ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ପୂର୍ବରୁ ଅନେକ ଥର ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ମାତ୍ର ଚଳିତ ବଜେଟ୍ ଅଧିବେଶନରେ ରାହୁଲଙ୍କ ଅବତାର ଥିଲା ଭିନ୍ନ, ଯାହା ଦେଶର ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି। ବେକାରୀ ସମସ୍ୟା, ବିମୁଦ୍ରୀକରଣ ଓ ଜିଏସ୍‌ଟିର ପ୍ରଭାବ, କୋଭିଡ୍ ପରିଚାଳନା, ବିଦେଶ ନୀତି ଏବଂ କର୍ପୋରେଟ୍ କ୍ଷେତ୍ର ପ୍ରତି ଅନୁକମ୍ପା – ଏଭଳି ବିଭିନ୍ନ ପ୍ରସଙ୍ଗ ଉଠାଇ ବେଶ୍ ଶାଣିତ ଢଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି ରାହୁଲ।

ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଉପରେ ସଂସଦରେ ଚର୍ଚ୍ଚା ବେଳେ, ମୋଦୀ ସରକାରଙ୍କ ଉପରେ ରାହୁଲ ଖୁବ୍ ବର୍ଷିଛନ୍ତି।ଧନୀ ଓ ଗରିବ ଦୁଇ ଭାଗରେ ବିଭକ୍ତ ହୋଇଛି ଭାରତ

ରାହୁଲ ତାଙ୍କ ଅଭିଭାଷଣରେ କହିଛନ୍ତି, “ଭାରତ ଏବେ ଆଉ ଗୋଟିଏ ଦେଶ ହୋଇ ନାହିଁ। ନରେନ୍ଦ୍ର ମୋଦୀଙ୍କ ସରକାରରେ ତାହା ଦୁଇଟି ଭାଗରେ ବିଭାଜିତ ହୋଇଛି। ଗୋଟିଏ ହେଲା ଧନୀକ ଶ୍ରେଣୀର ଭାରତ ଏବଂ ଅନ୍ୟଟି ଗରିବଙ୍କ ଭାରତ। ଏହି ଦୁଇଟି ଭାରତ ମଧ୍ୟରେ ଦୂରତା ବି ବହୁତ ରହିଛି। ଧନୀକ ଶ୍ରେଣୀ ଭାରତ ପାଖରେ ସବୁ ସୁବିଧା ଅଛି। ହେଲେ ଗରିବ ଭାରତ ବେରୋଜଗାରୀରେ ବୁଡ଼ି ରହିଛି। ଗରିବ ଭାରତରେ ଯୁବବର୍ଗଙ୍କର ଗୋଟିଏ ହିଁ ଆବଶ୍ୟକତା – ରୋଜଗାର, ହେଲେ ଦୁଃଖର ବିଷୟ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ବେରୋଜଗାରୀ ବିଷୟରେ ଗୋଟିଏ ବି ଶବ୍ଦ ନଥିଲା।”

ବେରୋଜଗାରୀ ପ୍ରସଙ୍ଗରେ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ରାହୁଲ। ସେ କହିଛନ୍ତି ଯେ, ଗତ ୫୦ ବର୍ଷ ଭିତରେ ମୋଦୀ ସରକାରଙ୍କ ଅମଳରେ ସବୁଠୁ ବେଶୀ ବେକାରୀ ସମସ୍ୟା ବଢ଼ିଛି। ୨୦୨୧ରେ ଦେଶରେ ୩ କୋଟି ଯୁବକ ଯୁବତୀ ଚାକିରି ହରେଇଛନ୍ତି। ଯୁବପିଢ଼ିଙ୍କ ପାଇଁ ଦେଶରେ ଆଜି ନୂଆ ନିଯୁକ୍ତି କାହିଁ ବୋଲି ପ୍ରଶ୍ନ କରି ସଂସଦରେ ମୋଦୀ ସରକାରଙ୍କ ଉପରେ ଏଭଳି ରାଜନୈତିକ ଆକ୍ରମଣ କରିଛନ୍ତି ରାହୁଲ।  ଦେଶର ଅର୍ଥବ୍ୟବସ୍ଥାରେ ଡବଲ ‘ଏ’ ଭାରିଆଣ୍ଟ୍

ରାହୁଲ ଗାନ୍ଧୀ ନିଜ ଲମ୍ବା ଭାଷଣରେ ଆଉ ଦୁଇଟି କଥା ଉଠେଇଛନ୍ତି। ସେ କହିଛନ୍ତି, ଦେଶର ଅର୍ଥ ବ୍ୟବସ୍ଥାରେ ଏବେ ଡବଲ ‘ଏ’ ଭାରିଆଣ୍ଟ୍ କାମ କରୁଛି। ଏହି ଡବଲ ‘ଏ’ ହେଉଛନ୍ତି ଆଦାନୀ ଓ ଅମ୍ବାନୀ। ହାତ ଗଣତି ଶିଳ୍ପପତିଙ୍କ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଦେଶର କ୍ଷୁଦ୍ର ଶିଳ୍ପଗୁଡ଼ିକୁ କେନ୍ଦ୍ରୀକରଣ କରିଦେଇଛନ୍ତି। ଏବେ ପ୍ରତିଟି କ୍ଷେତ୍ରରେ ଆଦାନୀ ଓ ଅମ୍ଵାନୀଙ୍କ ସଂପୃକ୍ତି ରହିଛି। ହେଲେ ସେମାନେ ରୋଜଗାର ସୃଷ୍ଟି କରିବାରେ ବିଫଳ, ଯାହା ଏବେ ଦେଶ ପାଇଁ ବଡ଼ ଆବଶ୍ୟକତା।

୨୩ କୋଟି ଭାରତୀୟଙ୍କୁ ଗରିବ କରିଛି ବିଜେପି

ଗରିବୀ ପ୍ରସଙ୍ଗରେ ବିଜେପି ସରକାରକୁ ରାହୁଲ କଡ଼ା ବାଣ ମାରିଛନ୍ତି। ସେ କହିଛନ୍ତି, “କଂଗ୍ରେସ ଶାସନରେ ୨୭ କୋଟି ଭାରତୀୟ ଗରିବୀରୁ ବାହାରି ପାରିଥିଲେ। ମାତ୍ର ବିଜେପି ମାତ୍ର ୭ ବର୍ଷ ଶାସନରେ ୨୩ କୋଟି ଭାରତୀୟଙ୍କୁ ପୁଣି ଗରିବୀ ଭିତରକୁ ଠେଲି ଦେଇଛି।”

ମେଡ୍ ଇନ୍ ଇଣ୍ଡିଆର ସ୍ଵପ୍ନ ପୂରଣ ଅସମ୍ଭବ!

ମୋଦୀ ସରକାରଙ୍କ ଶିଳ୍ପ ନୀତିକୁ ବି ସଂସଦରେ ସାଂଘାତିକ ସମାଲୋଚନା କରିଛନ୍ତି ରାହୁଲ। ଗୋଟିଏ ପଟେ ସରକାର ମେକ୍ ଇନ୍ ଇଣ୍ଡିଆ, ମେଡ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଇଣ୍ଡିଆର ନାରା ଦେଉଛନ୍ତି। କିନ୍ତୁ ସେଭଳି ଇଣ୍ଡିଆ ଗଢ଼ିବା ପାଇଁ ଆବଶ୍ୟକ କ୍ଷେତ୍ରସବୁକୁ ସରକାର ଧ୍ଵଂସ କରିବାରେ ଲାଗିଛନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି।

ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗମାନେ ହିଁ ମେଡ୍ ଇନ୍ ଇଣ୍ଡିଆ ଗଢ଼ିବାର ସ୍ଵପ୍ନକୁ ସାକାର କରିପାରିବେ। ମାତ୍ର କେନ୍ଦ୍ର ସରକାର ଏହିସବୁ କ୍ଷେତ୍ର ଉପରେ ବିଭିନ୍ନ ସମୟରେ ବାରମ୍ଵାର ଆକ୍ରମଣ କରି ଦେଶର ଏଗୁଡ଼ିକୁ ବଡ଼ କରିବା ପରିବର୍ତ୍ତେ କେନ୍ଦ୍ରୀକରଣ କରି ତାଙ୍କ କର୍ପୋରେଟ ବନ୍ଧୁମାନଙ୍କ ହାତରେ ଟେକି ଦେଇଥିବା ଅଭିଯୋଗ କରିଛନ୍ତି ରାହୁଲ। ଫଳରେ ମେଡ୍ ଇନ୍ ଇଣ୍ଡିଆ କେବେ ବି ସଫଳ ହେବନାହିଁ ବୋଲି କହି ବିଜେପିକୁ ଜବରଦସ୍ତ ପଲିଟିକାଲ ସଟ୍ ମାରିଛନ୍ତି ରାହୁଲ।  ମୋଦୀଙ୍କ ଶାସନରେ ରାଜତନ୍ତ୍ର ଫେରିଛି

କଂଗ୍ରେସ ୧୯୪୭ ମସିହାରୁ ଭାରତରୁ ରାଜତନ୍ତ୍ର ହଟାଇଦେଇଛି। କିନ୍ତୁ ଏବେ ଦେଶର ସ୍ଥିତି ଦେଖିଲେ ଲାଗୁଛି ପୁଣି ଥରେ ରାଜତନ୍ତ୍ର ଫେରିଛି। ସଂସଦରେ ଏଭଳି ପ୍ରସଙ୍ଗ ଉଠାଇଛନ୍ତି ରାହୁଲ। ସେ କହିଛନ୍ତି ଯେ, ଆଜିର ଶାସକ ନିଜକୁ ଜଣେ ଶେହନ୍‌ଶାହା ବୋଲି ଭାବୁଛନ୍ତି। ରାଜତନ୍ତ୍ର ପରି ସେ ଦେଶର ଶାସନକୁ ଚଳାଇଛନ୍ତି।

ରାଜ୍ୟ ସରକାରମାନଙ୍କ ସ୍ଵରକୁ ଚାପୁଛନ୍ତି କେନ୍ଦ୍ର ସରକାର

ମୋଦୀ ସରକାରଙ୍କ ଆଭ୍ୟନ୍ତରୀଣ ସୁରକ୍ଷା ଓ ବିଦେଶ ନୀତିକୁ ବି କଡ଼ା ସମାଲୋଚନା କରିଛନ୍ତି ରାହୁଲ। ସଂସଦରେ ପୁଣିଥରେ ସେ ସାଇବର ଅସ୍ତ୍ର ପେଗାସସ୍‌ର କଥା ଉଠାଇଛନ୍ତି। ଇସ୍ରାଏଲଠାରୁ ଜାତୀୟ ସୁରକ୍ଷା ନାଁରେ ଏଭଳି ସାଇବର ଅସ୍ତ୍ର କିଣି ସରକାର ନାଗରିକଙ୍କ ବ୍ୟକ୍ତିଗତ ଅଧିକାରକୁ କ୍ଷୁଣ୍ଣ କରିଥିବା ରାହୁଲ କହିଛନ୍ତି। ସେହିପରି ରାଜ୍ୟମାନଙ୍କର ସ୍ୱରକୁ କେନ୍ଦ୍ର ସରକାର ଦବାଇବାକୁ ସର୍ବଦା ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ।କଂଗ୍ରେସ କର୍ମୀଙ୍କ ମନରେ ନୂଆ ଆଶା!

ଅନେକ ଦିନ ପରେ ସଂସଦରେ ରାହୁଲଙ୍କ ଏଭଳି ଦୀର୍ଘ ଓ ଶାଣିତ ଭାଷଣକୁ ନେଇ ଏବେ ସବୁଠି ଚର୍ଚ୍ଚା। ରାହୁଲଙ୍କ ଭାଷଣକୁ ବିଜେପି ଯେତେ ହାଲୁକା କହିଲେ ମଧ୍ୟ ଏହା ଶାସକ ଦଳ ଉପରେ ଏକ ପ୍ରକାର ଚାପ ବଢ଼ାଇଥିବା ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। ସବୁଠୁ ବଡ଼ କଥା ହେଲା ୫ ରାଜ୍ୟ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ଏବେ ନିର୍ବାଚନ ପାଣିପାଗ ଜୋର ଧରିଛି। ନିର୍ବାଚନୀ ପାଗରେ ରାହୁଲଙ୍କ ଆକ୍ରମକ ଅବତାର କଂଗ୍ରେସ ନେତା ଓ କର୍ମୀଙ୍କ ମନରେ ନୂଆ ଆଶା ସଞ୍ଚାର କରିଥିବା ଚର୍ଚ୍ଚା ହେଲାଣି।ତେବେ ରାହୁଲଙ୍କ ଏହି ଶକ୍ତ ଆକ୍ରମଣ ପରେ ବିଜେପିର କିଛି ନେତା ରାହୁଲଙ୍କୁ ପୁଣି ନିର୍ବୋଧ ବୋଲି କହିଛନ୍ତି। ରାହୁଲ ନ୍ୟାୟପାଳିକା ଓ ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ବ୍ୟବସ୍ଥାକୁ ସମାଲୋଚନା କରିଥିବାରୁ ସେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି କିଛି ବିଜେପି ନେତା ଦାବି କରିଛନ୍ତି।

Comment