ଓଡ଼ିଶାଲାଇଭ୍ ବ୍ୟୁରୋ

ମଙ୍ଗଳବାର ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଚତୁର୍ଥ ପର୍ଯ୍ୟାୟରେ ମୋଟ ୭୩ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି। ରାଜ୍ୟର ୨୭ଟି ଜିଲ୍ଲା, ୬୪ଟି ବ୍ଲକର ୧୬୩ ଜିଲ୍ଲା ପରିଷଦ ଜୋନ୍ ଏବଂ ୧,୨୫୪ଟି ପଞ୍ଚାୟତରେ ମତଦାନ କରିଛନ୍ତି ଭୋଟର। ଚତୁର୍ଥ ପର୍ଯ୍ୟାୟରେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ମୋଟ ୫୧,୩୧,୭୨୭ ଭୋଟର।

ଚତୁର୍ଥ ପର୍ଯ୍ୟାୟ ମତଦାନ ବେଳେ ମଧ୍ୟ ବିଭିନ୍ନ ବୁଥରେ ବିଭ୍ରାଟ ଦେଖାଯାଇଛି। ବାଲଟ ପେପର ତ୍ରୁଟି ଯୋଗୁଁ ଯାଜପୁର ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ମତଦାନ ବାଧାପ୍ରାପ୍ତ ହୋଇଛି। ଏହି ସବୁ ବୁଥରେ ପୁନର୍ବାର ନିର୍ବାଚନ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବିଭିନ୍ନ ବିଭ୍ରାଟ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା। ବାଧାପ୍ରାପ୍ତ ହୋଇଥିବା ବୁଥଗୁଡ଼ିକରେ ପୁନର୍ବାର ନିର୍ବାଚନ ହେବ।

ପ୍ରଥମ ଏବଂ ତୃତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ବାଧାପ୍ରାପ୍ତ ହୋଇଥିବା ମୋଟ ୪୫ଟି ବୁଥରେ ଆସନ୍ତା ୨୩ ତାରିଖ ଏବଂ ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ହୋପାରିନଥିବା ମୋଟ ୩୦ଟି ବୁଥରେ ଆସନ୍ତା ଫେବ୍ରୁଆରି ୨୫ ତାରିଖରେ ସାନି ମତଦାନ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି।

ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଗତ ୨୧ ତାରିଖଠାରୁ ପୋଲିଂ ପାର୍ଟି ବୁଥରେ ପହଞ୍ଚି ଥିଲେ। ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ କରିବାକୁ ବିଭିନ୍ନ ବୁଥଗୁଡ଼ିକରେ ପୋଲିସ ଫୋର୍ସ ମୁତୟନ ହୋଇଥିଲେ। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ନିମନ୍ତେ ସମସ୍ତ ପ୍ରସ୍ତୁତି କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ୭୭.୨ ପ୍ରତିଶତ ମତଦାନ ହୋଇଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ୭୮.୩ ପ୍ରତିଶତ ମତଦନ ହୋଇଥିଲା। ଏହା ସହ ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ କରିଥିଲେ ଭୋଟର। ତୃତୀୟ ପର୍ଯ୍ୟାୟରେ ୨୯ଟି ଜିଲ୍ଲାର ୬୩ଟି ବ୍ଲକ, ୧,୩୮୨ଟି ଗ୍ରାମ ପଞ୍ଚାୟତରେ ମତଦନ ହୋଇଥିଲା।

ଆସନ୍ତା ଫେବ୍ରୁଆରି ୨୪ ତାରିଖ ଅନ୍ତିମ ଅର୍ଥାତ ପଞ୍ଚମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବ। ଏହା ପରେ ଫେବ୍ରୁଆରି ୨୬, ୨୭ ଏବଂ ୨୮ ତାରିଖ ଭୋଟ ଗଣତି କରାଯିବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି।

Comment