ଓଡ଼ିଶାଲାଇଭ ବ୍ୟୁରୋ

ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତିର ସୋମବାର ହେଉଛି ତୃତୀୟ ତଥା ଅନ୍ତିମ ଦିନ। ଅନ୍ୟପକ୍ଷରେ ଦ୍ୱିତୀୟ ଦିନର ଗଣତି ଆଜି ବି ଜାରି ରହିଛି। ଦ୍ୱିତୀୟ ଦିନର ଗଣତିରୁ ଏଯାବତ୍ ୨୭୦ଟି ଜିଲ୍ଲା ପରିଷଦ ଜୋନ୍‌ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ବିଜେଡି ୨୩୬ଟି ଆସନରେ ବିଜୟୀ ହୋଇଛି। ସେହିପରି ବିଜେପି ଓ କଂଗ୍ରେସ ଯଥାକ୍ରମେ ୧୬ ଓ ୧୫ଟି ଆସନ ପାଇଛନ୍ତି। ସ୍ୱାଧୀନ ଓ ଅନ୍ୟ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ଯାଇଛି ୩ଟି ଜୋନ୍‌। ଆହୁରି ୩୫ଟି ଜୋନ୍‌ର ଫଳାଫଳ ଆସି ନାହିଁ। ଏଗୁଡ଼ିକର ଗଣତି ଶେଷ ହୋଇନାହିଁ।

ଶନିବାର ପ୍ରଥମ ଦିନରେ ୩୧୫ଟି ଆସନରେ ଭୋଟ୍ ଗଣତି ହୋଇଥିଲା, ଯାହା ରବିବାର (ଗତକାଲି) ପର୍ଯ୍ୟନ୍ତ ଚାଲିଥିଲା। ଏହି ୩୧୫ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେଡି ୨୮୨ଟି ଆସନ ଜିତିଥିବା ବେଳେ ବିଜେପି ୧୫ ଓ କଂଗ୍ରେସ ୧୪ଟି ଆସନ ଜିତିଥିଲା। ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କ ହାତକୁ ଯାଇଥିଲା ୪ଟି ଆସନ।

ପ୍ରଥମ ଦିନର ଫଳାଫଳ ଓ ଦ୍ୱିତୀୟ ଦିନର ବର୍ତ୍ତମାନ ସୁଦ୍ଧା ହସ୍ତଗତ ହୋଇଥିବା ଫଳାଫଳକୁ ମିଶାଇଲେ ବିଜେଡି ୫୧୮ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟ ଲାଭ କରିସାରିଲାଣି। ଅନ୍ୟପକ୍ଷରେ ବିଜେପି ଓ କଂଗ୍ରେସ ମିଶି ଏଯାଏଁ ୧୦୦ ଆସନ ଦଖଲ କରି ପାରି ନାହାନ୍ତି। ବିଜେପି ୩୧ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ହାତକୁ ଯାଇଛି ୨୯ଟି ଆସନ। ସେହିପରି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ୭ଟି ଆସନ ହାତେଇଛନ୍ତି।

ଆଜି ତୃତୀୟ ତଥା ଶେଷ ଦିନରେ ୨୩୦ଟି ଜିଲ୍ଲା ପରିଷଦ ଜୋନ୍‌ରେ ଗଣତି ହେବ। ତେବେ ପ୍ରଥମ ଦୁଇ ଦିନର ଫଳାଫଳକୁ ଦେଖିଲେ ବିଜେଡି ଏକ ବୃହତ୍ତ ବିଜୟ ଅଭିମୁଖେ ଯାଉଛି ବୋଲି କୁହାଯାଇପାରିବ।

Comment