ପ୍ରଫେସର ସଞ୍ଜୟ ଶତପଥୀTrunadapi

ତୃଣାଦପି’ – ‘ବିନମ୍ରତାର ବିଭବପ୍ରଫେସର ସଞ୍ଜୟ ଶତପଥୀଙ୍କ ଏକ ନିୟମିତ ସ୍ତମ୍ଭ ଓଡ଼ିଶାଲାଇଭ୍ରେ ପ୍ରକାଶିତ ଏହି ସ୍ତମ୍ଭ ମାଧ୍ୟମରେ ପ୍ରଫେସର ଶତପଥୀ ତାଙ୍କ ଜୀବନର ବିଭିନ୍ନ ସ୍ମୃତି ଉପସ୍ଥାପନ କରୁଛନ୍ତି

(ଭାଗ – ୩)

ପହିଲି ବର୍ଷାର ରୋମାଞ୍ଚ ବେଖୀ ଥାଏ ବର୍ଷା ଭିଜା ଶୁଖିଲା ମାଟିର ମହକରେ। ମନ ମୋହିତ ହୁଏ। ହେଲେ ମନକୁ ଆସେନି, ମାଟି କାହିଁକି ବାସେ? ଶ୍ରାବଣରେ ଭିଜାମାଟି ତ ଏମିତି ବାସେନି। ମାଟି ଖାଇବାକୁ ଇଚ୍ଛା ଜାଗେନି। ମହକରେ ଆକର୍ଷଣ ଅନନ୍ୟ ଆଜିବି ମନେଅଛି। ପହିଲି ବର୍ଷାମାନଙ୍କର ସେ ଅଭୁଲା ମୁହୁର୍ତ୍ତ। କାଳବୈଶାଖିର ତାଣ୍ଡବ। ପିଲା ମନ ବୁଝିପାରିନି – ବିଜୁଳି ଆଉ ଘଡଘଡି ଭିତରର ସମ୍ପର୍କ। ଆଲୋକ ଆଉ ଶବ୍ଦର ଗତିଶୀଳତା। ଆମ୍ବଭର୍ତ୍ତି ଆମ୍ବଡାଳ ଭାଙ୍ଗି ପଡିବାର ଦୃଶ୍ୟ ଆମ୍ବତୋଳା। ଅଜଣା ଆକର୍ଷଣରେ ତୁଳସୀ ଚଉରା ମୂଳର ମାଟିଖିଆ। ବର୍ଷାଭିଜା ଦୁବଘାସ କେରାଏ ଧରି ଦୁବର ରଙ୍ଗ ଅବଲୋକନ। କଅଁଳ ଆମ୍ବ ପତ୍ରର ରଙ୍ଗ କେତେ ସୁନ୍ଦର ସତେ! ସୁନ୍ଦର ଧାନ ଗଛ କେଣ୍ଡା କାଖେଇବାର ଦୃଶ୍ୟ! ସୁନ୍ଦର ପାଚିଲା ଧାନ କ୍ଷେତର ବାସ୍ନା। ଦୋଳରେ ଝୁଲିବା ପାଇଁ ତୋଳା ଆମ୍ବ ପେନ୍ଥି। କେତେ ସୁନ୍ଦର! ପଖାଳରେ କୁନି ଆମ୍ବ ଡେମ୍ଫର ରସ କେତେ ମନ ମୋହା! ବର୍ଷର ପହିଲା ଫଳ କେତେ ଆକର୍ଷଣୀୟ ସତରେ! କେତେ ସୁନ୍ଦର ସାରୁ ପତରରେ, ପଦ୍ମ ପତରରେ ଜଳବିନ୍ଦୁ। କେତେ ସୁନ୍ଦର କ୍ଷେତ ମଝି ଗଛରେ ଫୁଲଭର୍ତ୍ତି ନୀଳତମାଳ ଲତା।ମୋ ଜନ୍ମ ପରେ ସେଇ ଫଗୁଣ ମାସ ଶୁକ୍ଲପକ୍ଷରେ ଠାକୁରଘରେ ଗଜା ହୋଇଥିବା ନଡିଆଟି କୂଅଠୁ ଟିକେ ଛାଡି ଲଗା ହେଇଥିଲା। ମୋର ଯାଆଁଳା ଭାଇ ଭଳି ଲାଗେ। ଭାଇ ନ ପଚାରି ପାରେ। ଗଛ ସାଥି ଦେବ। ନିଶ୍ଚୟ। ତା’ର ପହିଲି ଫଳ ମୋରି ହାତରେ ଗାଁମନ୍ଦିର ପଠା ହୋଇଥିଲା। ଜେଜେ କହିଥିବା ବାଲିଗାଁ ଦାସଙ୍କ କଥା ଆଜିବି ଜୀବନ୍ତ।  ଆମର ଘର ପାଖରେ ବାଉରି ସାହି। ଦାସିଆ ବାଉରିଙ୍କ ନଡିଆ ଜଗନ୍ନାଥେ ହାତ ବଢେଇ ନେଇଥିବା କଥା ଏତେ ମନକୁ ମୋହିଥିଲା ଯେ ସେ ସାହିର ସମସ୍ତେ ମୋର ପ୍ରିୟ। ଆଜିବି ସେହି ନଡିଆ ଗଛର ପହିଲି ନାରଙ୍ଗୀ ଚଅଁର, ନଡିଆ ଗୋଟମା, ପହିଲି ଫଳ ମୋ ଆଖିରେ ସବୁ ଅଲିଭା ଦୃଶ୍ୟ।ମନରେ ପ୍ରଶ୍ନ ଉଠେ ଅନେକ। କିଛି ପ୍ରଶ୍ନର ଉତ୍ତର ଜେଜେ ଦିଅନ୍ତି, କିଛି କକେଇ। କିଛି ପ୍ରଶ୍ନର ଉତ୍ତର ବୋଉ ଦିଏ ତ କିଛି ଉତ୍ତର ପାଇଁ ଦୂରରେ ଚାକିରି କରୁଥିବା ବାପାଙ୍କ ଆସିବାକୁ ଅପେକ୍ଷା କରିବାକୁ ପଡେ। ଗାଁ ଚାହାଳୀର ଛୋଟ ମାଷ୍ଟ୍ରେ ବି ଅନେକ ପ୍ରଶ୍ନର ଉତ୍ତର ଦେଇ ମନ ଖୁସି କରାନ୍ତି। ଅଗଣାର ଚୁଲିରେ ଚାଉଳ ଫୁଟିଲେ ସବୁଦିନ ସମାନ ବାସ୍ନା ହୁଏନି। ଦିନେ ଦିନେ ଭାରି ସୁନ୍ଦର ବାସେ। ଧାନ ମାନେ ଦେଖିବାକୁ ସମାନ। ଟିକେ ଛୋଟ, ବଡ। ହେଲେ ଗୁଣ ଅସମାନ। କିଏ ଶୀଘ୍ର ପାଚେ। କିଏ ଡେରିରେ। ଡେରିରେ ପାଚେ ବାସ୍ନା ଧାନ। ଚମତ୍କାର ଖିରି ହୁଏ। ଦାଣ୍ଡରେ ଧାନ ଉସୁଆଁ, ଶୁଖିଲା ନଡିଆ ପତରରେ ଚୁଲିଲଗା, ପାଉଁଶ ଗଦାରେ ପୋଡା ଆଳୁ, ବାଇଗଣର ମହକ, ସବୁ ନିଆରା। ସେ ମହକ ଆଉ ଆଜି କାହିଁ!

ବାଉରି ସାହିରୁ ସଞ୍ଜରେ ଖଞ୍ଜଣି ବଜେଇ ଗୀତ ଗାଉଥିବା ଦାଦିଙ୍କ ମରଣରେ ପ୍ରଥମ ଶବ ଦେଖା। ବୋଉ ନେଇଯାଇଥିଲା ଘର ଭିତରକୁ, ଛୁଆ କାଳେ ଡରିବ। ହେଲେ ସେ ଭିନ୍ନ ଦୃଶ୍ୟ ମନରେ ଛାପ ପକେଇଥିଲା। ଶବକୁ କାହିଁକି ଧଳା ଲୁଗା ଘୋଡା ହୁଏ? କାହିଁକି ଖଇ କଉଡି ବୁଣାହୁଏ? କାହିଁକି ଡାକ ହୁଏ “ରାମ ନାମ ସତ୍ୟ ହେ . . ହରି ନାମ ସତ୍ୟ ହେ” ଆଉ କେଉଁ ନାଁ କାହିଁକି ନୁହେଁ? ମରିଗଲେ ମଣିଷ କେଉଁଠି କି ଯାଏ? ଥରେ ଏମିତି ଚାଲିଚାଲି ଶ୍ମଶାନ ପାଖକୁ ଯାଇ ଦେଖିଥିଲି, କିଛି ଦରପୋଡା କାଠ, ଖପୁରୀ, ହାଡ, ପାଉଁଶ, ଭଙ୍ଗାହାଣ୍ଡି। ଏସବୁ କଣ! ଖପୁରୀରୁ ତ ଚିହ୍ନି ହେବନି କିଏ ଧନୀ, କିଏ ଗରୀବ! କିଏ ପୁରୁଷ, କିଏ ନାରୀ! କାହାର ବୟସ, କାହାର ଜାତି! ଖରାବେଳେ ଏକଲା ପିଲାଟିକୁ ଦେଖି ଫଡ ଫଡ ହୋଇ ତାଳଗଛରୁ ଉଡି ଯାଇଥିଲା ଶାଗୁଣା। ସେ ଶବ୍ଦ ବି ଆଜିମନେ ଅଛି।ଗାଁମୁଣ୍ଡର ଧୋବା ଘର ମା, ଧାଇଁ ଯାଇଥିଲେ ଦୂରରୁ ଦେଖି। ଆଣି ଘରେ ଛାଡିଥିଲେ। ସେ ଦିନର ପ୍ରଶ୍ନର ଉତ୍ତର କିନ୍ତୁ କେହି ଦେଇନ ଥିଲେ। ଜେଜେ ସେ ଦିନ ତାଙ୍କର ପୁରୁଣା ହାରମୋନିୟମ ବଜାଇ ଗାଇଥିଲେ। ‘ବଗ ଉଡିଯାଏ ଦୂରେ, ବଗୁଲି ଗଡାଏ ଲୁହ’। ସେ ଦିନର ୨୧ ବର୍ଷ ପରେ ଶ୍ମଶାନକୁ ଯିବାକୁ ହେଲା। ୨୫ ବର୍ଷ ବୟସ। ପ୍ରିୟ ପିତା ଦେହରୁ ଆଦେହ ହେଲେ। ସ୍ନାତକୋତ୍ତର ଫଳ ବାହାରିବା ପରେ ଲେଖିଥିଲେ: ତୋର ସଫଳତାରେ ତୋ ବୋଉର ଅବଦାନ ଅଧିକା।  ଆମେ ଆମ କର୍ତ୍ତବ୍ୟ କରିଛୁ। ଏବେ ମୁଁ ସମାଜ ପାଇଁ ତୋତେ ଉତ୍ସର୍ଗ କରୁଛି। ସେ Inland Letterଟି ମୁଁ ଶହଶହ ଥର ପଢିଥିବି।

ଏବେବି ମନେ ଅଛି। ସ୍କୁଲ ପାଠସରିଲା ପରେ ବାପାଙ୍କର ଭୁବନେଶ୍ୱରରୁ କଟକ ବଦଳି। ମୁଁ ଶହୀଦନଗରର ଉଚ୍ଚ ବିଦ୍ୟାଳୟ ପାଠସାରି ରେଭେନ୍‌ସାରେ ଯୋଗଦାନ କଲି। ବାପାଙ୍କର ସାଧୁତା ଓ ସତ୍ୟଧର୍ମ ପାଳନ ଅସହଣି ହୁଏ। ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଏ। ସେତେବେଳକୁ ମୋର Intermediate Arts ପରୀକ୍ଷା ଆଉ କିଛି ମାସ ବାକି। ମହାନଦୀ ପୋଲ ତିଆରି ବେଳର କଳଙ୍କିଖିଆ ଯନ୍ତ୍ରପାତିର ଅମେଳ ହିସାବ ଦେଖା ହେଲା କାରଣ। ନ ଦିଶିଲା କାରଣ ଭିନ୍ନ। ବଡକଠିନ ସେ ସମୟ! ଅସହାୟତାର ସୀମା ନାହିଁ। ଦୁଇ ଖଣ୍ଡ କଳା ପ୍ୟାଣ୍ଟ, ଧଳା ସାର୍ଟରେ ମୂଳ କଲେଜ ଜୀବନ। କଲେଜ ଯିବା ପାଇଁ ପ୍ରଥମ ପ୍ୟାଣ୍ଟ ସାର୍ଟ ମାପ ଯୋଉ ଦୋକାନରେ ଦିଆଯାଇଥିଲା, ସେ ଦୋକାନ ମଧୁସୂଦନ ଆଇନ ମହାବିଦ୍ୟାଳୟ ଏବେ ବିଶ୍ୱବିଦ୍ୟାଳୟ ତା ପାଖରେ ଅଛି। ଏଇ ନିକଟରେ ମୋର ଜଣେ ସହପାଠୀଙ୍କ ଭକ୍ତି ଥିଲା। ‘କୁଳପତି ହେଲା ପରେ ବି ସେଇ କଳା ପ୍ୟାଣ୍ଟ ଧଳା ସାର୍ଟ’। କିନ୍ତୁ ତତେ ଧଳା ସାର୍ଟ ଭଲ ମାନେ। ବାପା ଏଇ ରଙ୍ଗ ବାଛି ଥିଲେ ମୋ ପାଇଁ।ଦୁଇବର୍ଷ ପରେ ଚାକିରିରେ ପୁନଃ ଅବସ୍ଥାପନ ପରେ ସମ୍ବଲପୁର, ସେଠୁ ରାଇରଙ୍ଗପୁର। ସମ୍ବଲପୁର ବୁଢା ରଜା ପାହାଡ ଉପରେ ଅଫିସ। ସୁନାବେଡାରେ ତାଙ୍କ ଚାକିରି, ମୋ ପାଠ ପଢାବେଳେ, ଜଙ୍ଗଲର ନିଆଁ ଧାରକୁ ମାଙ୍କଡ ବାହା ବୋଲି ଶୁଣିଥିଲି। ବୁଢା ରଜା ପାହାଡରେ ଖରାଦିନିଆଁ ନିଆଁଚରା ନିକଟରୁ ଦେଖିଥିଲି। ଖଣ୍ଡିଆ ବିଡିଟିଏର ଝଲକେ ନିଆଁ ଜଙ୍ଗଲ ଜାଳେ। ଗଛର ପତ୍ରମାନେ ସବୁଜରୁ ଧୂସର ହୁଅନ୍ତି। ଜୀବଜନ୍ତୁ ପୋଡି ପାଉଁଶ। ଟିକିଏ ଟିକିଏ ଅସାବଧାନତାକୁ ଅଭ୍ୟାସରୁ କି ଯେ କ୍ଷତି! ରାଇରଙ୍ଗପୁରରେ ଥିଲାବେଳେ ଗଲି ଖିଚିଂ। କିଚକେଶ୍ୱରୀ ମନ୍ଦିର। ମୟୂରଭଞ୍ଜର ଅନୁପମ ପ୍ରକୃତି ବିଭୋର କଲା। ସେ ଚିତ୍ରପଟ ଅପାସୋରା। ରାଇରଙ୍ଗପୁର ନିକଟ ଏକ ପାହାଡରେ ପରମହଂସ ନିଗମାନନ୍ଦଙ୍କ ମନ୍ଦିର। ସେଠିକି ପୋଲ ତିଆରି ହେଲା। ବାପାଙ୍କର ସେଇଟା ଶେଷ କାମ। ୧୯୮୭ ମସିହାରେ ଆଦୂଭାରା ଅଗିଜଳା ପୂର୍ଣ୍ଣିମା। ମତେ ବହୁତ ଅସ୍ତବ୍ୟସ୍ତ ଲାଗୁଥାଏ।

ସେତେବେଳେ ତ ଆଜି ପରି ମୋବାଇଲ ନଥିଲା। Land Lineରେ ସନ୍ଧ୍ୟାରେ ଫୋନ କଲି। ବାପା ତମେ କେମିତି ଅଛ? ମତେ କାହିଁ ବ୍ୟସ୍ତ ଲାଗୁଛି। ନିଜେ ଫୋନ ନଧରି ତାଙ୍କ ପାଖେ ଥିବା ଲୋକକୁ କହିଲେ ‘ତାକୁ କହିଦିଅ ମୁଁ ଭଲ ଅଛି।’ସେ ସ୍ୱର ମତେ ଶୁଭିଲା। କଣ କରିବି ବୁଝି ପାରିଲିନି। ମୁଁ ସେତେବେଳେ କଟକ କଲେଜ ଛାଡିବାକୁ ପ୍ରସ୍ତୁତ ହେଉଥାଏ। SSBରେ ପ୍ରଥମ ହୋଇ Posting ଗୋପବନ୍ଧୁ ବିଜ୍ଞାନ ମହାବିଦ୍ୟାଳୟ ଆଠଗଡ’। ସାନ ଭାଇ ସରୋଜକୁ ପଠାଇଲି। ଯା, ବାପାଙ୍କ ଯତ୍ନନେବୁ। ନ ପାରିଲେ ନେଇ ଆସିବୁ। ମାଘ ପୁନେଇଁ ରାତି ଗାଡିରେ ସେ ଗଲା ରାଇରଙ୍ଗପୁର। ମୁଁ ଏଠି ଅସ୍ଥିର। ସତରେ ଯେମିତି କଣ ଗୋଟେ ଛିଡିବ ଛିଡିବ ହେଉଛି। ସକାଳେ ପହଞ୍ଚି ତା ପରଦିନ ଗାଡିରେ ଧରି ବାପାଙ୍କୁ ନେଇ ଆସିଲା। କହିଲେ ‘କାଲି ସକାଳେ ଡାକ୍ତରଖାନା ଯିବା। ଆଜି ମତେ ତୁମମାନଙ୍କ ସାଙ୍ଗେ ରହିବାକୁ ଦେ।’

ନାଟକ ଯୋଗୁଁ ସମ୍ପର୍କୀତ ଡାକ୍ତର ଅନଙ୍ଗ ଦ୍ୱିବେଦୀ Night Dutyରେ ଥାଆନ୍ତି। SCB Medical Collegerର ମୋର Batch ପିଲାମାନଙ୍କର ଦୁଇବର୍ଷର ନାଟକ ପ୍ରତିଯୋଗିତାର ନାଟ୍ୟକାର, ନିର୍ଦେଶକ ଓ ସମବେତ ସଂଗୀତର ରଚୟିତା ଓ ନିର୍ଦ୍ଦେଶକ ହିସାବରେ କିଛି ପରିଚିତି ଥାଏ। ଅନଙ୍ଗ ଭାଇନା କହିଲେ – ମୁଁ ଅଛି ଦାୟିତ୍ୱରେ। ଯେତେବେଳେ ଦରକାର ଆସିପାରିବୁ। ସେ ଇଚ୍ଛା କରୁଛନ୍ତି। ଘରେ ଥାଆନ୍ତୁ। ସେ ଦିନର ରାତି ଖାଇବା ଆମର ମିଳିମିଶି ଶେଷ ରାତି ଖାଇବା। ରାତିସାରା ବୋଉ ତାଙ୍କୁ ଆଉଁସୁଥାଏ। ସେ ଗୋଟେ ନିରୀହ ଆଖିରେ ତାକୁ ଚାହୁଁଥାଆନ୍ତି। ପରଦିନ ସକାଳ ଚାଉଳିଆଗଞ୍ଜର ଅଶୋକ ଭାଇ। ଅଶୋକ ସାହୁ ଏବେ ଦିବଂଗତ। ତାଙ୍କ ଗାଡି ପଠେଇଲେ। ବାପାଙ୍କୁ ନେଲି ହସ୍‌ପିଟାଲ୍। ମେଡିସିନ୍‌ ବିଭାଗରେ ଥାଆନ୍ତି, ଡକ୍ଟର ରାଧାନାଥ ରଥ। ପରିଚିତ। ରକ୍ତ ଆଦି ପରୀକ୍ଷା ପାଇଁଗଲା। ଦିନ ପ୍ରାୟ ୨ଟା ବାଜିଲା ଏ ସବୁ କାମରେ ମୁଁ ଘରକୁ ଆସିଲି ଗାଧୋଇ ଖାଇବାକୁ। ମୁଁ ଫେରିଲେ ବୋଉ ଆସିବ। ପହଞ୍ଚିଲି। ହେଲେ ଫେରିଲା ବେଳକୁ ସେମାନେ ବାପାଙ୍କୁ ତଳକୁ ଓହ୍ଲାଇ ଆଣିଛନ୍ତି। ଆଖି ଦୁଇଟି ମେଲା। ଜଣେ ଯୁବ ଡାକ୍ତର ଛାତିରେ ଚାପ ଦେଉଛନ୍ତି। ସେ ଆଖିରେ ମୋ ଆଖି ମିଶିଲା। ଅନେଇ ଥିଲେ ଯେମିତି ମୋର ଆସିବାର ବାଟ। ପଲକ ପଡିଲା। ସବୁଶେଷ। ମୁଁ କାଠ ପାଲଟିଲି। ପ୍ରଥମେ ମଶାଣିକୁ ଗଲି ସେଦିନ। ଗୀତ ସିନା ଲେଖିଥିଲି-

ମଶାଣି ଭୂଇଁରେ ଯେବେଗୋ ଚିତା ଜଳିବ

ମୋ ଦେହ ମନ ହୃଦୟ ପାଉଁଶ ହୋଇବ

ସେଦିନ ସଞ୍ଜରେ ସଞ୍ଜବତୀ ଜାଳି

ମୋ ପାଉଁଶ ପାଶେ ଡାକିବ

ଲୁହ ନୁହେଁ ଲହୁଦେଇ ମୁଁ ଯେ ଯିବି ଚାଲି

କାଲିକଥା ଭୁଲିଯାଇ ଏକୁଟିଆ କରି

ଅବୁଝା ତୁମେ ତ ନ ବୁଝିବ କିଛି

ଲୁହେ ସେ ପାଉଁଶ ଭିଜିବ

ମୋ ପାଉଁଶ ପାଖେ ତୁମ ରାତିଦିନ ହେବ

ଯେତେ କାନ୍ଦିଲେ ଆଖିରୁ ଲୁହ ନ ସରିବ

ଅବୁଝା ଆଖିର ଲୁହ ପୋଛିବାକୁ

ଶବ ମୋର ଶେଷେ ଉଠିବ।

ରେଭେନ୍ସାରେ, Scolomin Satunalia ଧାନବାଦରେବେଶ୍ ପ୍ରଶଂସିତ ହୋଇଥିବା ଗୀତ। ହେଲେ କିଛି ହେଲାନି। ଦେହ ପାଉଁଶ ହେଇଗଲା। ଆଖିମୁଜି ମନେ ପକେଇଲେ ସେ ଜୁଇ ନିଆଁ ଦିଶୁଛି। ମନ ଭିତରେ ଏବେବି ଜଳୁଛି। କଷ୍ଟକର ମୁହୂର୍ତ୍ତମାନଙ୍କରେ ମନଭିତରୁ ଶୁଭୁଛି ମୁଁ ତୋ ପାଖରେ ଅଛି। ଆଗେଇ ଯା’ସବୁ ବାଧା ଗୋଟେ ଗୋଟେ ପରୀକ୍ଷା। ତୁ ଉର୍ତ୍ତିର୍ଣ୍ଣ ହେବୁ।

ଆଖିର ସବୁ ଲୁହ କଣ ସମାନ! ମଣିଷମାନଙ୍କର ସବୁ ରାହା କଣ ସମାନ! ସାଗରର ସବୁ ଢେଉ କଣ ସମାନ! ସବୁ ବଉଦ କଣ ସମାନ! ବଉଦମାନଙ୍କର ରୂପ ଭିନ୍ନଭିନ୍ନ। କେତେବେଳେ ସେଠି ବାପା ଦୃଶ୍ୟମାନ ତ କେବେ ବୋଉର ପଣତ। କେବେ ପ୍ରଜାପତି ତ କେବେ ଶିରିଡି ସାଇ। ମନରେ ଅସମାହିତ ପ୍ରଶ୍ନମାନଙ୍କ ଉତ୍ତର କେତେବେଳେ ମିଳିଯାଆନ୍ତି ଅଚାନକ।

ଟିଭିରେ ଗୋଟିଏ କାର୍ଯ୍ୟକ୍ରମ Turning Point। ପ୍ରଶ୍ନମାନଙ୍କ ଉତ୍ତର ଦେଇଥାନ୍ତି ପ୍ରଫେସର ଯଶପାଲ୍। ପିଲାଟିଏ ପ୍ରଶ୍ନକଲା, ପ୍ରଥମ ବର୍ଷାର ଭିଜାମାଟିର ବାସ୍ନା କାହିଁକି ଏତେ ମଧୁର? ପ୍ରଫେସର ଯଶ୍‌ପାଲ୍‌ ସମୟ ନେଇଥିଲେ। ପରୀକ୍ଷା କରିଥିଲେ ପରୀକ୍ଷାଗାରରେ। ତାପରେ ଦେଖିଥିଲେ – ମାଟିତାତିଲେ ଗୋଟେ ଅଣୁଜୀବ ଜନ୍ମ ନିଏ। ଜଳର ସ୍ପର୍ଶ ମାତ୍ରେ ମରେ। ଏ ବାସ ସେଇ ଅଣୁଜୀବର।ପରେ ଜାଣିଲି – ୧୯୬୦ରେ ଦୁଇଜଣ ଅଷ୍ଟ୍ରେଲୀୟ ବୈଜ୍ଞାନିକ – Usabel Joy Bear ଏବଂ Richard Thomas ତାଙ୍କର ଗବେଷଣାରୁ ତାହାର ନାଁ ଦେଇଛନ୍ତି Patrichor। ପହିଲି ବର୍ଷାର ମାଟିଗନ୍ଧ କାରଣ ପ୍ରାଚୀନ ଗ୍ରୀସୀୟ ମୂଳ ଶବ୍ଦର ଅର୍ଥ – ‘Blood of Stone’ ପ୍ରସ୍ତରର ଲହୁ। ଶୁଖିଲା ମାଟିରେ ଜନ୍ମିଲା ବ୍ୟାକ୍‌ଟେରିଆର ମେଘ ଟୋପାର ସ୍ପର୍ଶରେ, ତାର କ୍ଷୁଦ୍ର ଜୀବନ ସାରେ। କ୍ଷୁଦ୍ର ହିଁ ସୁନ୍ଦର, ମହକ ପ୍ରଦନ କାରିତାର ଇଏ ଆଉ ଏକ ଉଦାହରଣ।

କ୍ଷୁଦ୍ର ଡୋର ତନୁ, ତହିଁ ଭରା ଏତେ ଅମୃତ

ବିହିଲୀଳାକେ ବୁଝିବ, ଜ୍ଞାନାତୀତ ଅଦ୍ଭୁତ

ଗୋପନେ ଫୁଟିଛୁ ଦୂରେ, ତରୁ ପତ୍ର ଗହଳରେ

ତଥାପି ତୋ ବାସେ ମୋର ପ୍ରାଣହୁଏ ଆକୁଳ

କହ କେଉଁ ଶିଳ୍ପୀ ତୋତେ ଗଢି ଅଛିରେ ଫୁଲ।

(‘ଶେଙ୍ଖଳି ପ୍ରତି’, ଉତ୍କଳ ଭାରତୀ, କୁନ୍ତଳାକୁମାରୀ ସାବତ)

 (ଲେଖକ ହେଉଛନ୍ତି ଜଣେ ବିଶିଷ୍ଟ ଶିକ୍ଷାବିତ୍‌ ତଥା କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ମତାମତ ନିଜସ୍ୱ)

LEAVE A REPLY

Please enter your comment!
Please enter your name here