ଓଡ଼ିଶାଲାଇଭ୍ ବ୍ୟୁରୋ

ଓଲିଉଡ ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ଆବେଦନ କଟକ ଫ୍ୟାମିଲି କୋର୍ଟରେ ଖାରଜ ହୋଇଯାଇଛି।

ଅନୁଭବଙ୍କ ବିବାହ ବିଚ୍ଛେଦ ଆବେଦନକୁ କୋର୍ଟ ଖାରଜ କରିଥିବାବେଳେ ବର୍ଷାଙ୍କ ଆବେଦନ ମଧ୍ୟ ଖାରଜ ହୋଇଛି। ତଳ କୋର୍ଟରେ ଆବେଦନ ଖାରଜ ହେବା ପରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେବେ ବୋଲି ଅନୁଭବ କହିଛନ୍ତି।

ଏ ପଟେ ଫ୍ୟାମିଲି କୋର୍ଟଙ୍କ ରାୟକୁ ନେଇ ଖୁସି ଜାହିର କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶୁକ୍ରବାର ଦିନ ବର୍ଷା ନିଜ ସୋସିଆଲ ମିଡିଆ ପେଜରେ ବିବାହ ବେଳର ଏକ ଫଟୋ ପୋଷ୍ଟ କରି ସେଥିରେ ଜୟ ଜଗନ୍ନାଥ ବୋଲି ଲେଖିଛନ୍ତି। ଅନ୍ୟ ଏକ ଫଟୋ ପୋଷ୍ଟ କରି ସେଥିରେ ଲେଖିଛନ୍ତି ‘ସତ୍ୟର ସବୁବେଳେ ଜୟ ହୁଏ। ଜୟ ଜଗନ୍ନାଥ’।

ଶନିବାର ଦିନ ବର୍ଷା ନିଜ ସୋସିଆଲ ମିଡିଆ ପେଜରେ ଏକ ଲେଖା ପୋଷ୍ଟ କରିଛନ୍ତି। ସେ କହିଛନ୍ତି, “ବିଶ୍ଵାସ, ଧୈର୍ଯ୍ୟ, ସାହସ ଓ ଆତ୍ମବଳ ହିଁ ବ୍ୟକ୍ତିର ଶ୍ରେଷ୍ଠ ସମ୍ପତ୍ତି। ଦୀର୍ଘ ତିନି ବର୍ଷର ଲଢ଼େଇ। ତିନି ବର୍ଷର ମାନସିକ ଯନ୍ତ୍ରଣା। ମୋର ବ୍ୟକ୍ତିଗତ ଜୀବନ ବିଷୟରେ କିଛି ବି ନଜାଣି ଅନ୍ୟମାନଙ୍କର ନକାରାତ୍ମକ ମତ ଓ ମନ୍ତବ୍ୟ ଦେବା, ସାମାଜିକ ଗଣମାଧ୍ୟମରେ କୁତ୍ସାରଟନା, ପରିବାର ଲୋକଙ୍କ ନାଁରେ ମିଛ ଅଭିଯୋଗ, ଅସହାୟ ଲୋକଙ୍କୁ ନେଇ ଭିତ୍ତିହୀନ ଅଭିଯୋଗ, ଅପପ୍ରଚାର, ନିନ୍ଦା, ଅପମାନ, ଧମକ ଏସବୁରେ ଭାଙ୍ଗି ନପଡ଼ି ମୁଁ ଲଢ଼ିଲି ଏବଂ ଶେଷରେ ସତ୍ୟର ଜୟ ହେଲା।”

ସେ ଆହୁରି ମଧ୍ୟ ଲେଖିଛନ୍ତି, “ଏହି ଆଇନଗତ ଲଢ଼େଇରେ ମୋ ପରିବାର ସବୁବେଳେ ମୋ ସହ ଠିଆ ହୋଇଛି। ମୋ ପରିବାର ତଥା ମୋ ମା’ଙ୍କ ଆଶୀର୍ବାଦ ବିନା ଏହା କେବେବି ସମ୍ଭବ ହୋଇପାରିନଥାନ୍ତା। ଏହି ଆଇନଗତ ଲଢ଼େଇରେ ତଥ୍ୟ ଓ ପ୍ରମାଣ ସହ ମୋ ପାଇଁ ଲଢ଼ିଥିବା ଆଇନଜୀବୀମାନଙ୍କୁ ଏବଂ ସତ୍ୟକୁ ପୁଙ୍ଖାନୁପୁଙ୍ଖ ଭାବରେ ତର୍ଜମା କରି ନ୍ୟାୟ ପ୍ରଦାନ କରିଥିବା ନ୍ୟାୟପାଳିକାଙ୍କୁ ସର୍ବ ପ୍ରଥମେ ଧନ୍ୟବାଦ ଜଣାଉଛି। ଏହା ସହ ମୋ ଜୀବନର ଏହି ଦୁଃସମୟରେ ମତେ ଅକୁଣ୍ଠିତ ଭାବରେ ସହଯୋଗ ଓ ସମର୍ଥନ ଜଣାଇଥିବା ପ୍ରତ୍ୟକ ବ୍ୟକ୍ତିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।”

“ହୀନ ଉଦ୍ଦେଶ୍ୟ ନେଇ ଛାଡ଼ପତ୍ର ପାଇଁ ଆବେଦନ କଲେ ତାହା ଧରାପଡ଼େ ଓ ନ୍ୟାୟପାଳିକା ଦ୍ୱାରା ଖାରଜ ହୋଇ ସଫଳ ହୁଏ ନାହିଁ। ଅଗ୍ନିକୁ ସାକ୍ଷୀ ରଖି ପଡ଼ିଥିବା ହସ୍ତଗଣ୍ଠିର ଶକ୍ତି ବହୁତ ଅଧିକ। ପରିଶେଷରେ ଏତିକି କହିବି ଯେ ମିଛ ଯେତେ ଶକ୍ତିଶାଳୀ ହୋଇଥାଉ ଦିନେ ନା ଦିନେ ତା’ର ଅନ୍ତ ଘଟେ ଓ ସତ୍ୟର ବିଜୟ ହୁଏ। ମହାପ୍ରଭୁ ଶ୍ରୀଜଗନ୍ନାଥ ମତେ ସବୁବେଳେ ସତ୍ୟ, ଧର୍ମ ଓ ନ୍ୟାୟ ପଥରେ ଚାଲିବା ପାଇଁ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରନ୍ତୁ।”

କୋର୍ଟଙ୍କ ରାୟ ଅନୁଭବଙ୍କୁ ଝଟକା ଦେଇଥିବାବେଳେ ସେ କହିଛନ୍ତି ତାଙ୍କର ଆଇନ ଉପରେ ଆସ୍ଥା ରହିଛି। ଦିନେ ନା ଦିନେ ନ୍ୟାୟର ହିଁ ବିଜୟ ହେବ। ବର୍ଷା କିନ୍ତୁ କୋର୍ଟର ଏହି ରାୟକୁ ସ୍ୱାଗତ କରିଛନ୍ତି।

Tags: #BarshaPriyadarshini #AnubhavMohanty #CelebrityCouple #DivorceCase #FamilyCourt

LEAVE A REPLY

Please enter your comment!
Please enter your name here