ଓଡ଼ିଶାଲାଇଭ୍ ବ୍ୟୁରୋ

ରୁଷ-ୟୁକ୍ରେନ ମଧ୍ୟରେ ଲାଗି ଥିବା ଯୁଦ୍ଧ ଆଜି ଷଷ୍ଠ ଦିନରେ ପହଞ୍ଚିଛି। ଖାରକିଭ, କ୍ଵିଭ ଏବଂ ଚେର୍ନିହାଇଭରେ ନିରନ୍ତର ବୋମା ବର୍ଷା କରିବାରେ ଲାଗିଛନ୍ତି ରୁଷର ସେନା। ରୁଷ ସେନାଙ୍କ ବୋମା ମାଡ଼ରେ ମଙ୍ଗଳବାର ୟୁକ୍ରେନରେ ଫସିଥିବା ଜଣେ ଭାରତୀୟ ଛାତ୍ରଙ୍କର ଖାରକିଭ ସହରରେ ମୃତ୍ୟୁ ହୋଇଛି। ରୁଷ-ୟୁକ୍ରେନ ଯୁଦ୍ଧରେ ପ୍ରଥମ ଭାରତୀୟଙ୍କର ମୃତ୍ୟୁ ହୋଇଥିବା ଭାରତର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ଅରିନ୍ଦମ ବାଗଚୀ ସ୍ପଷ୍ଟ କରିଛନ୍ତି।

ମୃତ ଛାତ୍ର ହେଲେ କର୍ଣ୍ଣାଟକ ବେଙ୍ଗାଲୁରୁର ନବୀନ ଏସ୍ ଜି। ସେ ୟୁକ୍ରେନରେ ମେଡିକାଲ ପାଠପଢ଼ୁ ଥିଲେ। ନବୀନ ଏସ୍ ଜି ଚତୁର୍ଥ ବର୍ଷ ମେଡିକାଲ ଛାତ୍ର ଥିବା ଜଣାପଡ଼ିଛି। ମୃତ ଛାତ୍ରଙ୍କ ପରିବାର ସହ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଯୋଗାଯୋଗ କରାଯାଇ ସମବେଦନା ଜଣାଯାଇଛି।

ୟୁକ୍ରେନରେ ଫସି ରହିଥିବା ସମସ୍ତ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଦେଶକୁ ଫେରାଇ ଆଣିବା ପାଇଁ ରୁଷ ଏବଂ ୟୁକ୍ରେନ ଦୂତାବାସ ସହ ଆଲୋଚନା ଚାଲିଛି ବୋଲି ଅରିନ୍ଦମ ବାଗଚୀ କହିଛନ୍ତି।

କିଛି ସମୟ ପୂର୍ବରୁ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ନିଜ ନାଗରିକମାନଙ୍କୁ ତୁରନ୍ତ ୟୁକ୍ରେନର ରାଜଧାନୀ କ୍ଵିଭ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ନିଜ ସୁବିଧା ଦେଖି ତୁରନ୍ତ ୟୁକ୍ରେନ ଛାଡ଼ିବାକୁ ଭାରତୀୟଙ୍କୁ ପରାମର୍ଶ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here