ଓଡ଼ିଶାଲାଇଭ ବ୍ୟୁରୋ

ୟୁକ୍ରେନରୁ କିପରି ଭାରତୀୟଙ୍କୁ ତୁରନ୍ତ ଉଦ୍ଧାର କରାଯିବ ସେଥିପାଇଁ ୪ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ ଓ ଭି.କେ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି ମୋଦି। ୪ କେନ୍ଦ୍ରମନ୍ତ୍ରୀ ୟୁକ୍ରେନ ସୀମା ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳ ପୋଲାଣ୍ଡ, ହଙ୍ଗେରୀ ଓ ରୋମାନିଆ ଗସ୍ତ କରିବେ ବୋଲି ସୂଚନା ରହିଛି।

ୟୁକ୍ରେନ ସଂକଟ ନେଇ ଆଜି ୪ର୍ଥ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବୈଠକରେ ୟୁକ୍ରେନ ଓ ଏହାର ସୀମାବର୍ତ୍ତୀ ଅଞ୍ଚଳରୁ ଭାରତୀୟଙ୍କୁ ଉଦ୍ଧାର କରିବା ନେଇ ଆଲୋଚନା ହୋଇଛି। ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର, ବିଦେଶ ମନ୍ତ୍ରାଳୟ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ଓ ଅନ୍ୟ ଉଚ୍ଚ ଅଧିକାରୀ ସାମିଲ ଥିଲେ। ଫେବୃଆରୀ ୨୪ ଓ ୨୬ରେ ଦୁଇଟି ବିମାନ କ୍ୱିବ ଅଭିମୁଖେ ଯାତ୍ରା କରିବାକୁ ଧାର୍ଯ୍ୟ କରାଯାଇଥିଲା କିନ୍ତୁ ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଦେଇଥିଲା। ଏହି କାରଣରୁ ୟୁକ୍ରେନର ବିମାନବନ୍ଦର ଗୁଡିକୁ ରୁଷ ସେନା ପକ୍ଷରୁ ଦଖଲ କରାଯିବା ପରେ ଉଦ୍ଧାର ଅଭିଯାନ ବନ୍ଦ ଥିଲା। ତେବେ ୟୁକ୍ରେନରୁ ଉଦ୍ଧାର କାର୍ଯ୍ୟ ପାଇଁ ଜାରି ରହିଥିବା ‘ଅପରେସନ୍ ଗଙ୍ଗା’କୁ ତ୍ୱରାନ୍ୱିତ କରିବାକୁ ଦାୟିତ୍ୱ ନେଇଛନ୍ତି ୪ଜଣ କେନ୍ଦ୍ରମନ୍ତ୍ରୀ।

ୟୁକ୍ରେନରୁ କିପରି ଭାରତୀୟଙ୍କୁ ତୁରନ୍ତ ଫେରାଇ ଆଣିବେ ସେଥିପାଇଁ ୪ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, କିରଣ ରିଜିଜୁ ଓ ଭି.କେ ସିଂଙ୍କୁ ଦାୟିତ୍ୱ ଦେଇଛନ୍ତି ମୋଦି। ୟୁକ୍ରେନରୁ ଭାରତୀୟଙ୍କ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ଏହି ୪ କେନ୍ଦ୍ରମନ୍ତ୍ରୀ ୟୁକ୍ରେନ ଓ ଏହାର ପାଶ୍ୱବର୍ତ୍ତୀ ଅଞ୍ଚଳ ପୋଲାଣ୍ଡ, ହଙ୍ଗେରୀ ଓ ରୋମାନିଆ ଗସ୍ତ କରିବେ ବୋଲି ସୂଚନା ରହିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନରୁ ୨ ହଜାର ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ୟୁକ୍ରେନ ଆକାଶ ପଥ ସିଲ ହୋଇଥିବାରୁ ପଡ଼ୋଶୀ ଦେଶ ସହ ଆଲୋଚନା କରି ଭାରତ ସରକାର ଯୁଦ୍ଧକାଳୀନ ପରିସ୍ଥିତିରେ ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ କରୁଛନ୍ତି। ଯଦିଓ ରୁଷ ଓ ୟୁକ୍ରେନ ଏବେ ଆଲୋଚନା ପାଇଁ ସହମତି ଦେଇଛନ୍ତି, କିନ୍ତୁ ଯୁଦ୍ଧ ସ୍ଥିତିରେ କିଛି ପରିବର୍ତ୍ତନ ହୋଇନାହିଁ। ତେଣୁ ଯେତେ ଶୀଘ୍ର ହୋଇପାରିବ, ସେତେ ଶୀଘ୍ର ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ ନେବା ଉପରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ସେପଟେ ୟୁରୋପୀୟ ୟୁନିଅନ, ରୁଷ ପାଇଁ ସମସ୍ତ ଆକାଶ ପଥ ସିଲ କରିଛି। ଅର୍ଥାତ୍ ୟୁରୋପୀୟ ୟୁନିଅନ ଦେଇ ରୁଷର କୌଣସି ବିମାନ ଚଳାଚଳ କରିପାରିବ ନାହିଁ।

Comment