ଓଡ଼ିଶାଲାଇଭ୍ ବ୍ୟୁରୋ

ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେଡି କାହାକୁ ମେୟର ପ୍ରାର୍ଥୀ କରିବ ସେ ନେଇ ଉଠିଥିବା ପ୍ରଶ୍ନ ଉପରୁ ପରଦା ହଟିଛି। ଶନିବାର ବିଜୁ ଜନତା ଦଳ(ବିଜେଡି) ଭୁବନେଶ୍ଵର, କଟକ ଏବଂ ବ୍ରହ୍ମପୁର ମହାନଗର ନିଗମ ମେୟର ପଦବୀ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଭୁବନେଶ୍ଵର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାଁ ଘୋଷଣା କରାଯାଇଥିବାବେଳେ କଟକ ମହାନଗର ନିଗମ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କ ନାଁ ଘୋଷଣା କରାଯାଇଛି। ଏହାସହ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାଁ ଘୋଷଣା କରାଯାଇଛି।

ଭୁବନେଶ୍ଵର ମହାନଗର ନିଗମ ଏବଂ ବ୍ରହ୍ମପୁର ମହନଗର ନିଗମ ପାଇଁ ଚଳିତ ଥର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଚଳିତ ଥର ଭୁବନେଶ୍ଵର ଏବଂ ବହ୍ମପୁର ପାଇବ ପ୍ରଥମ ମହିଳା ମେୟର। ପୌର ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେଉଁ ଦଳ କାହାକୁ ମେୟର ପ୍ରାର୍ଥୀ ଘୋଷଣା କରିବ ସେ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଥିଲା।ପୂର୍ବରୁ ବିଜେଡିର ମେୟର ପ୍ରାର୍ଥୀ ଦୌଡ଼ରେ କଟକ ମହାନଗର ନିଗମ ପାଇଁ ରାଜ୍ୟସଭା ସାଂସଦ ସୁବାସ ସିଂ ଏବଂ ବ୍ରହ୍ମପୁର ମହାନଗର ନିଗମ ପାଇଁ ସଂଘମିତ୍ରା ଦଳେଇଙ୍କ ନାଁ ରହିଥିବାବେଳେ ଭୁନେଶ୍ଵର ମହାନଗର ନିଗମ ପାଇଁ ଦଳ କାହାକୁ ମେୟର ପ୍ରାର୍ଥୀ ଘୋଷଣା କରିବ ତା’ ଉପରୁ ପରଦା ଉଠିପାରି ନଥିଲା। ଆଜି ବିଜେଡି ପକ୍ଷରୁ ତିନି ମହାନଗର ନିଗମ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବା ପରେ ସବୁ ପ୍ରଶ୍ନରେ ବିରାମ ଲାଗିଛି।

Comment