ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ନାରୀବାଦର ଅର୍ଥ ପୁରୁଷଙ୍କ ବିରୋଧରେ ପ୍ରତିବାଦ କରିବା କିମ୍ବା ସେମାନଙ୍କ ସହ ପ୍ରତିଯୋଗିତା କରିବା ନୁହେଁ। ନାରୀବାଦ ହେଉଛି ସମାଜରେ ନିଜ ପାଇଁ ଏକ ସ୍ଥାନ ସୃଷ୍ଟି କରିବା, ଯେଉଁଥିପାଇଁ ନାରୀ ହକଦାର’’, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୋସିଆଲ ମିଡିଆରେ ଏଭଳି ପୋଷ୍ଟ କରିଛନ୍ତି ଶାନ୍ତି ନିକେତନର ଅବସରପ୍ରାପ୍ତ ପ୍ରଫେସର‌୍‌ ଓ ବିଭାଗୀୟ ମୁଖ୍ୟ କବି ଗିରିବାଳା ମହାନ୍ତି।

ଏହାସହିତ ଯେଉଁ ମହିଳାମାନେ ସମସ୍ତଙ୍କୁ ନେଇ ବିଶ୍ୱକୁ ଅଧିକ ପ୍ରେରଣାଦାୟକ କରିବା ଦିଗରେ କାର୍ଯ୍ୟ କରୁଛନ୍ତି ସେହିମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଶୁଭେଚ୍ଛା ଦେଇଛନ୍ତି ଗିରିବାଳା ମହାନ୍ତି।

‘‘ମୁଁ ବିଶ୍ୱାସ କରେ, ଯେଉଁ ଦିନ ଆମେ ମହିଳା ଦିବସ ପାଳନ ହେବା ବନ୍ଦ ହେବ, ସେହିଦିନ ଆମେ ଅନୁଭବ କରିବା ଯେ ମହିଳାମାନେ ସଶକ୍ତ। ଅଧିକାଂଶ ଲୋକ ଆମ ସମାଜରେ ନିଜକୁ ସୁରକ୍ଷିତ ମନେ କରନ୍ତି ନାହିଁ ଏବଂ ଦୁଃଖର ବିଷୟ ସେମାନଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ଅଧିକ। ଘରେ ହେଉ କିମ୍ବା କର୍ମକ୍ଷେତ୍ର ହେଉ ମହିଳାମାନେ ପ୍ରତି ମୁହୁର୍ତ୍ତରେ ନିର୍ଯାତନାର ଶିକାର ହୁଅନ୍ତି। କିନ୍ତୁ ସେମାନେ ସୁରକ୍ଷିତ ବୋଲି ଅନ୍ୟକୁ ଦେଖାନ୍ତି। କାରଣ ସେମାନେ ଭାବନ୍ତି ଘରେ ଏ ସବୁ କହିବା ପରେ ତାଙ୍କୁ ଆଉ ପଢ଼ିବାକୁ ବା ଚାକିରି କରିବାକୁ କିମ୍ବା ଘରୁ ବାହାରକୁ ଯିବାକୁ ମିଳିବ ନାହିଁ’’, ମହିଳା ଦିବସ ଅବସରରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଏଭଳି କହିଛନ୍ତି ବିଶିଷ୍ଟ ସମାଜସେବୀ ନମ୍ରତା ଚଢ଼ା।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆମ ସମାଜରେ ଏବେ ବି ଲିଙ୍ଗଗତ ଭେଦଭାବ ଏବଂ ଅସମାନତା ରହିଛି। ତେଣୁ ‘ବେଟି କୋ ବଚାଓ’ରୁ ‘ବେଟିକୋ ଶିଖାଓ’ ଉପରେ ଧ୍ୟାନ ଦେବା ଆବଶ୍ୟକ।

‘‘ମହିଳାଙ୍କ ପ୍ରତି ନିର୍ଯାତନା ବଢିଛି, ବର୍ବରତା ବଢିଛି। ବର୍ତ୍ତମାନ ଆଉ ଚୁପ ନୁହେଁ, ପ୍ରତିବାଦ କରିବାର ସମୟ ଆସିଛି। ଦୁଃଖ, କଷ୍ଟ ଏବଂ ଧର୍ଯ୍ୟକୁ ଶକ୍ତି କରି ଆଗକୁ ବଢନ୍ତୁ। କେବଳ ଗୋଟିଏ ଦିନ ମହିଳା ଦିବସ ନୁହେଁ , ଆମ ପାଇଁ ୩୬୫ ଦିନ ମହିଳା ଦିବସ’’, କହିଛନ୍ତି ଓଲିଉଡ ଜଗତର ଜଣାଶୁଣା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

‘‘ଗୋଟିଏ ଦିନ ନୁହେଁ, ପୂରା ବର୍ଷ ମହିଳା ଦିବସ ଭାବେ ପାଳନ ହେବା ଦରକାର। ମହିଳାଙ୍କୁ ସମ୍ମାନ ଦେବା ଦରକାର। ଫଳରେ ମହିଳମାନେ ଦିନକୁ ଦିନ ଆହୁରି ଆଗକୁ ଯିବେ। ଆମ ସମାଜ ପାଇଁ ଉନ୍ନତି ଆଣିବା ଦରକାର’’, କହିଛନ୍ତି ଭାରତୀୟ ମହିଳା ଫୁଟବଲ୍‌ ଦଳର ପୂର୍ବତନ ଅଧିନାୟକ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ।

‘‘ବିଭିନ୍ନ କ୍ଷେତ୍ରରେ ଝିଅମାନେ ଏବେ ଆଗକୁ ଯାଉଛନ୍ତି। ପ୍ରଶାସନିକ କ୍ଷେତ୍ରରେ ହେଉ ବା ପ୍ରତିରକ୍ଷା କ୍ଷେତ୍ରରେ ହେଉ ସବୁଠି ସେ ଆଗରେ। ଝିଅମାନେ ଚାଲେଞ୍ଜ ନେବାକୁ ପସନ୍ଦ କରୁଛନ୍ତି’’, କହିଛନ୍ତି ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ପିଜି କାଉନସିଲ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ମହାନ୍ତି।

Comment