନ୍ନଥଙ୍କ ଦର୍ଶନ କରିବେ ଭକ୍ତ। ଆସନ୍ତା ଫେବ୍ରୁଆରି ୧ ତାରିଖରୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲାଯିବ ଶ୍ରୀମନ୍ଦିର। ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। ଏ ନେଇ ସୋମବାର ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କୋଭିଡ ନିୟମ ପାଳନ କରି ଭକ୍ତମାନେ ମନ୍ଦିର ପ୍ରବେଶ କରିବାକୁ ପରାମର୍ଶ ଦିଆଯାଇଛି। ଜଗା ଦର୍ଶନ ପାଇଁ ସାମାଜିକ ଦୂରତା ରକ୍ଷା କରିବା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି। ଡବଲ ଡୋଜ ଟିକା ପ୍ରମାଣପତ୍ର ନଥିଲେ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ। କେବଳ ସେତିକି ନୁହେଁ ମନ୍ଦିର ଭିତରକୁ ଯିବାକୁ ହେଲେ ଭକ୍ତଙ୍କ ପାଖରେ ଆଧାରକାର୍ଡ କିମ୍ବା ଭୋଟ ପରିଚୟ ପତ୍ର ରହିଥିବା ଆବଶ୍ୟକ। ପ୍ରତି ରବିବାର ଶ୍ରୀମନ୍ଦିରକୁ ସାନିଟାଇଜ କରାଯିବ। ତେଣୁ ପ୍ରତି ରବିବାର ଶ୍ରୀମନ୍ଦିରକୁ ବନ୍ଦ ରଖାଯିବ।

ପୁରୀରେ କୋଭିଡ ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବା ସହ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ କଡ଼ା ନଜର ରଖାଯାଇଛି। ହୋଟେଲ, ରେସ୍ତୋରାଁ, ଦୋକାନ, ବଜାର ଓ ମଲରେ କୋଭିଡ଼ ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ସଂକ୍ରମଣ ବଢ଼ୁଥିବାରୁ ଭକ୍ତଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଗତ ୧୦ରୁ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ବନ୍ଦ ରହିଥିଲା। ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆୟୋଜିତ ବୈଠକ ପରେ ଏହି ନିଷ୍ପତ୍ତି ହୋଇଥିଲା।

Comment