ଓଡ଼ିଶାଲାଇଭ ବ୍ୟୁରୋ

ପଞ୍ଚାୟତ ଭୋଟ ଗଣତିର ସୋମବାର ହେଉଛି ତୃତୀୟ ତଥା ଶେଷ ଦିନ। ଆଜି ସାରା ରାଜ୍ୟର ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ କେଉଁଠି ଅଧ୍ୟକ୍ଷ ପଦ ଦଖଲ କରିବ। ଭୋଟ୍ ଗଣତିର ପ୍ରଥମ ଦୁଇ ଦିନରେ ବିଜେଡି ଭଲ ପ୍ରଦର୍ଶନ କରିଛି। ବାକିଥିବା ୨୨୯ ଜିଲ୍ଲା ପରିଷଦ ଜୋନର ହେଉଛି ଗଣତି। ଗତକାଲି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏଁ ଜୋନରେ ଗଣତି ହୋଇଥିଲା।

ବାକିଥିବା ସମସ୍ତ ଜୋନରେ ଆଜି ଗଣତି ଚାଲିଛି। ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯାଉଛି। ପ୍ରତି ୱାର୍ଡର ଗଣତି ପରେ ମାଇକ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ। ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ଦ୍ୱିତୀୟ ଦିନ ଗଣତିର ୨୭୦ଟି ଆସନ ମଧ୍ୟରୁ ବିଜେଡି ୨୩୬, ବିଜେପି ୧୬, କଂଗ୍ରେସ ୧୫ ଓ ଅନ୍ୟମାନେ ୨ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛି। ପ୍ରଥମ ଦିନର ୨୮୨ଟି ଆସନକୁ ମିଶାଇ ବିଜେଡି ପ୍ରାର୍ଥୀମାନେ ଏଯାବତ୍ ୫୧୮ ଜିଲ୍ଲା ପରିଷଦ ଆସନରେ ବିଜୟୀ ହୋଇଛନ୍ତି।

କୋରାପୁଟ, ରାୟଗଡ଼ାରେ ବିଜେଡିକୁ କଂଗ୍ରେସ କିଛି ମାତ୍ରାରେ ଟକ୍କର ଦେଉଥିବା ବେଳେ ବରଗଡ଼, ବଲାଙ୍ଗୀର, ସମ୍ବଲପୁର ଓ ଖୋର୍ଦ୍ଧାରେ ବିଜେପି ନିଜ ସମ୍ମାନ ରକ୍ଷା କରିବାକୁ ଲଢ଼େଇ କରୁଛି। ସ୍ଥିତି ଏପରି ହୋଇଛି ‌ଯେ ବିଜେଡି ୮୯ ପ୍ରତିଶତ ଆସନ ଦଖଲ କରିସାରିଲାଣି। ବାକି ୧୧ ପ୍ରତିଶତ ବିଜେପି, କଂଗ୍ରେସ, ସ୍ଵାଧୀନ ଏବଂ ଅନ୍ୟାନ୍ୟ ଦଳର ପ୍ରାର୍ଥୀ ପାଇଛନ୍ତି।

ଶନିବାର ପ୍ରଥମ ଦିନର ଗଣତି ହୋଇଥିବା ବେଳେ ଏଥିରେ ୩୧୫ଟି ସିଟ୍‌ରୁ ବିଜେଡି ୮୯ ପ୍ରତିଶତ ଅର୍ଥାତ୍ ୨୮୨ଟି ସିଟ୍‌ରେ ବିଜୟ ହାସଲ କରିଛି। ସେହିପରି କଂଗ୍ରେସ ୪ ପ୍ରତିଶତ ଅର୍ଥାତ୍ ୧୪ଟି, ବିଜେପି ୫ ପ୍ରତିଶତ ସିଟ୍‌ ଅର୍ଥାତ୍ ୧୫ଟି ସିଟ୍‌ରେ ବିଜୟ ହାସଲ କରିଛନ୍ତି। ବାକି ୨ ପ୍ରତିଶତ ସିଟ୍ ସ୍ୱାଧୀନ ଓ ଅନ୍ୟାନ୍ୟ ଦଳର ପ୍ରାର୍ଥୀଙ୍କ ଖାତାକୁ ଯାଇଛି।

Comment