ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ସର୍ବସାଧାରଣ ସ୍ଥାନ କିମ୍ବା ରାସ୍ତାଘାଟରେ ହୋଲି ଖେଳ ହୋଇପାରିବ ନାହିଁ। କେବଳ ଘର ଭିତରେ ପରିବାର ସଦସ୍ୟଙ୍କ ସହିତ ହୋଲି ଖେଲିବାକୁ ଅନୁମତି ଦିଆଯାଇଛି। ମାର୍ଚ୍ଚମାସ ପାଇଁ ଜାରି ହୋଇଥିବା ଗାଇଡଲାଇନରେ ଏ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୋଭିଡ ସଂକ୍ରମଣ କମୁଥିବାରୁ ଧୀରେ ଧୀରେ କଟକଣା କୋହଳ କରାଯାଉଛି। କିନ୍ତୁ କୋଭିଡ କଟକଣା ପାଳନ କରି ସମସ୍ତ ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ କରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଗାଇଡଲାଇନ ଅନୁସାରେ ସାମାଜିକ, ସାଂସ୍କୃତିକ, ରାଜନୈତିକ ଏବଂ କ୍ରୀଡ଼ାକୁ ଅନୁମତି ମିଳିଛି। ପ୍ରଦର୍ଶନୀ, ବାଣିଜ୍ୟ ମେଳା ଏବଂ ଏକ୍ସପୋ ମେଳା ଆଦି କୋଭିଡ କଟକଣା ଭିତରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୋଭିଡ ନିୟମକୁ ପାଳନ କରାଯାଇଛି ମହାଶିବରାତ୍ରି, ଦୋଳ ପୂର୍ଣ୍ଣିମା ଏବଂ ହୋଲି ପର୍ବ ପାଳନ କରିବାକୁ କୁହାଯାଇଛି। ଏଥର ବାହାରକୁ ନଯାଇ ଘର ଭିତରେ ପରିବାର ସଦସ୍ୟଙ୍କ ସହିତ ହୋଲି ଖେଲିବାକୁ ପରାମର୍ଶ ଦିଆଯାଇଛି।

ନିର୍ବାଚନ ପାଇଁ ରାଜନୈତିକ ସମାବେଶ, ବୈଠକ ଏବଂ ରାଲି କରାଯାଇପାରିବ। ରାଜ୍ୟରେ କୋଭିଡ ସଂକ୍ରମଣ ହାର କମିଥିବାରୁ ବାହାଘର ଏବଂ ବ୍ରତଘର ଭଳି ସାମାଜିକ କାର୍ଯ୍ୟକ୍ରମରେ ୫ ଶହ ଲୋକ ସାମିଲ ହେବାକୁ ଅନୁମତି ମିଳିଛି। ବିବାହ ଶୋଭାଯାତ୍ରାରେ ଶହେ ଲୋକଙ୍କୁ ଅନୁମତି ମିଳିଛି। ଏଥିପାଇଁ ଲିଖିତ ଭାବେ ପୂର୍ବରୁ ଅନୁମତି ନେବାକୁ ପଡ଼ିବ ବୋଲି ଗାଇଡ୍‌ଲାଇନ୍‌ରେ ସ୍ପଷ୍ଟ ଉଲ୍ଲେଖ କରାଯାଇଛି। ଅନ୍ତ୍ଵେଷ୍ଟି କ୍ରିୟାରେ ସର୍ବାଧିକ ୨୫୦ ଜଣ ଲୋକ ସାମିଲ ହେବାକୁ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେଉଥିବା ଲୋକଙ୍କୁ ସାମାଜିକ ଦୂରତା ସହ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଇଛି। ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ଶିଶୁଙ୍କୁ ବିନା କାରଣରେ ଘରୁ ବାହାରକୁ ନଯିବାକୁ କୁହାଯାଇଛି। କୌଣସି ଧାର୍ମିକ ଅନୁଷ୍ଠାନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ପାଇଁ ସ୍ଥାନୀୟ ପ୍ରଶାସନଠୁ ଅନୁମତି ନେବାକୁ କୁହାଯାଇଛି। ରାଜ୍ୟରେ କୋଭିଡ ସ୍ଥିତି ନିୟନ୍ତ୍ରଣକୁ ଆସିଥିବାରୁ ଏହାକୁ ଦୃଷ୍ଟିରେ ରଖି ପୂର୍ବରୁ ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି।

Comment