ଓଡ଼ିଶାଲାଇଭ୍ ବ୍ୟୁରୋ

କିଏ ଜିତିବ ଭବନେଶ୍ଵର ବାସିନ୍ଦାଙ୍କ ବିଶ୍ଵାସ? କାହା ଭାଗରେ ପଡ଼ିବ ଭୁବନେଶ୍ଵର ମେୟର ଦାୟିତ୍ଵ। ଭୁବନେଶ୍ଵର ମହାନଗର ନିଗମ ପାଇଁ ସବୁ ଦଳ ନିଜ ନିଜର ପ୍ରାର୍ଥୀ ଦେଇ ସାରିଥିବାବେଳେ ଏବେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି ଚାଲିଛି।

ଏଥର ଭୁବନେଶ୍ଵର ମହାନଗର ନିଗମର ମେୟର ହେବେ ଜଣେ ମହିଳା। ଯିଏ ରାଜଧାନୀ ବାସିନ୍ଦାଙ୍କ ବିଶ୍ଵାସ ଜିତିବ ସିଏ ମେୟର ଗାଦିରେ ବସିବ। ଭୁବନେଶ୍ଵର ମେୟର ଆସନ ପାଇଁ ବିଜେଡ଼ିରୁ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡ, କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟ ଏବଂ ଆମ ଆଦମୀ ପାର୍ଟିର ସରୋଜୀନି ଖୁଣ୍ଟିଆ ପ୍ରାର୍ଥୀ ହୋଇଛନ୍ତି। ଗୋଟିଏ ମେୟର ଆସନ ପାଇଁ ଏଥର ଚତୁର୍ମୁଖି ଲଢ଼େଇ ହେବ। ରାଜଧାନୀରେ ଚାରି ମହିଳା ପ୍ରାର୍ଥୀ ମୁହାଁମୁହିଁ ହେବେ ମେୟର ପଦବୀ ପାଇଁ।

ବିଜେଡି ପକ୍ଷରୁ ଭୁବନେଶ୍ଵର ମହାନଗର ନିଗମ ପାଇଁ ସୁଲୋଚନା ଦାସଙ୍କ ନାଁ ଘୋଷଣା ହେବା ପରେ ବିଜେଡିକୁ ଟକ୍କର ଦେବାକୁ ବିଜେପି ଡକ୍ଟର ସୁନୀତି ମୁଣ୍ଡଙ୍କ ନାଁ ଘୋଷଣା କରିଛି। ଉଭୟ ବିଜେଡି ଏବଂ ବିଜେପି ପ୍ରାର୍ଥୀ ସାମ୍ବାଦିକତାରୁ କ୍ୟାରିଅର ଆରମ୍ଭ କରି ରାଜନୈତିକ ମୈଦାନକୁ ଓହ୍ଲାଇଛନ୍ତି। ଦିନେ ଏହି ଦୁଇ ନେତ୍ରୀ କଲମ ଧରୁଥିଲେ ଏବେ କମାଣ ସମ୍ଭାଳିବାକୁ ସଜ ହେଉଛନ୍ତି।

ସାମ୍ବାଦିକତାରୁ ରାଜନୀତି 

ବିଜେଡିର ଭୁବନେଶ୍ଵର ମହାନଗର ନିଗମ ମେୟର ପ୍ରାର୍ଥୀ ସୁଲୋଚନା ଦାସ ସାମ୍ବାଦିକତାରୁ କ୍ୟାରିଅର ଆରମ୍ଭ କରିଥିଲେ। ୧୪ ବର୍ଷ ଧରି ସାମ୍ବାଦିକତା କରିବା ପରେ ରାଜନୀତିରେ ପାଦ ଦେଇଥିଲେ ସୁଲୋଚନା ଦାସ। କଂଗ୍ରେସର ମୁଖପାତ୍ର ଭାବେ ସେ ନିଯୁକ୍ତ ହୋଇଥିଲେ। ପରେ କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ଦାୟିତ୍ଵ ନେଇଥିଲେ। ୨୦୧୭ରେ ବିଜେଡିରେ ସେ ସାମିଲ ହୋଇ ବିଜେଡିର ମୁଖପାତ୍ର ଦାୟିତ୍ଵରେ ରହିଥିଲେ। ଏବେ ସେ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ଦାୟିତ୍ଵ ରହିଥିଲେ। ସୁଲୋଚନା ଦାସଙ୍କ ମୁଣ୍ଡରେ ଏବେ ବଡ଼ ଦାୟିତ୍ୱ ରହିଛି। ଭୁବନେଶ୍ୱରରୁ ଜିତି ଦଳର ସମ୍ମାନ ରକ୍ଷା କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଭୁବନେଶ୍ୱର ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀ ଭାବେ ସୁଲୋଚନାଙ୍କ ନାଁ ଘୋଷଣା ହେବା ପରେ ସେ କହିଛନ୍ତି ଭୁବନେଶ୍ୱର ମେୟର ପଦବୀ କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଦାୟିତ୍ୱଯୁକ୍ତ ମଧ୍ୟ। ବିଜେଡି ସବୁବେଳେ ଲୋକଙ୍କ ସହ ରହିଛି। ସମସ୍ତଙ୍କ ସହଯୋଗ ରହିଲେ ମୁଁ ମଧ୍ୟ ଭୁବନେଶ୍ୱର ପାଇଁ କାମ କରିପାରିବି।

ସାହିତ୍ୟରୁ ରାଜନୀତିକୁ ଆସିଲେ ବିଜେପି ପ୍ରାର୍ଥୀ 

ଶାସକ ଦଳକୁ କଡ଼ା ଟକ୍କର ଦେବାକୁ ବିଜେପି ତାର ପ୍ରାର୍ଥୀ ବାଛିଚି। ବିଜେପି କୌଣସି ଅଭିଜ୍ଞ ରାଜନେତା ନୁହେଁ ବରଂ ଜଣେ ନୂଆ ଚେହେରାକୁ ଆଣିଛି। ଡକ୍ଟର ସୁନୀତି ମୁଣ୍ଡ ହୋଇଛନ୍ତି ବିଜେପିର ଭୁବନେଶ୍ୱର ମେୟର ପ୍ରାର୍ଥୀ। ସାମ୍ବାଦିକତାରୁ କ୍ୟାରିଅର ଆରମ୍ଭ କରିଥିଲେ ସୁନୀତି ମୁଣ୍ଡ। ଦୀର୍ଘ ବର୍ଷ ଧରି ବିଭିନ୍ନ ପ୍ରମୁଖ ଗଣମାଧ୍ୟମରେ ସେ କାର୍ଯ୍ୟ କରିଛନ୍ତି। ଜଣେ ଲେଖିକା ଭାବେ ତାଙ୍କର ସ୍ୱତନ୍ତ୍ର ପରିଚୟ ମଧ୍ୟ ରହିଛି। ନିଜ ଲେଖା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ତାଙ୍କର ପ୍ରୟାସ ଜାରି ରହିଛି। ସାହିତ୍ୟରୁ ରାଜନୀତି ମୈଦାନକୁ ଲମ୍ଫ ପ୍ରଦାନ କରିଛନ୍ତି ସୁନୀତି ମୁଣ୍ଡ। ଏବେ ଦଳର ସମ୍ମାନ ରକ୍ଷା କରିବାର ଦାୟିତ୍ଵ ତାଙ୍କ ଉପରେ ରହିଛି।

କଂଗ୍ରେସରୁ ଲଢ଼ିବେ ମଧୁସ୍ମିତା ଆଚାର୍ଯ୍ୟ

ଭୁବନେଶ୍ୱର ମେୟର ପଦବୀ ପାଇଁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି ମଧୁସ୍ମିତା ଆଚାର୍ଯ୍ୟ। ମଧୁସ୍ମିତା ଆଚାର୍ଯ୍ୟ ଜଣେ ଉଚ୍ଚ ଶିକ୍ଷିତା, ଯୁବ ଉଦ୍ୟୋଗୀ, କ୍ରୀଡ଼ାବିତ୍‌ ଏବଂ ତା’ ସହ ସେ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ମଧ୍ୟ। ତାଙ୍କର ଆଉ ଏକ ପରିଚୟ ହେଉଛି ସେ ଧର୍ମଶାଳାର ପୂର୍ବତନ କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ। କଲେଜ ଜୀବନରେ ମଧ୍ୟ ସେ ରାଜନୀତିରେ ଜଡିତ ଥିଲେ। କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ମଧୁସ୍ମିତା ନିର୍ବାଚନ ପରିଚାଳନାରେ ସହାୟତା କରୁଥିଲେ। ଏହି କାରଣରୁ କଂଗ୍ରେସ ମଧୁସ୍ମିତାଙ୍କ ଉପରେ ଭରସା କରିଥିବା ଜଣପଡ଼ିଛି।

ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ଗ୍ରୀନସିଟିରେ ପରିଣତ କରିବାକୁ ସେ ଲକ୍ଷ୍ୟ ରଖିଥିବା କହିଛନ୍ତି। ପ୍ରାର୍ଥୀଙ୍କୁ ଦେଖି ଭୋଟ ଦେବାକୁ ଅପିଲ କରିଛନ୍ତି ମଧୁସ୍ମିତା।

ମେୟର ଦୌଡ଼ରେ ଆପ ସାମିଲ

ବିଏମସି ମେୟର ପଦବୀ ପାଇଁ ଆମ ଆଦମୀ ପାର୍ଟି(ଆପ) ସରୋଜିନୀ ଖୁଣ୍ଟିଆଙ୍କୁ ପ୍ରାର୍ଥୀ କରିଛି। ଆପ୍ ଓଡ଼ିଶା ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର ସରୋଜିନୀଙ୍କ ନାଁ ଘୋଷଣା କରିଥିଲେ। ଦୀର୍ଘ ଦିନ ହେଲା ସରୋଜିନୀ ଖୁଣ୍ଟିଆ ‘ଇଣ୍ଡିଆ ଏଗେନଷ୍ଟ କରପସନ’ ସହ ସାମିଲ ଥିଲେ।

ଫାଇଲିନରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ଗୃହ ନିର୍ମାଣ ପାଇଁ ଆସିଥିବା ଟଙ୍କା ଖର୍ଚ୍ଚରେ ବିଳମ୍ବ ହୋଇଥିଲା। ଏହାରି ବିରୋଧରେ ସେ ସାତପଡ଼ାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ। ରାଜ୍ୟରେ ମଦମୁକ୍ତି ଆନ୍ଦୋଳନରେ ମଧ୍ୟ ସେ ସକ୍ରିୟ ଯୋଗଦାନ କରିଛନ୍ତି। ଲୋକଙ୍କ ସୁବିଧାକୁ ପ୍ରାଧାନ୍ୟ ଦେବାକୁ ତାଙ୍କର ଲକ୍ଷ୍ୟ ରହିଛି।

ପୌର ନିର୍ବାଚନ ପାଇଁ ରାଜଧାନୀ ରାଜନୀତି ସରଗରମ ହୋଇଥିବାବେଳେ କିଏ ହେବ ଭୁବନେଶ୍ୱର ମହାନଗର ନିଗମର ପ୍ରଥମ ମହିଳା ମେୟର ତା’ ଉପରେ ସମସ୍ତଙ୍କ ନଜର। ଏବେ ନିର୍ବାଚନ ଲଢ଼ିବାକୁ ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କ ମନରେ ଉତ୍କଣ୍ଠା କିଏ ବସିବ ଭୁବନେଶ୍ୱର ମେୟର ଗଦିରେ।

Tag: #Election #OdishaElection2022 #MunicipalElection #BMC #Mayor #MayorElection #SulochanaDas #SunitiMund #MadhusmitaAcharya #SarojiniKhuntia

Comment