ଓଡ଼ିଶାଲାଇଭ୍ ବ୍ୟୁରୋ

“ମୁଁ ଦିବ୍ୟାଙ୍ଗ, ଅକର୍ମଣ୍ୟ ନୁହେଁ। ନିର୍ବାଚନ ପରେ ନିର୍ବାଚନ ଆସୁଛି। ଜଣକ ପରେ ଜଣେ ପ୍ରାର୍ଥୀ ବଦଳୁଛନ୍ତି। କିନ୍ତୁ ପଛୁଆ ଅଞ୍ଚଳ ଭାବେ ପରିଚିତ ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତର ଭାଗ୍ୟ ବଦଳି ପାରିନାହିଁ। ସମସ୍ୟାରେ ଘେରି ରହିଛି ହାଲୁଆ ଅଞ୍ଚଳ। ମୁଁ ଦିବ୍ୟାଙ୍ଗ ହେଲେ ମଧ୍ୟ ମୋ ଅଞ୍ଚଳ ଲୋକଙ୍କ ବିକାଶ କଥା ମୁଁ ଚିନ୍ତା କରୁଛି ଏବଂ କରୁଥିବି। ମୋ ଅଞ୍ଚଳର ବିକାଶ ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିବି”, କହିଛନ୍ତି ହାଲୁଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନାଗାର୍ଜୁନ ବିଡ଼ିକା।

ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ମାନସିକତା ତାଙ୍କର କୌଣସି ସକ୍ଷମ ବ୍ୟକ୍ତିଙ୍କ ତୁଳନାରେ କମ୍ ନୁହେଁ। ନିଜ ଅଞ୍ଚଳର ଏବଂ ଅଞ୍ଚଳବାସୀଙ୍କ ବିକାଶ ପାଇଁ ସରପଞ୍ଚ ହେବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ରାୟଗଡ଼ା ସଦର ବ୍ଲକ୍ ହାଲୁଆ ପଞ୍ଚାୟତର ପ୍ରାର୍ଥୀ ନାଗାର୍ଜୁନ ବିଡ଼ିକା।

ନାଗାର୍ଜୁନ ଜନ୍ମରୁ ପୋଲିଓ ଆକ୍ରାନ୍ତ। ପୋଲିଓ ଯୋଗୁଁ ତାଙ୍କର ଡାହାଣ ଗୋଡ଼ଟି ଠିକ୍ ଭାବେ କାମ କରୁନାହିଁ। ଗୋଟିଏ ଠେଙ୍ଗାକୁ ସାହାର କରି ଚଲାବୁଲା କରନ୍ତି ଅର୍ଜୁନ। ପିଲାଟି ଦିନରୁ ଅଞ୍ଚଳରେ ଲୋକଙ୍କ ପାଖରେ କିପରି ମୌଳିକ ସୁବିଧା ପହଞ୍ଚିବ ସେନେଇ ଉଦ୍ୟମ ଜାରି ରଖିଛନ୍ତି ସେ। ପଞ୍ଚାୟତର ବୃଦ୍ଧବୃଦ୍ଧା ଏବଂ ବିଧବାଙ୍କୁ ଅଟୋଭଡ଼ା କରି ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟକୁ ଭତ୍ତା ଆଣିବାକୁ ନେଇଯାନ୍ତି ସେ । ପଞ୍ଚାୟତବାସୀଙ୍କ ସମର୍ଥନ ଯୋଗୁଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ନାର୍ଗାର୍ଜୁନ। ତାଙ୍କର ଗୋଟିଏ ଲକ୍ଷ୍ୟ ଜିତିବେ ଆଉ ନିଜ ଅଞ୍ଚଳରେ ରହିଥିବା ସମସ୍ୟା ଦୂର କରିବେ।

ହାଲୁଆ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାବେ ନାଗାର୍ଜୁନ ନାମାଙ୍କନ ଦାଖଲ କରିବା ପରେ ପ୍ରାର୍ଥୀ ପତ୍ର କାଏମ ରହିଛି। ନିର୍ବାଚନ ଲଢ଼ିବା ପାଇଁ ତାଙ୍କୁ ମିଳିଛି ଲଙ୍ଗଳ ଚିହ୍ନ। ଏବେ ପ୍ରଚାର ପତ୍ର ଛପାଇ ସମର୍ଥକଙ୍କ ସହ ଗାଁକୁ ଗାଁ ବୁଲି ଭୋଟ ମାଗୁଛନ୍ତି ନାଗାର୍ଜୁନ। ଦୁର୍ଗମ ଅଞ୍ଚଳର ବିକାଶ ଓ ଲୋକଙ୍କ ପାଇଁ ସମସ୍ତ ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ନିର୍ବାଚନ ପ୍ରଚାରରେ ଲାଗିପଡ଼ିଛନ୍ତି ନାଗାର୍ଜୁନ ବିଡ଼ିକା।

ହାଲୁଆ ପଞ୍ଚାୟତ ରାୟଗଡ଼ା ବ୍ଲକର ପଛୁଆ ଅଞ୍ଚଳ ଭାବେ ପରିଚିତ। ପଞ୍ଚାୟତର ଅନେକ ଗାଁକୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ରାସ୍ତାଟିଏ ନାହିଁ। ମୋବାଇଲ ସେବା ଦୂର କଥା, ସ୍ୱାସ୍ଥ୍ୟସେବା ମଧ୍ୟ ଲୋକଙ୍କ ପାଇଁ ଅପହଞ୍ଚ ହୋଇ ରହିଛି। ଏହି ପଞ୍ଚାୟତର ଅଧିକାଂଶ ଗ୍ରାମବାସୀଙ୍କ ପାଇଁ ପାଦଚଲା ରାସ୍ତା ହିଁ ଯାତାୟତର ମାଧ୍ୟମ ପାଲଟିଛି। ବର୍ଷା ଦିନେ ରାସ୍ତାର ଅବସ୍ଥା ଏତେ କଦର୍ଯ୍ୟ ଯେ ରାସ୍ତାରେ ପାଦପକାଇବା କଷ୍ଟକର ହୋଇପଡ଼େ। ସବୁ ସରକାରୀ ଯୋଜନା ଏଠାକୁ ଅପହଞ୍ଚ ହୋଇ ରହିଛି। ତେଣୁ ହାଲୁଆର ବିକାଶ ପାଇଁ ନିର୍ବାଚନ ଲଢ଼ି ଜିତିବାକୁ ଆଶା ରଖିଥିବା କହିଛନ୍ତି ସରପଞ୍ଚ ପ୍ରାର୍ଥୀ ନାଗାର୍ଜୁନ।

Comment