ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ହେଲେ ନିର୍ବାଚନର ଏହି ମାହୋଲ ବେଳେ କେନ୍ଦ୍ରାପଡ଼ା କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। କଂଗ୍ରେସର ଦୁର୍ଗ କୁହାଯାଉଥିବା କେନ୍ଦ୍ରପଡ଼ା ସହରରୁ ଗୋଟିଏ ଦିନରେ ବହୁ ଟାଣୁଆ ନେତା ହାତ ଛାଡ଼ି ବିଜେଡିରେ ମିଶିଛନ୍ତି।

ସୋମବାର କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ଉପସଭାପତି ତଥା ପୌରାଞ୍ଚଳର ପୂର୍ବତନ କାଉନସିଲର ଶରତ କୁମାର ବେହୁରା ହାତର ସାଥ୍ ଛାଡ଼ି ଶଙ୍ଖ ଫୁଙ୍କିଛନ୍ତି। ସେହିପରି କଂଗ୍ରେସ ଦଳର ଆଉଜଣେ ଟାଣୁଆ ନେତା ସାନ୍ଦା କିସ୍କୁଙ୍କ ସମେତ ଜିଲ୍ଲା କଂଗ୍ରେସର ସମ୍ପାଦକ ସମ୍ବିତ ଶ୍ରୀଚନ୍ଦନ, ଦଳିତ କଂଗ୍ରେସ ନେତା ସୁବାସ ମଳିକ, ନଗର କଂଗ୍ରେସ ସମ୍ପାଦକ ରମାକାନ୍ତ ପଣ୍ଡା, ପୂର୍ବତନ କାଉନସିଲର ଅଜୟଲକ୍ଷ୍ମୀ ସାହୁ, ଶ୍ରୀଧର ନାଥ ପ୍ରମୁଖ ବିଜେଡି ଶିବିରରେ ଯୋଗ ଦେଇଛନ୍ତି।ଭୁବନେଶ୍ଵରସ୍ଥିତ ବିଜେଡିର ଦଳୀୟ କାର୍ଯ୍ୟାଳୟରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ପ୍ରଭାରୀ ଦେବାଶିଷ ସାମନ୍ତରାୟ, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡ଼ା ଆଦି ଦଳର ପ୍ରମୁଖ ନେତାଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀମାନେ ବିଜେଡିରେ ମିଶିଛନ୍ତି।

ଏହି ମିଶ୍ରଣ ପର୍ବ ପରେ ବିଜେଡି ଆହୁରି ସଶକ୍ତ ହେବ ବୋଲି କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି। ସେହିପରି ବିଜେଡିରେ ଜନସାଧାରଣଙ୍କ ସେବା କରିବାକୁ ଅଧିକ ସୁଯୋଗ ମିଳିବ ବୋଲି ମତ ରଖିଛନ୍ତି ନୂଆକରି ବିଜେଡିରେ ସାମିଲ ହୋଇଥିବା ପୂର୍ବତନ କଂଗ୍ରେସ ନେତା ଶରତ କୁମାର ବେହେରା। ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏବେ ବେଶ୍ ସରଗରମ ରହିଛି। ପଞ୍ଚାୟତ ପରେ ଆଗକୁ ପୌର ଭୋଟ୍ ବି ଆସୁଛି। ତେଣୁ ଏଭଳି ଏକ ରାଜନୀତିକ ଘଡ଼ିସନ୍ଧି ବେଳାରେ କେନ୍ଦ୍ରାପଡ଼ା କଂଗ୍ରେସର ଏହି ଛାମୁଆଁ ନେତାମାନେ ବିଜେଡିରେ ମିଶିବା ଆଗମୀ ଦିନରେ ନିଶ୍ଚୟ ଜିଲ୍ଲା କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇପାରେ ବୋଲି ରାଜନୀତିକ ସମୀକ୍ଷକମାନେ କହିଛନ୍ତି।

Comment