ଓଡ଼ିଶାଲାଇଭ୍ ବ୍ୟୁରୋ

ନିର୍ବାଚନ ସମୟରେ ଗାଁ ଗହଳିରେ ଏବେ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ତେଣୁ ହିଂସାକୁ ଭୁଲି ସଂଗୀତ ମାଧ୍ୟମରେ ଭାଇଚାରର ବାର୍ତ୍ତା ଦେବାକୁ ଚେଷ୍ଟା କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ। ଓଡ଼ିଶାଲାଇଭ୍ ଫେସବୁକ ପେଜରେ ଦେଖନ୍ତୁ ଭିଡିଓ।

ବର୍ତ୍ତମାନ ରାଜ୍ୟରେ ନିର୍ବାଚନୀ ହିଂସା ବଢ଼ିଚାଲିଛି। ଭୋଟକୁ ନେଇ ଚାଲିଥିବା ରାଜନୀତି ଏବେ ହିଂସା ଏବଂ ରକ୍ତପାତର ରୂପ ନେଇଛି। ହିଂସା ଆଗରେ ଫିକା ପଡ଼ିଯାଉଛି ରକ୍ତ ସମ୍ପର୍କ। ନିର୍ବାଚନକୁ ନେଇ ଏବେ ଭାଇ ଭାଇ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳୁଛି। ରାଜ୍ୟରେ ନିର୍ବାଚନ ସମୟରେ ହିଂସା ଘଟୁଥିବାବେଳେ ହିଂସା ଭୁଲି ଭାଇଚାର ବାଣ୍ଟିବାକୁ ସଂଗୀତ ମାଧ୍ୟମରେ ପ୍ରୟାସ କରିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।

“ହିଂସା ହିଁ ମଣିଷକୁ ବିପଥଗାମୀ କରିଥାଏ। ଆମ କଳା ଏବଂ ସଂସ୍କୃତି ପ୍ରତି ଲୋକଙ୍କର ଋଚି କମି ଯାଇଥିବାରୁ ହିଂସା ବଢ଼ିଯାଇଛି। ଆଗରୁ ଗାଁ ଗହଳିରେ ପାର୍ଟି ଅଫିସ ନଥିଲା। କେବଳ କ୍ଲବ ଓ ଯୁବକ ସଂଘ ଥିଲା। ଯେଉଁଠାରେ ଆମେ ମିଳିମିଶି ଯାତ୍ରା କରୁଥିଲୁ। ସମସ୍ତଙ୍କ ମଧ୍ୟରେ ଗୋଟିଏ ଭାଇଚାରାର ମଧୁର ସମ୍ପର୍କ ରହିଥିଲା। ବର୍ତ୍ତମାନ ଭାଇଚାରା ଦେଖିବାକୁ ମିଳୁନି। କ୍ଲବ ନାହିଁ କି ଯୁବକ ସଂଘ ନାହିଁ। ଅଛି କେବଳ ହିଂସା ଆଉ ହିଂସା”, କହିଛନ୍ତି ପ୍ରେମ ଆନନ୍ଦ

ଆଗରୁ ଗାଁ ଦାଣ୍ଡରେ ପଙ୍ଗତ ବସୁଥିଲା। ଏବେ ଆଉ ଗାଁରେ ପଙ୍ଗତ ନାହିଁ କିମ୍ବା ସଂଗତ ବି ନାହିଁ। ଆଗରୁ ବି ରାଜନୀତି ଥିଲା, କିନ୍ତୁ ହିଂସା ନଥିଲା। ଏବେକା ରାଜନୀତି ହିଂସା ପୂର୍ଣ୍ଣ ହୋଇପଡ଼ିଛି। କେଉଁଠି ସାମ୍ବାଦିକମାନଙ୍କୁ ଆକ୍ରମଣ ତ ଆଉ କେଉଁଠି ଭାଇ ଭାଇ ମଧ୍ୟରେ ସଂଘର୍ଷ। ଏବେ ରାଜନୀତି ପାଇଁ ଆମେ ବହୁତ ତଳକୁ ଖସିଯାଇଛୁ। ମାନବିକତାକୁ ଭୁଲି ଯାଉଛୁ ବୋଲି କହିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।

“ହିଂସା ନୁହେଁ ସମ୍ପର୍କ ସୂତା ଯୋଡ଼ିବା। ପୁଣି ଗାଁରେ କ୍ଲବ ଗଢ଼ିଉଠୁ, ସଂଘ ଗଢ଼ିଉଠୁ ଏବଂ ଗାଁରେ ଯାତ୍ରା ଆଦି ହେଉ। ମନୋରଂଜନ ହେଲେ ହିଂସା ନିଶ୍ଚୟ କମିବ”, ଏହି ଭଳି ସଚେତନତା ଭରା ବାର୍ତ୍ତା ଦେଇଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ।

“ଏମିତି ଆଗରୁ ମଣିଷ କେବେ ଦେଖିନଥିଲା, କିଏ କାହା ସୁଖ ଦେଖିପାରିବନି ହଉ ନଥିଲା। ଆଗରୁ ଗାଁ ଗାଁରେ ଭୋଜି ପଙ୍ଗତ ଥିଲା, ଗାଁର କଳି ଗାଁ ମୁରବୀ ତୁଟଉ ଥିଲା। ଏବେ ଗାଁ ଗାଁରେ ହିଂସା ଏତ ବଡ଼ ଦୁର୍ଭାଗ୍ୟ। ମଣିଷ କ’ଣ କରିବ? ନାଚଗୀତ ନାହିଁ ହିଂସା ବଢ଼ିବ ହିଁ ବଢ଼ିବ, ମନୋରଂଜନ ନାହିଁ ହିଂସା ବଢ଼ିବ ହିଁ ବଢ଼ିବ”। ଗୀତ ଗୀତରେ ପୂର୍ବରୁ ରହିଥିବା ଗାଁ ଗହଳିର ପରିବେଶ ଚାଲିଚଳନି ଏବଂ ପରସ୍ପର ଭିତରେ ରହିଥିବା ସମ୍ପର୍କକୁ ଖୁବ୍ ସୁନ୍ଦର ଭାବେ ସଜାଇଛନ୍ତି ପ୍ରେମ ଆନନ୍ଦ।

ସଂଗୀତ ମାଧ୍ୟମରେ ସମାଜର ହିଂସା ଦୂରେଇ ଭାଇଚାର ଏବଂ ସୁସମ୍ପର୍କ ଗଢ଼ିତୋଳିବାକୁ ପ୍ରେମ ଆନନ୍ଦ ପ୍ରୟାସ କରୁଥିବାବେଳେ ଗୀତଟିକୁ ଗାଇଛନ୍ତି ଓଡ଼ିଶାର ଜଣାଶୁଣା ଗାୟକ ସତ୍ୟଜିତ ପ୍ରଧାନ। ଏବେ ବିଧାନସଭା ଏବଂ ଲୋକସଭାରେ ନେତା ନେତ୍ରୀମାନେ ମିଛରେ ନିଜ ନିଜ ଭିତରେ ଟଣା ଓଟରା ହେଉଛନ୍ତି। କିନ୍ତୁ ନିର୍ବାଚନ ସମୟ ଆସିଲେ ଗାଁ ଗାଁରେ ନିଜ ଲୋକ, ଭାଇ ଭାଇ ଏବଂ ସାଂଗସାଥୀଙ୍କ ମଧ୍ୟରେ ସତସତିକା ହଣାକଟା ପର୍ଯ୍ୟନ୍ତ କଥା ଯାଉଛି।

ପୂର୍ବରୁ ଗାଁ ଗହଳିମାନଙ୍କରେ ଲୋକଙ୍କୁ ବାନ୍ଧି ରଖିବା ପାଇଁ ସଂଗୀତ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଭୂମିକା ନିର୍ବାହ କରୁଥିଲା। ଭାଗବତ ଟୁଙ୍ଗି ଥିଲା। କୌଣସି ପର୍ବପର୍ବାଣୀ ଆସିଲେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଗାଁ ଲୋକ ଏକାଠି ବସି ମଜା ନେଉଥିଲେ। କିନ୍ତୁ ଏବେ ଗାଁ ଗହଳିରେ ବିଭିନ୍ନ ରାଜନୈତିକ ଗୋଷ୍ଠୀ ଗଢ଼ି ଉଠିଛି। ଭାଇଚାରା ଭୁଲି ନିଜ ନିଜ ମଧ୍ୟରେ ଶତ୍ରୁତା କରିବାକୁ ଲାଗିଛନ୍ତି ଆପଣାର ଲୋକେ।

ଆଗରୁ ଗାଁ ଗହଳିରେ ଯାତ୍ରା ହେଉଥିଲା। ଘର ଘର ବୁଲି ଚାନ୍ଦା ଆଦାୟ କରାଯାଉଥିଲା। ଚାଉଳ ମଧ୍ୟ ମାଗି ଅଣାଯାଉଥିଲା। ଏକାଠି ବସି ଗାଁ ଲୋକମାନେ ଯାତ୍ରାର ମଜା ନେଉଥିଲେ। ଏବେ ସେସବୁ ଦେଖିବାକୁ ମିଳୁନାହିଁ। ଆଗରୁ ଗାଁରେ କ୍ଲବ ଥିଲା ଭୋଜି ଭାତ କରି ଲୋକେ ଖାଉଥିଲେ ଏବଂ ଖୁସି ହେଉଥିଲେ। ଏବେ ଓଲଟା ହେଉଛି। ପାର୍ଟି ଅଫିସ ଖୋଲିଛି। ନିଶା ପାଇଁ ଲୋକଙ୍କ ମଧ୍ୟରେ ହିଂସା ଚାଲିଛି। ହିଂସାଠାରୁ ଦୂରେଇ ଭାଇଚାରା ସୃଷ୍ଟି କରିବାକୁ ପ୍ରେମ ଆନନ୍ଦ ସଂଗୀତ ମାଧ୍ୟମରେ ପ୍ରୟାସ କରିଛନ୍ତି।

Comment