ଓଡ଼ିଶାଲାଇଭ୍ ବ୍ୟୁରୋ

ପଞ୍ଜାବ ବିଧାନସଭା ନିର୍ବାଚନ ୨୦୨୨ ଫଳାଫଳ ଦେଶବାସୀଙ୍କୁ ଚକିତ କରିଛି। ବର୍ଷ ବର୍ଷ ଧରି ପଞ୍ଜାବରେ ରାଜ କରୁଥିବା କଂଗ୍ରେସକୁ ଜବରଦସ୍ତ ଝଟକା ଦେଇଛି ଆମ ଆଦମୀ ପାର୍ଟି। ଜଣେ ମୋବାଇଲ ଦୋକାନୀ ପଞ୍ଜାବର ମୁଖ୍ୟମନ୍ତ୍ରୀ ଥିବା ଚରଣଜିତ ସିଂ ଚନ୍ନିଙ୍କ ପଗଡ଼ି ତଳକୁ କରି ଚର୍ଚ୍ଚାକୁ ଆସିଛନ୍ତି।

ପଞ୍ଜାବରେ କଂଗ୍ରେସର ଦବଦବା ରହିଥିଲା। ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିଲେ ଚରଣଜିତ୍‌ ସିଂ ଚନ୍ନି। କ୍ୟାପ୍ଟେନ୍‌ ଅମରିନ୍ଦର ସିଂ ଦଳୀୟ ବିବାଦକୁ ନେଇ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେବା ପରେ ଚନ୍ନି ସମ୍ଭାଳି ଥିଲେ ମୁଖ୍ୟମନ୍ତ୍ରୀ ଗାଦି। ଚନ୍ନିଙ୍କର ଲୋକ ପ୍ରିୟତା ମଧ୍ୟ ରହିଥିଲା। କିନ୍ତୁ ୨୦୨୨ ବିଧାନସଭା ନିର୍ବାଚନରେ ଚନ୍ନିଙ୍କୁ ଜୋରଦାର ଝଟ୍‌କା ଲାଗିଛି। ମୁଖ୍ୟମନ୍ତ୍ରୀ ଚନ୍ନି ଦୁଇଟି ଆସନରୁ ଲଢ଼ୁଥିଲେ ମଧ୍ୟ ଗୋଟିଏରେ ବି ଜିତ ହାସଲ ପରିବାରେ ବିଫଳ ହୋଇଛନ୍ତି।  

ଚନ୍ନିଙ୍କ ପରାଜୟକୁ ନେଇ ଜେତିକି ଚର୍ଚ୍ଚା ତାଙ୍କୁ ମାତ୍ ଦେଇଥିବା ପ୍ରାର୍ଥୀଙ୍କୁ ନେଇ ସେତିକି ଆଲୋଚନା। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଚନ୍ନିଙ୍କୁ ହରାଇଲା କିଏ? ସେ କିଏ ଏବଂ କ’ଣ ତାଙ୍କର ପରିଚୟ? ରାଜନୀତିରେ ସେ କେତେ ଦକ୍ଷ ଆଉ କେତେ ଅଭିଜ୍ଞ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ ଚନ୍ନିଙ୍କୁ ପରାଜୟର ବାଟ ଦେଖାଇଥିବା ବିଜୟୀ ହେଉଛନ୍ତି ଆମ ଆଦମୀ ପାର୍ଟି(ଆପ୍‌)ରୁ ପ୍ରାର୍ଥୀ ହୋଇଥିବା ଲଭ୍‌ ସିଂ ଉଗୋକ। ନା ତାଙ୍କର କୌଣସି ବଡ଼ ପରିଚୟ ଅଛି, ନା ସେ ପଇସା ବାଲା। ସେ ଗୋଟିଏ ମୋବାଇଲ ରିପାରିଂ ଦୋକାନୀ

କେତେ ସମ୍ପତ୍ତିର ମାଲିକ ଲଭ ସିଂ ଉଗୋକ ?

ଲଭ୍‌ ସିଂ ଉଗୋକ ସାଧାରଣ ପରିବାରରୁ ଆସିଛନ୍ତି। ସେ ଗୋଟିଏ ମୋବାଇଲ ରିପ୍ୟାରିଂ ଦୋକାନୀ । ତାଙ୍କ ବାପା ଜଣେ ଦିନ ମଜୁରିଆ ଆଉ ମା’ ଏକ ସରକାରୀ ସ୍କୁଲରେ ସ୍ୱିପର ଭାବେ କାମ କରନ୍ତି। ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ପାସ୍ । ସମ୍ପତ୍ତି କହିଲେ ୮/୧୦ ବର୍ଷ ପୁରୁଣା ଗୋଟିଏ ଦୁଇ ଚକିଆ ହିରୋ ହୋଣ୍ଡା ଗାଡ଼ି। ଲଭ୍‌ ସିଂ ୨୦୧୩ ସେ ଆମ ଆଦମୀ ପାର୍ଟିରେ ଭଲ୍ୟୁଣ୍ଟର ଭାବେ ଯୋଗ ଦେଇଥିଲେ।

ନିର୍ବାଚନରୁ ହଟିବାକୁ ଦିଆଯାଇଥିଲା ୫ କୋଟିର ଅଫର

ଲଭ ସିଂ ଅଭିଯୋଗ ଆଣିଛନ୍ତି ତାଙ୍କୁ ନିର୍ବାଚନରୁ ପଛ ଘୁଞ୍ଚା ଦେବା ପାଇଁ ୫ କୋଟି ଟଙ୍କାର ଅଫର ଦିଆଯାଇଥିଲା। ଏହାର ଅଡ଼ିଓ ତାଙ୍କ ପାଖରେ ଥିବା ମଧ୍ୟ ସେ ଦାବି କରିଛନ୍ତି। ଚାଲିଥିବା ସିଷ୍ଟମରେ ପରିବର୍ତ୍ତନ ଆଣିବାକୁ ଚିନ୍ତା କରିଥିବା ଲଭ ସିଂ କୌଣସି ବି ପରିସ୍ଥିତିରେ ପଛଘୁଞ୍ଚା ନଦେବାକୁ ସଂକଳ୍ପ କରିଥିଲେ।

ଚରଣଜିତ ସିଂ ଚନ୍ନିଙ୍କୁ ୩୭, ୫୫୮ ଭୋଟରେ ପରାସ୍ତ କରିଛନ୍ତି ଲଭ ସିଂ। ନିର୍ବାଚନ ପୂର୍ବରୁ ଲଭ୍ ସିଂ କହିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ହରାଇ ଇତିହାସ ସୃଷ୍ଟି କରିବେ। ଯାହା ସେ କରି ଦେଖାଇଛନ୍ତି। ଏଥିପାଇଁ ସେ ଜନତାଙ୍କୁ ଶ୍ରେୟ ଦେଇଛନ୍ତି।

୧୯୫୨ର ଇତିହାସ ଦୋହରାଇଲେ ଲଭ ସିଂ ଉଗୋକ

ଲଭ ସିଂଙ୍କୁ ନିର୍ବାଚନ ଲଢ଼େଇରୁ ପଛଘୁଞ୍ଚା ଦେବାକୁ ବାଧ୍ୟ କରାଯାଇଥିଲ। କିନ୍ତୁ ସେ ନିର୍ବାଚନ ଲଢ଼ି ଜିତିବାକୁ ନିଷ୍ପତ୍ତି ନେଇଥିଲେ। ୧୯୫୨ରେ ଗୋଟିଏ ଗରିବ ଲୋକ ଜଣେ ରାଜାଙ୍କୁ ହରାଇ ଯେପରି ଇତିହାସ ରଚିଥିଲେ ତାହାର ପୁନରାବୃତ୍ତି କରିଛନ୍ତି ଲଭ ସିଂ।

ସେ କହିଛନ୍ତି, “୧୯୫୨ ମସିହାରେ ଗରିବ ଶ୍ରେଣୀର ବ୍ୟକ୍ତି ଅର୍ଜୁନ ସିଂ ଜଣେ ରାଜାଙ୍କ ସହ ନର୍ବାଚନ ମୈଦାନକୁ ଓହ୍ଲାଇ ଥିଲେ। ବଳଦ ଶଗଡ଼ରେ ନିର୍ବାଚନ ପ୍ରଚାର କରୁଥିଲେ ଅର୍ଜୁନ ସିଂ। ରାଜାଙ୍କ ପାଖରେ ଅମାପ ଧନ ଥିବାରୁ ସେ ସେହି ସମୟରେ ଏକ ଲକ୍ଷରୁ ଅଧିକ ଟଙ୍କା ନିର୍ବାଚନରେ ଖର୍ଚ୍ଚ କରିଥିଲେ। କିନ୍ତୁ ଜନତାଙ୍କ ହୃଦୟ ଜିତି ପାରିନଥିଲେ ରାଜା। ଭଦୌଡ ବାସିନ୍ଦା ଅର୍ଜନ ସିଂଙ୍କୁ ବିପୁଳ ସମର୍ଥନ କରି ରାଜାଙ୍କ ଅହଙ୍କାର ମାଟିରେ ମିଶାଇଥିଲେ। ପୁଣି ସେହି ଇତିହାସର ପୁନରାବୃତ୍ତି ହୋଇଛି”।

ଲଭ ସିଂ କହିଛନ୍ତି ଭଦୌର ବିଧାନସଭା ଆସନ ବିଷୟରେ ଚନ୍ନିଙ୍କର ବିଶେଷ ଜ୍ଞାନ ନାହିଁ। ଏଠାରେ ୭୪ଟି ଗାଁ ରହିଛି। ଏହି ଗାଁ ଗୁଡ଼ିକରେ ରହିଥିବା ସମସ୍ୟା ସମ୍ପର୍କରେ ମୁଁ ଜାଣେ। ମୋ ପାଇଁ ଭଦୌର ଏକ ନିର୍ବାଚନ ମଣ୍ଡଳୀ ନୁହେଁ, ଏହା ମୋର ପରିବାର। ଚନ୍ନି ସାହେବ ଭଦୌରର ୧୦ଟି ଗାଁ ନାଁ ମଧ୍ୟ ଜାଣିନଥିବେ। ଜନତାଙ୍କ ବିଶ୍ଵାସ ଜିତିବାରେ ଆମ ଆଦମୀ ପାର୍ଟି ସଫଳ ହୋଇଛି ବୋଲି କହିଛନ୍ତି ଲଭ ସିଂ।

Tag: #Election #AssemblyElection2022 #PunjabElection #LabhSinghUgok

Comment