ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଗାନ୍ଧୀ-ନେହେରୁ ପରିବାରର ଷଷ୍ଠ ପିଢ଼ିର ମହିଳା ନେତୃତ୍ୱ ହେଉଛନ୍ତି ପ୍ରିୟଙ୍କା ଗାନ୍ଧୀ। ଏବେ ତାଙ୍କୁ ନେଇ ଜାତୀୟ ରାଜନୀତିରେ ବେଶ୍‌ ଚର୍ଚ୍ଚା।

ପ୍ରିୟଙ୍କା ଗାନ୍ଧୀ। ଜାତୀୟ ରାଜନୀତିରେ ଏବେ ଜଣାଶୁଣା ନାଁ। ଉତ୍ତରପ୍ରଦେଶରୁ ମଣିପୁର ଯାଏଁ ସବୁଠି ପ୍ରିୟଙ୍କାଙ୍କୁ ନେଇ କ୍ରେଜ୍‌ ଦେଖିବାକୁ ମିଳୁଛି। ନିଜର ନିଆରା ପ୍ରଚାର ଷ୍ଟାଇଲ ଓ ଭାଷଣ ଦେଇ ଭୋଟରଙ୍କ ମନ ଜିଣୁଛନ୍ତି ପ୍ରିୟଙ୍କା। ତେଣୁ ପ୍ରିୟଙ୍କାଙ୍କୁ ନେଇ କଂଗ୍ରେସ ବଡ଼ ସ୍ୱପ୍ନ ଦେଖୁଛି। ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିବା ପାଇଁ କଂଗ୍ରେସ ନେତାମାନେ ଗଣିତ କଷୁଛନ୍ତି। ଆଗମୀ ୨୦୨୪ ସାଧାରଣ ନିର୍ବାଚନରେ ପ୍ରିୟଙ୍କା କଂଗ୍ରେସର ‘ପୋଷ୍ଟର ଗର୍ଲ’ ସାଜି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।‘ଲଡ୍‌କି ହୁଁ ଲଡ୍‌ ସକ୍‌ତି ହୁଁ’

ବର୍ତ୍ତମାନ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲିଛି। ଉତ୍ତରପ୍ରଦେଶ ସହିତ ପଞ୍ଜାବ, ଉତ୍ତରାଖଣ୍ଡ, ମଣିପୁର ଏବଂ ଗୋଆ ନିର୍ବାଚନରେ ପ୍ରିୟଙ୍କା ଦଳ ପାଇଁ ପ୍ରଚାର କରୁଛନ୍ତି। ତେବେ ପ୍ରିୟଙ୍କା ଉତ୍ତରପ୍ରଦେଶରେ କଂଗ୍ରେସର ପ୍ରଭାରି ଦାୟିତ୍ୱରେ ଦଳକୁ ପୂର୍ବ ଟ୍ରାକକୁ ଫେରାଇ ଆଣିବା ପାଇଁ ଉଦ୍ୟମ କରୁଛନ୍ତି। ବିଶେଷକରି ପ୍ରିୟଙ୍କା ଜଣେ ମହିଳା ହୋଇଥିବାରୁ ସେ ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ‘ଲଡ୍‌କି ହୁଁ ଲଡ୍ ସକ୍‌ତି ହୁଁ’ ସ୍ଲୋଗାନ ଦେଇ ଉତ୍ତରପ୍ରଦେଶରେ ପ୍ରଚାର ଚଳାଇଛନ୍ତି।

ଜାତି ଓ ଧର୍ମକୁ ନେଇ ରାଜନୀତି ହେଉଥିବା ଏହି ହିନ୍ଦୀ ଭାଷାଭାଷୀ ରାଜ୍ୟରେ ପ୍ରିୟଙ୍କା ମହିଳା ଭୋଟରଙ୍କ ମନ ଜିଣିବା ପାଇଁ ନୂଆ ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି। ୟୁପିରେ ଭୋଟରଙ୍କ ଅଧା ହେଲେ ମହିଳା। ଏମାନଙ୍କ ଭୋଟ୍ ଯିଏ ଅଧିକ ପାଇବ ସିଏ ବିଧାନସଭାରେ ଅଧିକ ଆସନ ପାଇବ। ପଶ୍ଚିମବଙ୍ଗରେ ମହିଳା କାର୍ଡ ଖେଳି ମମତା ସଫଳ ହେବା ପରେ ପ୍ରିୟଙ୍କା ବି ସେ ରାସ୍ତାରେ ଯାଉଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ତାଙ୍କ ସ୍ଲୋଗାନ ଲଡ୍‌କି ହୁଁ ଲଡ୍ ସକ୍‌ତି ହୁଁ ବିରୋଧୀ ଦଳରେ ବି କମ୍ପନ ସୃଷ୍ଟି କରିଛି। କଂଗ୍ରେସ ୪୦ ପ୍ରତିଶତ ସିଟ୍ ମହିଳାଙ୍କୁ ଦେବା ପାଇଁ ସ୍ଥିର କରିସାରିଛି।ମହିଳାମାନଙ୍କୁ ନେଇ ସେ ରୋଡ୍‌ ସୋ’ ଏବଂ ରାଲି ଆଦି କରୁଥବା ଦେଖିବାକୁ ମିଳିଛି। ଏହାସହ ତୃଣମୂଳସ୍ତରର ଲୋକମାନଙ୍କ ସହ ସିଧାସଳଖ କଥା ହୋଇ ସେମାନଙ୍କ ସୁଖଦୁଃଖ ବୁଝୁଛନ୍ତି। ଅନ୍ୟ ପକ୍ଷରେ ଗୋଆରେ ବି ଜୋରଦାର ପ୍ରଚାର ଚଳାଉଛନ୍ତି ପ୍ରିୟଙ୍କା। ପଞ୍ଜାବ ନିର୍ବାଚନ ଓ ପ୍ରଚାର ଉପରେ ବି ପ୍ରିୟଙ୍କାଙ୍କର ଧ୍ୟାନ କେନ୍ଦ୍ରୀତ ହୋଇଛି।

ପୂର୍ବରୁ ଇନ୍ଦିରା ଗାନ୍ଧୀଙ୍କ ରାଜନୀତି ଦେଖିଥିବା ଲୋକେ ପ୍ରିୟଙ୍କାଙ୍କୁ ଇନ୍ଦିରାଙ୍କ ସହ ତୁଳନା କରୁଛନ୍ତି। କେହି କେହି ତାଙ୍କୁ ଏକବିଂଶ ଶତାବ୍ଦୀର ଇନ୍ଦିରା ବୋଲି ମଧ୍ୟ କହୁଛନ୍ତି। ପ୍ରିୟଙ୍କା ଇନ୍ଦିରାଙ୍କ ଭଳି ନିଜ କାନ୍ଧରେ କଂଗ୍ରେସକୁ ଉଠାଇ ପାରୁଛନ୍ତି କି ନାହିଁ, ତାହା ନିର୍ବାଚନ ପରେ ସ୍ପଷ୍ଟ ହୋଇଯିବ। ଏହା ସହିତ କଂଗ୍ରେସର ଆଗାମୀ ନେତୃତ୍ୱ କଣ ହେବ ତାହା ମଧ୍ୟ ସ୍ପଷ୍ଟ ହୋଇଯିବ।କାହିଁକି ଆସିଲେ ପ୍ରିୟଙ୍କା?

ପ୍ରତିଦିନ ଜାତୀୟ ରାଜନୀତିର ଦୃଶ୍ୟପଟ୍ଟ ବଦଳୁଛି। ନୂଆ ସମୀକରଣ ସୃଷ୍ଟି ହେଉଛି। ହେଲେ କଂଗ୍ରେସ ସଙ୍ଗଠନ ଭଲଭାବେ ସୁଦୃଢ଼ ହେବା ବଦଳରେ ଦୁର୍ବଳ ହୋଇଯାଉଛି। ରାହୁଲ ଗାନ୍ଧୀ ଯୁବକ ହୋଇଥିଲେ ବି କଂଗ୍ରେସ ପ୍ରତି ଯୁବକମାନେ ଆକର୍ଷିତ ହେଉ ନାହାନ୍ତି। ଗୋଟିଏ ପଟେ ଦେଶରେ ମୋଦୀ ହାଓ୍ଵା ଚାଲିଥିବାରୁ କଂଗ୍ରେସକୁ ଏହା ଚିନ୍ତାରେ ପକାଇଛି। ଏଣୁ ଏସବୁ ଅସୁବିଧାକୁ ଦୂରେଇବା ପାଇଁ ଏବଂ କଂଗ୍ରେସ କର୍ମୀଙ୍କ ମନରେ ଉତ୍ସାହ ଭରିବା ପାଇଁ ପ୍ରିୟଙ୍କା ଶେଷରେ ସକ୍ରିୟ ରାଜନୀତିକୁ ଆସିଥିବା ଚର୍ଚ୍ଚା ହେଉଛି। ଭାଇ ରାହୁଲଙ୍କୁ ସଙ୍କଟରୁ ଉଦ୍ଧାର କରିବା ଲାଗି ପ୍ରିୟଙ୍କା ଅସ୍ତ୍ର ଭାବେ କାମ କରିବେ ବୋଲି କୁହାଯାଉଛି।ପ୍ରିୟଙ୍କା ଲାଓ, ଦେଶ୍ ବଚାଓ!

୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ ମନମୋହନ ସିଂହଙ୍କ ନେତୃତ୍ୱରେ ଉପା ସରକାର ଚାଲିଥିଲା। ଏହି ସରକାର ଅମଳରେ ଅନେକ ଲୋକପ୍ରିୟ ଯୋଜନା ହୋଇଥିଲେ ବି ତାହା ଭୋଟରଙ୍କୁ ପ୍ରଭାବିତ କରିପାରି ନଥିଲା।

୨୦୧୪ ନିର୍ବାଚନରେ ରାହୁଲଙ୍କ ହାତରେ ପ୍ରଚାର ଦାୟିତ୍ୱ ସମର୍ପି ଦେଇଥିଲେ ସୋନିଆ। ରାହୁଲ ବିଭିନ୍ନ ରାଜ୍ୟ ବୁଲି କଂଗ୍ରେସ ପାଇଁ ପ୍ରଚାର କରିଥିଲେ। ଉପା ସରକାର ଅମଳର ସଫଳତା ବଖାଣିଥିଲେ। କିନ୍ତୁ ଭୋଟର ଏହାକୁ ଗ୍ରହଣ କଲେନି। ମୋଦୀ ମ୍ୟାଜିକ ଆଗରେ ରାହୁଲଙ୍କ ପ୍ରଚାର ଫିକା ପଡ଼ିଗଲା। ଫଳରେ କଂଗ୍ରେସକୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଲା। ୪୬୪ଟି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୪୪ଟି ଆସନରେ ବିଜୟ ବାନା ଉଡ଼ାଇ ପାରିଥିଲା।

ଏହି ଫଳାଫଳ କଂଗ୍ରେସ ଶିବିରରେ ହତାଶା ଖେଳାଇ ଦେଇଥିଲା। ରାହୁଲଙ୍କୁ ବିରୋଧ କରି ୨୦୧୪ରେ ଅନେକ ବରିଷ୍ଠ କଂଗ୍ରେସ ନେତା ଦଳ ଛାଡ଼ି ଚାଲି ଯାଇଥିଲେ। ଏହାସହ ବିଭିନ୍ନ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ବି ରାହୁଲଙ୍କ ମ୍ୟାଜିକ କାମ କଲାନି। ଶେଷରେ କଂଗ୍ରେସରେ ଦୀର୍ଘଦିନ ଧରି ରହିଥିବା କର୍ମୀମାନେ ‘ପ୍ରିୟଙ୍କା ଲାଓ, ଦେଶ୍ ବଚାଓ’ ସ୍ଲୋଗାନ ଦେଇଥିଲେ।ବିଜୟଲକ୍ଷ୍ମୀ ପଣ୍ଡିତଙ୍କଠାରୁ ପ୍ରିୟଙ୍କା ଗାନ୍ଧୀ

ପ୍ରିୟଙ୍କା ତାଙ୍କ ପରିବାରର ପ୍ରଥମ ମହିଳା ରାଜନେତା ନୁହନ୍ତି। ପୂର୍ବରୁ ତାଙ୍କ ପରିବାରର ମହିଳାମାନେ ରାଜନୀତିରେ ସକ୍ରିୟ ରହିଆସିଛନ୍ତି। ପଣ୍ଡିତ ଜବାହର ଲାଲ୍ ନେହେରୁଙ୍କ ଭଉଣୀ ବିଜୟଲକ୍ଷ୍ମୀ ପଣ୍ଡିତ ଲୋକସଭାକୁ ନିର୍ବାଚିତ ହେବା ସହ ମହାରାଷ୍ଟ୍ରର ରାଜ୍ୟପାଳ ମଧ୍ୟ ହୋଇଥିଲେ। ନେହେରୁଙ୍କ ପରେ ଇନ୍ଦିରା ସର୍ବାଧିକ ସମୟ ପ୍ରଧାମନ୍ତ୍ରୀ ରହିଥିଲେ। ତାଙ୍କ ପରେ ତାଙ୍କର ଦୁଇ ବୋହୂ ମାନେକା ଓ ସୋନିଆ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି। ମାନେକା ବିଜେପିରୁ ଲୋକସଭାକୁ ନିର୍ବାଚିତ ହେବା ସହ କେନ୍ଦ୍ରମନ୍ତ୍ରୀ ମଧ୍ୟ ହୋଇଛନ୍ତି। ସୋନିଆ ଦୀର୍ଘ ଦିନ ହେଲା କଂଗ୍ରେସର ନେତୃତ୍ୱ ନେଇଆସୁଛନ୍ତି। ଏବେ ପ୍ରିୟଙ୍କା କଂଗ୍ରେସରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଛନ୍ତି। ତେବେ ଆଗକୁ ସେ ଜାତୀୟ କଂଗ୍ରେସର ନେତୃତ୍ଵ ଭାବେ ଉଭା ହେବେ ବୋଲି ରାଜନୀତିକ ସମୀକ୍ଷକମାନେ ମତ ଦିଅନ୍ତି।ପ୍ରଚାର ମଇଦାନରୁ ସକ୍ରିୟ ରାଜନୀତି

ରାଜନୈତିକ କ୍ୟାରିଅର ଆରମ୍ଭରୁ ପ୍ରିୟଙ୍କା ପ୍ରତ୍ୟକ୍ଷ ରାଜନୀତି ପ୍ରତି ଆଗ୍ରହ ଦେଖାଉ ନଥିଲେ। ସେ କେବଳ ମାଆ ସୋନିଆ ଓ ଭାଇ ରାହୁଲଙ୍କ ପାଇଁ ନିର୍ବାଚନମଣ୍ଡଳୀରେ ପ୍ରଚାର କରୁଥିଲେ। ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମରେ ସହଯୋଗ କରୁଥିଲେ। ମାଆଙ୍କ ପାଇଁ ରାଇବରେଲି ଲୋକସଭା ନିର୍ବାଚନମଣ୍ଡଳୀ ଓ ଭାଇଙ୍କ ପାଇଁ ଆମିଥିରେ ଏକାଧିକ ନିର୍ବାଚନ ପାଇଁ ପ୍ରଚାରର ମଙ୍ଗ ଧରିଥିଲେ। ୨୦୧୯ରେ ସେ ପ୍ରଥମ ଥର ପାଇଁ ସେ ସକ୍ରିୟ ରାଜନୀତିରେ ସାମିଲ ହେବା ସହ କଂଗ୍ରେସ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିଲା। ଜାନୁଆରି ୨୩, ୨୦୧୯ରେ ସେ ଦଳର ମହାସଚିବ ହେବା ସହ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ପୂର୍ବାଞ୍ଚଳର ଦାୟିତ୍ୱ ନେଇଥିଲେ।

ଏହାପରେ ୨୦୨୦ ସେପ୍ଚେମ୍ବର ୧୧ରେ ସେ ଉତ୍ତରପ୍ରଦେଶର ପ୍ରଭାରୀ ଦାୟିତ୍ୱ ଗ୍ରହଣ କରିଥିଲେ। ଗତ ୨ ବର୍ଷ ଧରି ଉତ୍ତରପ୍ରଦେଶର ରାଜନୀତିରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଆସୁଛନ୍ତି ପ୍ରିୟଙ୍କା। ଗତବର୍ଷ ଅକ୍ଟୋବରରୁ କଂଗ୍ରେସର ଏକମାତ୍ର ଚେହେରା ଭାବେ ପ୍ରଚାରର ମଙ୍ଗ ଧରି ଚର୍ଚ୍ଚାରେ ରହିଛନ୍ତି। ୧୯୯୯ରେ ନିର୍ବାଚନ ଲଢ଼ିବା ପାଇଁ ପ୍ରିୟଙ୍କାଙ୍କୁ ସୁଯୋଗ ଆସିଥିଲା, କିନ୍ତୁ ସେ ସକ୍ରିୟ ରାଜନୀତିକୁ ଆସିବାକୁ ଚାହୁଁ ନଥିଲେ। ସେତେବେଳେ ହିଁ ସେ ସ୍ଥିର କରିଥିଲେ ଯେ କେବେ ରାଜନୀତିକୁ ଆସିବେ ନାହିଁ। କିନ୍ତୁ ପରେ ଅର୍ଥାତ ୨୦ ବର୍ଷ ପରେ ରାଜନୀତିରେ ସାମିଲ ହେବା ପାଇଁ ନିଷ୍ପତ୍ତି ନେଲେ।ଗାନ୍ଧୀ-ନେହେରୁ ପରିବାର ଓ ଉତ୍ତରପ୍ରଦେଶ

ଉତ୍ତରପ୍ରଦେଶ ସହିତ ଗାନ୍ଧୀ-ନେହେରୁ ପରିବାରର ସମ୍ପର୍କ ନିବିଡ଼। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କଠାରୁ ରାହୁଲ ଗାନ୍ଧୀଙ୍କ ପର୍ଯ୍ୟନ୍ତ ନେତା ଉତ୍ତରପ୍ରଦେଶର ବିଭିନ୍ନ ଆସନରେ ଭାଗ୍ୟ ପରୀକ୍ଷା କରି ସଫଳ ହୋଇଛନ୍ତି। ପଣ୍ଡିତ ନେହେରୁ ଉତ୍ତରପ୍ରଦେଶର ଫୁଲପୁର ଆସନରୁ ୧୯୫୨ରୁ ୧୯୬୨ ଯାଏଁ ଏହି ଆସନରୁ ନିର୍ବାଚିତ ହୋଇ ଆଥିଲେ। ତାଙ୍କ ପରେ ନେହେରୁଙ୍କ ଭଉଣୀ ବିଜୟଲକ୍ଷ୍ମୀ ପଣ୍ଡିତ ମଧ୍ୟ ସେହି ଆସନରୁ ଦୁଇଥର ନିର୍ବାଚିତ ହୋଇଥିଲେ।

ନେହେରୁଙ୍କ ଝିଅ ଇନ୍ଦିରା ଗାନ୍ଧୀ ମଧ୍ୟ ଉତ୍ତରପ୍ରଦେଶର ରାଇବରେଲିରୁ ଲୋକସଭାରୁ ନିର୍ବାଚିତ ହେବା ସହ ପ୍ରଧାନମନ୍ତ୍ରୀ ହୋଇଥିଲେ। ସେ ଏହି ଆସନରୁ ୧୯୬୭, ୧୯୭୧, ୧୯୮୦ରୁ ଏହି ଆସନରୁ ନିର୍ବାଚିତ ହୋଇଥିଲେ। ୧୯୮୦ରେ ଇନ୍ଦିରା ତତ୍କାଳୀନ ଆନ୍ଧ୍ରପ୍ରଦେଶର ମେଡକରୁ ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ମେଡକ ଆସନକୁ ରଖିବା ସହ ରାଇବରେଲିକୁ ଛାଡ଼ିଥିଲେ। ଏହାପରେ ରାଇବରେଲି ଆସନରୁ ୨୦୦୪ ମସିହାରୁ ଇନ୍ଦିରାଙ୍କ ବୋହୂ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପତ୍ନୀ ସୋନିଆ ଜିତିଆସୁଛନ୍ତି।

ୟୁପିର ଆମେଥି ଆସନରୁ ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ମଧ୍ୟ ନିର୍ବାଚନ ଜିତିଛନ୍ତି। ଏହି ଆସନରୁ ରାଜୀବ ଗାନ୍ଧୀଙ୍କ ସାନ ଭାଇ ସଞ୍ଜୟ ଗାନ୍ଧୀ ମଧ୍ୟ ନିର୍ବାଚନ ଜିତିଥିଲେ। ସେହିପରି ପିଲଭିଟ୍, ସୁଲତାନପୁର ଓ ଆଓଁଲା ଆସନରୁ ସଞ୍ଜୟ ଗାନ୍ଧୀଙ୍କ ପତ୍ନୀ ମାନେକା ଗାନ୍ଧୀ ବିଜେପି ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୁଅ ବରୁଣ ଗାନ୍ଧୀ ମଧ୍ୟ ପିଲଭିଟ୍ ଓ ସୁଲତାନପୁରରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଉତ୍ତରପ୍ରଦେଶ କେବଳ ନେହେରୁ ପରିବାରର ଜନ୍ମସ୍ଥାନ ନଥିଲା, ବରଂ ଏହି ପରିବାରର ରାଜନୀତି ଉତ୍ତରପ୍ରଦେଶ ଦେଇ ଆଗକୁ ଯାଇଛି। ଡେୟାରିଂ ଲେଡି ‘ପ୍ରିୟଙ୍କା’

ତତ୍କାଳୀୟ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଆଇରନ ଲେଡି କୁହାଯାଉଥିଲା। କିନ୍ତୁ ଏବେ ପ୍ରିୟଙ୍କା ଗାନ୍ଧୀଙ୍କୁ ଡେୟାରିଂ ଲେଡି ଭାବେ ରାଜନୀତି ପଣ୍ଡିତ ଆଖ୍ୟା ଦେଇଛନ୍ତି। ଗତ କିଛିଦିନ ଘଟଣାବଳୀକୁ ଅନୁଧ୍ୟାନ କଲେ ପ୍ରିୟଙ୍କା ସବୁ କାମରେ ନିଜର ଅଦମ୍ୟ ସାହସ ଦେଖାଇଛନ୍ତି। ଉନ୍ନାଓ ପୀଡ଼ିତାଙ୍କୁ ନ୍ୟାୟ ଦେବା ପ୍ରସଙ୍ଗ ହେଉ କି ହାଥରସ ଘଟଣା। ଲଖିମପୁର ଖେରିରେ ଗୋଟିଏ କୃଷକ ପରିବାର ସହ ଘଟିଥିବା ଜଘନ୍ୟ କାଣ୍ଡରେ ପ୍ରିୟଙ୍କା ଆଗକୁ ଆସିଥିଲେ। ସଂପୃକ୍ତ ପରିବାରକୁ ନ୍ୟାୟ ଦେବା ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ ପ୍ରିୟଙ୍କା। ଏହି ଘଟଣାରେ ପ୍ରିୟଙ୍କା ଅନେକ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପୋଲିସ ହେପାଜତରେ ତାଙ୍କୁ ରହିବାକୁ ପଡ଼ିଛି। ହେଲେ ଏଥିରେ ସେ ବିଚଳିତ ନହୋଇ ନିଜର ସାହସ ପ୍ରଦର୍ଶନ କରିଥିଲେ।ଇନ୍ଦିରାଙ୍କ ହତ୍ୟାକାଣ୍ଡ ପରେ ପ୍ରିୟଙ୍କା ଓ ରାହୁଲଙ୍କ ପିଲାଦିନ କଡ଼ା ସୁରକ୍ଷା ବଳୟ ଭିତରେ କଟିଛି। ବାପା ରାଜୀବଙ୍କୁ ହତ୍ୟା ବେଳେ ପ୍ରିୟଙ୍କାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ଅତି କମ ବୟସରେ ପରିବାରର ସବୁଠାରୁ ବଡ଼ ଅଘଟଣକୁ ଦେଖିଥିଲେ, ଭୟବହତାକୁ ଅନୁଭବ କରିଥିଲେ ପ୍ରିୟଙ୍କା। ରାଜନୀତିକୁ ସେ ବିଳମ୍ବରେ ଆସିବା ପଛରେ କାରଣ କଣ ତାହା କେବେ ପ୍ରିୟଙ୍କା କହି ନାହାନ୍ତି, କିନ୍ତୁ ପାରିବାରିକ ଅଘଟଣକୁ ଏହାର ଏକ କାରଣ କୁହାଯାଇପାରେ ବୋଲି ଅନେକ ବିଚାର କରନ୍ତି।

Comment