ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

‘‘ଗଛ ବନ୍ଧା ମାଟି ଉପରେ ଆଉ ଆକାଶେ ପକ୍ଷୀ, ମାଛ ବନ୍ଧା ପାଣି ଭିତରେ ମୁଁ ସବୁର ସାକ୍ଷୀ। ବନ୍ଧା ମୁଁ ଯେ ଏ ସମର ଡୋରେ ଡୋରେ, ଝଲମଲ ଆଖି ମୋର, ଡୋର କାଟି ଉଡିଯିବି ଦୂରେ। ହେଇ ପ୍ରଜାପତି ଆଉ ପକ୍ଷୀ ହେଇ ପ୍ରଜାପତି ଆଉ ପକ୍ଷୀ…’’, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଝିଅମାନଙ୍କ ଜୀବନକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ସୁନ୍ଦର ଗୀତଟିକୁ ଗାଇଛନ୍ତି ଓଡ଼ିଶାର ଆଗଧାଡିର ଗାୟିକା ସୁସ୍ମିତା ଦାସ।

ପୃଥିବୀ ଗୋଟିଏ ବନ୍ଧନ। ଏଠି ଗଛକୁ ମାଟି ଦରକାର। ମାଛକୁ ପାଣି ଦରକାର। ସେମିତି ନାରୀ ଏହି ସଂସାରରେ ଅଛି କିନ୍ତୁ ବନ୍ଧନ ଭିତରେ ତେଣୁ ତାଙ୍କ ମୁକ୍ତ ଆକାଶ ଦରକାର। ଏହି କଥାକୁ ସଙ୍ଗୀତ ମାଧ୍ୟମରେ କହିବାକୁ ପ୍ରୟାସ କରାଯାଇଛି। ଏହାସହିତ ଗୋଟିଏ ଝିଅ ଜୀବନର ୩ଟି ପର୍ଯ୍ୟାୟକୁ ସଙ୍ଗୀତ ମାଧ୍ୟମରେ ସୁନ୍ଦର ଭାବେ ଦର୍ଶାଯାଇଛି। ତେଣୁ ଏହି ଗୀତଟିର ଶୀର୍ଷକ ରହିଛି ‘ନାରୀ’। ଏଥିରେ ସୁସ୍ମିତା ଦାସ କଣ୍ଠଦାନ କରିଥିବା ବେଳେ ସ୍ୱର ସଂଯୋଜନା କରିଛନ୍ତି ସୁମିତ ଦୀକ୍ଷିତ। ସେହିପରି ବିୟତ ପ୍ରଜ୍ଞା ତ୍ରିପାଠି ଗୀତ ରଚନା କରିଛନ୍ତି।

ସେହିପରି ଓଡ଼ିଆ ସିନେ ଜଗତର ଆଗଧାଡ଼ିର ଅଭିନେତ୍ରୀ ଅନୁ ଚୌଧୁରୀ, କୁକିଜ୍‌ ସ୍ୱାଇଁ ଓ ଶିଶୁ କଳାକାର ପିହୁ ଏଥିରେ ଅଭିନୟ କରିଛନ୍ତି। ଗୀତଟିକୁ ସୁସ୍ମିତା ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ପୋଷ୍ଟ କରିଛନ୍ତି। ଏହାକୁ ଖୁବ୍‌ ଦର୍ଶକଙ୍କ ଭଲ ପାଇବା ମଧ୍ୟ ମିଳିଛି।

‘‘ନାରୀଟିଏ ନଈ ପରି। ସେ ବହି ଯିବାକୁ ଚାହେଁ, ତାକୁ କେହି ବାନ୍ଧିପାରିବେନି। ସେ ପାହାଡ଼ ଛଢ଼ିବାକୁ ଚାହାନ୍ତି, ଆକାଶେ ଉଡ଼ିବାକୁ ଚାହାନ୍ତି ଠିକ୍‌ ମୁକ୍ତ ବିହଙ୍ଗଟିଏ ପରି। କିନ୍ତୁ ସାରା ଜୀବନ ସେ ଅନ୍ୟ ପାଇଁ ଉତ୍ସର୍ଗୀକୃତ ହୋଇପଡ଼େ। ବାନ୍ଧି ହୋଇଯାଏ। କିନ୍ତୁ ତାଙ୍କୁ ମୁକ୍ତ କରାଯିବା ଦରକାର। ଏହି କଥା କହିବାକୁ ମୁଁ ଗୀତରେ ଚେଷ୍ଟା କରିଛି’’, କହିଛନ୍ତି ଗାୟିକା ସୁସ୍ମିତା ଦାସ।

LEAVE A REPLY

Please enter your comment!
Please enter your name here