ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକାଛଳ ପଞ୍ଚାୟତ ବାମଦେବପୁରରେ ଗତ ରବିବାର ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବଚାନ ପାଇଁ ମତଦାନ ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଘଟଣାରେ ସୋମବାର ୪୨ ଜଣଙ୍କୁ ଗିରଫ କରାଯାଇଥିବା ଯାଜପୁର ଏସପି ରାହୁଲ ପି ଆର ସୂଚନା ଦେଇଛନ୍ତି। ଗତ ରବିବାର ପୋଲିସ ଏହି ଘଟଣାରେ ୨୦ ଜଣଙ୍କୁ ଥାନାରେ ଅଟକ ରଖିଥିଲା।

ବାମଦେବପୁର ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଗତ ରବିବାର ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ମତଦାନ ଚାଲିଥିଲା। ମତଦାନ ସମୟରେ ୨ ନମ୍ବର ଏବଂ ୩ ନମ୍ବର ବୁଥରେ କିଛି ଦୁର୍ବୃତ୍ତ ପଶି ବାଲାଟ ପେପର ଏବଂ ବାଲାଟ ପେପର ଥିବା ବାକ୍ସକୁ ନେଇଯାଇଥିଲେ। ଖବର ପାଇ ଗଣମାଧ୍ୟମ ପ୍ରତିନିଧି ବାଲାଟ ପେପର ଲୁଟର ଚିତ୍ର ଉତ୍ତୋଳନ କରିଥିଲେ।

ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ଗଣମାଧ୍ୟମ ପ୍ରତିନିଧି ଗୁଲସନ ନବାଜ ଅଲ୍ଲୀ ଖାଁଙ୍କୁ ମରଣାନ୍ତଙ୍କ ଆକ୍ରମଣ କରିଥିଲେ। କେବେଳ ସେତିକି ନୁହେଁ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ିକୁ ଭାଙ୍ଗି ଚୁରମାର ମଧ୍ୟ କରି ଦେଇଥିଲେ। ପରେ ଦୁର୍ବୃତ୍ତମାନେ ବାଲାଟ ପେପର ଏବଂ ବାଲାଟ ବାକ୍ସକୁ ପୋଖରୀକୁ ଫିଙ୍ଗି ଦେଇଥିଲେ।

ଖବର ପାଇ ପୋଲିସ ଫୋର୍ସ ସହିତ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ନାରାୟଣ ଚନ୍ଦ୍ର ବାରିକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ସାମ୍ବାଦିକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଏନେଇ ବିଞ୍ଝାରପୁର ପୋଲିସ୍ ରବିବାର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦ ଜଣଙ୍କୁ ଅଟକ ରଖିଥିଲା। ସୋମବାର ଏହି ଘଟଣାରେ ୪୨ ଜଣଙ୍କୁ ଗିରଫ କରାଯାଇଥିବା ଯାଜପୁର ଏସପି ସୂଚନା ଦେଇଛନ୍ତି। ଦୁର୍ବୃତ୍ତମାନେ ଫୋଖରୀକୁ ଫିଙ୍ଗି ଦେଇଥିବା ବାଲାଟ ପେପର ଏବଂ ବାକ୍ସକୁ ଉଦ୍ଧାର କରାଯାଇଛି।

Comment