1. ଓଡ଼ିଶାଲାଇଭ୍ ବ୍ୟୁରୋ

ଆଉ ଦିନକ ପରେ ଅର୍ଥାତ୍ ଆସନ୍ତା ୧୬ ତାରିଖ ଓଡ଼ିଶାର ୩୦ଟି ଜିଲ୍ଲାରେ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ବିଭିନ୍ନ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି। ସୋମବାର ସନ୍ଧ୍ୟା ୭ ମଧ୍ୟରେ ପ୍ରଚାର ଶେଷ କରିବାକୁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ଯୋଗୁଁ ନିର୍ବାଚନ ପ୍ରଚାର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଲାଗୁ କରାଯାଇଥିଲା। ମାତ୍ର ୫ ଜଣ ସମର୍ଥକଙ୍କୁ ନେଇ ପ୍ରାର୍ଥୀ ପ୍ରଚାର କରିବାକୁ ଅନୁମତି ଦିଆଯାଇଥିଲା। ଏହା ସହ ସଭା ସମିତି ଏବଂ ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଥିଲା।

କୋଭିଡ ସ୍ଥିତିରେ ସୁଧାର ଆସିବା ପରେ ନିର୍ବାଚନ କଟକଣାକୁ ଗତ ୧୦ ତାରିଖରେ କୋହଳ କରାଯାଇଥିଲା। ଏହା ଅନୁଯାୟୀ ୫ଜଣଙ୍କ ପରିବର୍ତ୍ତେ ୨୦ ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ଯାଇ ପ୍ରଚାର କରିବାକୁ ପ୍ରାର୍ଥୀଙ୍କୁ ଅନୁମତି ଦିଆଯାଇଥିଲା। ଏହା ସହ ୩୦୦ ଶହ ଜଣଙ୍କୁ ନେଇ ବିଭିନ୍ନ ରାଜନୈତିକ ଦଳ ସଭା କରିପାରିବେ ବୋଲି ମଧ୍ୟ କୁହାଯାଇଥିଲା। ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ପ୍ରଚାର କାର୍ଯ୍ୟ ସାରିବାକୁ ସମସ୍ତ ଦଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ।

ଆସନ୍ତା ୧୬ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେଉଥିବାରୁ। ୧୪ ତାରିଖ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପ୍ରର୍ଥୀମାନେ ପ୍ରଚାର କରିବାକୁ ଅନୁମତି ରହିଛି। ଓଡ଼ିଶାରେ ୫ଟି ପର୍ଯ୍ୟାୟରେ ମତଦାନ କରାଯିବ। ଫେବ୍ରୁଆରି ୧୬ ତାରିଖ, ଦ୍ଵିତୀୟ ପର୍ଯ୍ୟାୟ ମତଦାନ ୧୮ ତାରିଖ, ତୃତୀୟ ପର୍ଯ୍ୟାୟ ମତଦାନ ୨୦ ତାରିଖ, ଚତୁର୍ଥ ପର୍ଯ୍ୟାୟ ମତଦାନ ୨୨ ତାରିଖ ଏବଂ ପଞ୍ଚମ ପର୍ଯ୍ୟାୟ ମତଦାନ ୨୪ ତାରିଖରେ ଅନୁଷ୍ଠିତ ହେବ।

ସୋମବାର ନିର୍ବାଚନ ପ୍ରଚାରର ଶେଷ ଦିନ ହୋଇଥିବାବେଳେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପ୍ରାର୍ଥୀମାନେ ଡାକବାଜି ଯନ୍ତ୍ର ଦ୍ୱାରା ଗାଁରେ ପ୍ରଚାର କରିପାରିବେ ନାହିଁ। ସନ୍ଧ୍ୟା ୭ଟା ସୁଦ୍ଧା ପ୍ରତି ରାଜନୈତିକ ଦଳର ନେତା ଏବଂ ପ୍ରଚାର କାର୍ଯ୍ୟରେ ନିୟୋଜିତ ଅନ୍ୟ ଅଞ୍ଚଳର ନେତାମାନେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀ ଛାଡ଼ିବାକୁ ନିର୍ଦ୍ଦେଶ ରହିଛି। ପ୍ରଥମ ପର୍ଯ୍ୟାୟ ମତଦାନ ୩୦ ଜିଲ୍ଲାର ୭୧ ବ୍ଲକ ଅନ୍ତର୍ଗତ ୨୦୨ ଜିଲ୍ଲା ପରିଷଦ ଆସନ ପାଇଁ ମତଦାନ କରାଯିବ।

ପ୍ରଥମ ପର୍ଯ୍ୟାୟରେ ୧,୬୬୯ ପଞ୍ଚାୟତରେ ୨୨,୩୭୯ ବୁଥରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୭ ଲକ୍ଷ ୫୧ ହଜାର ଭୋଟର। ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତି ଜୋରଦାର କରିଯିବା ସହ ବାଲାଟ ପେପର ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ସୋମବାର ୧୧ଟି ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଖୋର୍ଦ୍ଧା, ନୟାଗଡ଼, ପୁରୀ, ଗଞ୍ଜାମ, ଗଜପତି,  କନ୍ଧମାଳ, ବୌଦ୍ଧ, ରାୟଗଡ଼ା ଓ କୋରାପୁଟର ବିଭିନ୍ନ ପୋଲିଂ ବୁଥ୍‌କୁ ପୋଲିଂ ପାର୍ଟି ଯିବେ। ୧୫ ତାରିଖରେ ୧୯ଟି ଜିଲ୍ଲାକୁ ପୋଲିଂ ପାର୍ଟି ଯିବାର କାର୍ଯ୍ୟକ୍ରମ ରହିଛି। ଅନ୍ୟ ପକ୍ଷରରେ ନକଲି ଭୋଟରଙ୍କୁ ସତର୍କବାଣୀ ଶୁଣାଇଛନ୍ତି ନିର୍ବାଚନ କମିଶନର। ନକଲି ଭୋଟର ନିର୍ବାଚନ ସମୟରେ ଧରାପଡ଼ିଲେ ସେମାନଙ୍କୁ ପୋଲିସ ଜିମା ଦିଆଯିବ ବୋଲି ପୂର୍ବରୁ ସତର୍କ କରାଯାଇଛି।

Comment