ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ ଉପସ୍ଥାପନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ବଜେଟ ଉପରେ ନିଜର ମତ ରଖିଛନ୍ତି। ଚଳିତ ବଜେଟ ଦେଶର ପ୍ରଗତିରେ ନୂଆ ସମ୍ଭାବନା ଆଣିବ। ଦେଶର ଆର୍ଥିକ ଅଭିବୃଦ୍ଧି, ଭିତ୍ତିଭୂମିର ବିକାଶ, ନିବେଶ, କୃଷି, ଶିକ୍ଷା ଏବଂ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ସମ୍ଭାବନା ସୃଷ୍ଟି କରିବାକୁ ଯାଉଛି। ଦେଶରେ କରୋନା ମହାମାରୀର ପ୍ରଭାବ ଜାରି ରହିଛି। ଏହାରି ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ ଉପସ୍ଥାପନା କରିଛନ୍ତି। ଚଳିତ ବଜେଟରେ ସବୁ ବର୍ଗକୁ ପ୍ରାଧାନ୍ୟ ଦିଆଯାଇଛି। ଏହା ଏକ ଲୋକାଭିମୁଖୀ ବଜେଟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

“ବଜେଟରେ ଗରିବ କଲ୍ୟାଣକୁ ବିଶେଷ ଗୁରୁତ୍ଵ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା, ପାଇପ ଯୋଗେ ପାଣି, ଶୌଚାଳୟ ଏବଂ ଗ୍ୟାସ ସୁବିଧା ଆଦି ଯୋଗାଇବା ଉପରେ ଗୁରୁତ୍ଵ ଦିଆଯାଇଛି”, କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ।

ହିମାଚଳ ପ୍ରଦେଶ, ଉତ୍ତରଖଣ୍ଡ, ଜମ୍ମୁ-କଶ୍ମୀର ଏବଂ ପୂର୍ବୋତ୍ତର ଅଞ୍ଚଳ ପାଇଁ ପ୍ରଥମଥର ଦେଶରେ ପର୍ବତମାଳା ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଯୋଜନା ଦ୍ଵାରା ପାହାଡ଼ିଆ ଅଞ୍ଚଳରେ ଆଧୁନିକ ପରିବହନ ବ୍ୟବସ୍ଥା କରାଯିବ। ବିଜେପି ଦ୍ଵାରା ଆସନ୍ତା ବୁଧବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ‘ବଜେଟ ଏବଂ ଆତ୍ମନିର୍ଭର ଭାରତ’ ଉପରେ ବିସ୍ତିର୍ଣ୍ଣ ଭାବେ ନିଜର ମତ ରଖିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗଙ୍ଗା ନଦୀକୁ ସଫା କରାଯିବା ସହ ଚାଷୀଙ୍କ କଲ୍ୟାଣ ପାଇଁ ମଧ୍ୟ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବ। ଉତ୍ତରାଖଣ୍ଡ, ଉତ୍ତର ପ୍ରଦେଶ, ବିହାର, ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟର ଗଙ୍ଗା ନଦୀ କୂଳରେ ପ୍ରାକୃତିକ କୃଷିର ବିକାଶ ପାଇଁ ପ୍ରୋତ୍ସାହନ ଦିଆଯିବ।

“କୋଭିଡ ମହାମାରୀ ସମୟରେ ଦେଶରେ ରହିଥିବା କ୍ଷୁଦ୍ର ଉଦ୍ୟୋଗଗୁଡ଼ିକର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ଚେଷ୍ଟା କରାଯାଉଛି। ଡିଫେନ୍ସ କ୍ୟାପିଟାଲ ବଜେଟର ୬୮ ପ୍ରତିଶତରୁ ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ(ଏମଏସଏମଇ)କୁ ଲାଭ ମିଳିପାରିବ। ସମସ୍ତଙ୍କୁ ସୁହାଇଲା ଭଳି ବଜେଟ ଆଣିଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅଶେଷ ଧନ୍ୟବାଦ”, କହିଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ।

Comment