ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ପୁଣି ଆରମ୍ଭ ହୋଇଛି ଚର୍ଚ୍ଚା। ବିବାହ ବିଚ୍ଛେଦ ପରେ ବନ୍ଧୁ ହୋଇ ରହିବା ପାଇଁ ବର୍ଷାଙ୍କୁ ଅନୁରୋଧ କରିଛନ୍ତି ଅନୁଭବ।

ଅନୁଭବ ମହାନ୍ତି ନିଜ ସୋସିଆଲ ମିଡିଆ ପେଜରେ ବିବାହ ସମୟର ବର୍ଷାଙ୍କର ଏକ ଫଟୋ ପୋଷ୍ଟ କରି ତାଙ୍କୁ ସେ ହୃଦୟରୁ ଭଲ ପାଉଥିବା ଲେଖିଛନ୍ତି। ସେ ଆହୁରି ଲେଖିଛନ୍ତି, “ମୁଁ ତୁମକୁ ହୃଦୟର ସହ ଭଲ ପାଇଥିଲି। କୌଣସି କାରଣରୁ ହୁଏତ ଆମ ବିବାହ ସଫଳ ହୋଇପାରି ନାହିଁ। ଅଲଗା ହେବା ପରେ ମଧ୍ୟ ଆମେ ଭଲ ବନ୍ଧୁ ହୋଇ ରହିପାରିବା କି? ଉତ୍ତର ଦେବ।”

ସୋସିଆଲ ମିଡିଆରେ ଅନୁଭବଙ୍କର ଏହି ପୋଷ୍ଟ ନୂଆ ନୁହେଁ। ଏହା ପୂର୍ବରୁ ମଧ୍ୟ ସେ ବର୍ଷାଙ୍କ ଉଦ୍ଦେଶ୍ୟରେ ଅନେକ ପୋଷ୍ଟ କରି ବିବାଦକୁ ଆସିଛନ୍ତି। ଖାଲି ଅନୁଭବ କାହିଁକି, ବର୍ଷା ମଧ୍ୟ ଅନୁଭବଙ୍କ ଉଦ୍ଦେଶ୍ୟରେ ଦୁଇ ଚାରି ଧାଡ଼ି ଲେଖି ଚର୍ଚ୍ଚାକୁ ଆସିଛନ୍ତି।

ବିଭିନ୍ନ ସମୟରେ ନିଜ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପୋଷ୍ଟ କରି ବିବାଦରେ ରହିଆସୁଥିବା ଅନୁଭବ ଏବେ ନୂଆ ପୋଷ୍ଟଟି ପାଇଁ ଚର୍ଚ୍ଚାକୁ ଆସିଛନ୍ତି। କିନ୍ତୁ ଏଥର ରହିଛି ସମ୍ପୂର୍ଣ୍ଣ ଭିନ୍ନ କଥା। ସବୁବେଳେ ସେ ବର୍ଷାଙ୍କ ପାଇଁ ସମାଲୋଚନା ଯୁକ୍ତ ଶବ୍ଦ ବ୍ୟବହାର କରିଥିବାବେଳେ ଏଥର କିନ୍ତୁ ବନ୍ଧତା ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି।

ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟକୁ ଆସିବା ପରଠାରୁ ଉଭୟଙ୍କ ମଧ୍ୟରେ ସୋସିଆଲ ମିଡିଆରେ ବିଭିନ୍ନ ସମୟରେ ଆରୋପ ପ୍ରତ୍ୟାରୋପ ମିଶା ପୋଷ୍ଟ ଦେଖିବାକୁ ମିଳିଥିଲା।

ନିକଟରେ ଅନୁଭବ ଏବଂ ବର୍ଷାଙ୍କ ବିବାହ ବିଚ୍ଛେଦ ଆବେଦନକୁ ଖାରଜ କରିଦେଇଛନ୍ତି କଟକ ଫ୍ୟାମିଲି କୋର୍ଟ। ତଳ କୋର୍ଟରେ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି ଅନୁଭବ କହିଛନ୍ତି।

ଏବେ ଦେଖିବାକୁ ବାକି ରହିଲା ଅନୁଭବଙ୍କ ପ୍ରଶ୍ନ ପରେ କି ଉତ୍ତର ଦେଉଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ।

Tags: #BarshaPriyadarshini #AnubhavMohanty #CelebrityCouple #DivorceCase #FamilyCourt

LEAVE A REPLY

Please enter your comment!
Please enter your name here