ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସକ୍ରିୟ ରାଜନୀତିରେ ଯୋଗଦେବେ। ଆସନ୍ତା ପୌର ନିର୍ବାଚନ କିମ୍ବା ୨୦୨୪ ନିର୍ବାଚନରେ ସେ ଭାଗ୍ୟ ପରୀକ୍ଷା କରିବା ନେଇ ଚର୍ଚ୍ଚା ହେଉଛି।

ଓଡ଼ିଆ ସିନେ ଜଗତର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ବିଭିନ୍ନ ଫିଲ୍ମରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ବାନ୍ଧି ପାରିଥିବା ବର୍ଷା ଖୁବଶୀଘ୍ର ସକ୍ରିୟ ରାଜନୀତିରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି। ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ବର୍ଷା ପ୍ରଚାର କରିବା ପରେ ଏମିତି ଚର୍ଚ୍ଚା ରାଜନୀତି କରିଡ଼ରରେ ଲାଗି ରହିଛି।

ବର୍ଷା ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇ ନାହାନ୍ତି। ଫିଲ୍ମ ଦୁନିଆ ସହ ବିଭିନ୍ନ ସମାଜସେବା କାର୍ଯ୍ୟରେ ନିୟୋଜିତ ରହୁଥିବା ବର୍ଷାଙ୍କୁ ପଞ୍ଚାୟତ ନିର୍ବାଚନର ପ୍ରଚାର ମଇଦାନରେ ଦେଖି ରାଜନୀତି ପର୍ଯ୍ୟବେକ୍ଷକମାନେ ଭିନ୍ନ ଆକଳନ କରୁଛନ୍ତି। ଆସନ୍ତା ପୌର ନିର୍ବାଚନ ପୂର୍ବରୁ ବର୍ଷା ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି।

ସବୁଠୁ ବଡ଼ କଥା ହେଉଛି ବର୍ଷା ହେଉଛନ୍ତି କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସ୍ତ୍ରୀ। ଏବେ ଅନୁଭବ-ବର୍ଷାଙ୍କ ବିବାହ ବିଛେଦ ମାମଲା କୋର୍ଟରେ ବିଚାରାଧୀନ ରହିଛି। ଏହି ମାମଲାକୁ ନେଇ ଅନୁଭବ ଏବଂ ବିଜେଡି ଭିତରେ ଦୂରତା ବଢ଼ିଛି। ପଞ୍ଚାୟତ ନିର୍ବାଚନରେ ଅନୁଭବଙ୍କ ନିଷ୍କ୍ରିୟତା ଓ ବର୍ଷାଙ୍କର ସକ୍ରିୟତା ବୃଦ୍ଧି ପାଇବା ଅନେକ ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଭଦ୍ରକ ଏବଂ ଢେଙ୍କାନାଳ ଜିଲ୍ଲାରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରି ବର୍ଷା ସକ୍ରିୟ ରାଜନୀତିକୁ ଆସିବାକୁ ଚାହୁଁଥିବା ବାର୍ତ୍ତା ଦେଇଛନ୍ତି।

୨୦୧୩ରେ ଅନୁଭବ ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ରେ ସେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଅନୁଭବଙ୍କୁ ଆଗରେ ଦେଖିବାକୁ ମିଳୁଥିଲା। ବିଭିନ୍ନ ନିର୍ବାଚନରେ ଅନୁଭବ ଷ୍ଟାର ପ୍ରଚାରକ ଭାବେ ବିଜେଡି ପାଇଁ ପ୍ରଚାର କରୁଥିଲେ। ବିଜେଡିରେ ଅନୁଭବଙ୍କର ଭଲ କ୍ରେଜ ରହିଥିଲା।

୨୦୧୯ ନିର୍ବାଚନରେ ଅନୁଭବଙ୍କୁ ବିଜେଡି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିଥିଲା। ବିଜେପିର ହେଭିୱେଟ ନେତା ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଅନୁଭବ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମାତ୍ର ୨ ବର୍ଷ ପରେ ସେ ବିବାହ ବିଚ୍ଛେଦ ବିବାଦରେ ଛନ୍ଦି ହୋଇଥିଲେ। ସେବେଠାରୁ ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁନି।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ପିପିଲି, ଜଗତସିଂହପୁର, ବାଲେଶ୍ୱରର ଉପନିର୍ବାଚନ ହୋଇଥିଲା। ହେଲେ ଅନୁଭବଙ୍କୁ ଏହି ଉପନିର୍ବାଚନ ମଇଦାନରେ ଦେଖିବାକୁ ମିଳି ନଥିଲା। ନିଜ ନିର୍ବାଚନ ମଣ୍ଡଳୀ କେନ୍ଦ୍ରାପଡ଼ାରେ ମଧ୍ୟ ଅନୁଭବ ସକ୍ରିୟ ନଥିବା ବିରୋଧୀ ଅଭିଯୋଗ କରନ୍ତି। ଠିକ୍ ଏହି ସମୟରେ ପଞ୍ଚାୟତ ନିର୍ବାଚନ ପ୍ରଚାରରେ ବର୍ଷା ନିଜକୁ ସାମିଲ କରିବା ରାଜନୀତି ସମୀକ୍ଷକଙ୍କ ପାଇଁ ଅନେକ ଚର୍ଚ୍ଚାର ଖୋରାକ ଯୋଗାଇଛି।

କାହିଁକି ହଠାତ ପ୍ରଚାର ମଇଦାନକୁ ଓହ୍ଲାଇଲେ ବର୍ଷା? ଆଗକୁ ଆସୁଥିବା ପୌର ନିର୍ବାଚନରେ ବର୍ଷା ପ୍ରାର୍ଥୀ ହେବେ କି? ନା ୨୦୨୪ ସାଧାରଣ ନିର୍ବାଚନ ଓ ବିଧାନସଭା ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି? ଏହିସବୁ ପ୍ରଶ୍ନର ଉତ୍ତର ତ ଭବିଷ୍ୟତରେ ମିଳିବ; କିନ୍ତୁ ତା’ ପୂର୍ବରୁ ତାଙ୍କର ସାମ୍ଭାବ୍ୟ ରାଜନୈତିକ ପ୍ରବେଶକୁ ନେଇ ସବୁଆଡ଼େ ଚର୍ଚ୍ଚା।

Comment