ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟର ବିଭିନ୍ନ ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଛି। ଇତି ମଧ୍ୟରେ ଏକ ଅଭାବନୀୟ ଘଟଣା ସମ୍ନାକୁ ଆସିଛି। ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବାବେଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଗାଡ଼ି ଚଢ଼ିଯିବାରୁ ପୋଲିସ୍ କର୍ମୀଙ୍କ ସମେତ ୨୪ ଜଣ ସାଧାରଣ ଲୋକ ଗୁରୁତର ଆହତ ହୋଇଛନ୍ତି। ଏଥିରେ ବାଣପୁର ଆଇଆଇସିଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଘଟଣା ପ୍ରତିବାଦରେ ସେଠାରେ ଉପସ୍ଥିତ ତ୍ତ୍ୟକ୍ତ ଜନତା ବିଧାୟକଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଲହୁଲୁହାଣ ଅବସ୍ଥାରେ ବିଧାୟକଙ୍କୁ ପ୍ରଥମେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କୁ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି। ତାଙ୍କ ମଣ୍ଡରେ ଗଭୀର ଆଘାତ ଲାଗିଥିବା ଡାକ୍ତର କହିଛନ୍ତି।

ଘଟଣାକୁ ନିନ୍ଦା କଲା ବିଜେଡି

ବାଣପୁର ବ୍ଲକରେ ଘଟିଥିବା ଏହି ଅଭାବନୀୟ ଘଟଣାକୁ ବିଭିନ୍ନ ରାଜନୈତିକ ମହଲରେ ଦୃଢ଼ ନିନ୍ଦା କରାଯାଇଛି। ଏନେଇ ଖୋଦ ବଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଘଟଣା ତଦନ୍ତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।

“ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଯେଉଁ ଭଳି ବର୍ବର କାଣ୍ଡ ଘଟାଇଲେ ତାହା ଆଦୌ ଗ୍ରହଣୀୟ ନୁହେଁ। ପୂର୍ବରୁ ତାଙ୍କର ଏହିଭଳି ବ୍ୟବହାର ପାଇଁ ବିଜେଡିରୁ ତାଙ୍କୁ ନିଲମ୍ବିତ କରାଯାଇଛି। ଘଟଣାର ପୁଙ୍ଖାନୁପୁଙ୍ଖ ଦତନ୍ତ କରାଯାଇ ଦୋଷୀ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ”, କହିଛନ୍ତି ସସ୍ମିତ ପାତ୍ର।

କେମିତି ସୃଷ୍ଟି ହେଲା ପରିସ୍ଥିତି?

ଶନିବାର ବାଣପୁର ବ୍ଲକରେ ଅଧ୍ୟକ୍ଷ ନିର୍ବାଚନ ଚାଲିଥିଲା। ଏହି ସମୟରେ ବିଜେପି କର୍ମୀମାନେ ଦଳୀୟ ପତାକା ଧରି ନାରା ବାଜି କରୁଥିଲେ। ଏତିକି ବେଳେ ଚିଲିକା ବିଧାୟକ ନିଜ କାର ଧରି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ। ବିଧାୟକ ପ୍ରଶାନ୍ତ ଜଗଦେବ ହର୍ଣ୍ଣ ମାରିଥିଲେ ମଧ୍ୟ ତାଙ୍କୁ ଯିବାକୁ ଦିଆଯାଇନଥିଲା। ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ପୋଲିସ, ବିଜେପି କର୍ମୀ ଓ ସାଧାରଣ ଲୋକ ଉପସ୍ଥିତ ଥିଲେ।

ଯିବାକୁ ଦିଆନଯିବାରୁ ଏହାକୁ ନେଇ ଚିଲିକା ବିଧାୟକ ଏବଂ ସେଠାରେ ନାରାବାଜି କରୁଥିବା ବିଜେପି କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ସମୟରେ କାର ନେଇ ଆଗକୁ ବଢ଼ିବାକୁ ଚେଷ୍ଟା କରିବା ବେଳେ ସେଠାରେ ଉପସ୍ଥିତ ସାଧାରଣ ଜନତା ଏବଂ କିଛି ପେଲିସ୍ କର୍ମୀଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। ବାଣପୁର ଆଇଆଇସିଙ୍କର ଏହି ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପ୍ରାୟ ୨୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣ ମହିଳା ରହିଛନ୍ତି। ଆହତମାନେ ବାଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଜନତା ଏବଂ ବିଜେପି କର୍ମୀମାନେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଥିଲେ। ମାଡ଼ମାରି ଲହୁ ଲୁହାଣ କରିବା ସହ ବିଧାୟକଙ୍କ ଗାଡ଼ି ଭାଙ୍ଗି ଚୁରମାର କରିଦେଇଛନ୍ତି। ଏହି ଆକ୍ରମଣରେ ପ୍ରଶାନ୍ତ ଜଗଦେବ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି।ଏହି ହିଂସା କାଣ୍ଡକୁ ନେଇ ଉତ୍ତେଜନା ଲାଗି ରହିଥିବାରୁ ବାଣପୁର ଏନଏସି ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରିଛନ୍ତି ଖୋର୍ଦ୍ଧା ଉପଜିଲ୍ଲାପାଳ।

ଦଳରୁ ନିଲମ୍ବିତ ହୋଇଥିଲେ ପ୍ରଶାନ୍ତ ଜଗଦେବ

ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବନ୍ଧୁକ ଧରି ବୁଲିବା ହେଉ ବା ଦଳୀୟ ଟିକେଟ ବଣ୍ଟନବେଳେ ଗୁଣ୍ଡାଗର୍ଦ୍ଧି କରି, ବିଭିନ୍ନ ସମୟରେ ବିବାଦରେ ରହିଆସିଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ। ତାଙ୍କର ଏହିପରି ବ୍ୟବହାର ଯୋଗୁଁ ଦଳ ତାଙ୍କୁ ନିଲମ୍ବିତ କରିଥିଲା। ତାଙ୍କର ଏହି ସ୍ଵଭାବ ଯୋଗୁଁ ସେ ବାହୁବଳୀ ବିଧାୟକ ଭାବେ ମଧ୍ୟ ବେଶ୍ ପରିଚିତ। ଦଳରୁ ନିଲମ୍ବିତ ହୋଇଥିଲେ ମଧ୍ୟ ଗତ ଜାନୁଆରୀରେ ବିଜେଡିର ମିଶ୍ରଣ ପର୍ବ ବେଳେ ତାଙ୍କୁ ଦେଖିବାକୁ ମିଳିଥିଲା। ଚିଲିକା ନର୍ବାଚନୀ ମଣ୍ଡଳୀରେ ବହୁ ବିଜେପି କର୍ମୀ ଏବଂ ନେତା ବିଜେଡିରେ ସାମିଲ ହୋଇଥିଲେ। ଏହି ସମୟରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଶୃଙ୍ଖଳାଗତ ଦୃଷ୍ଟିରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି।

Tag: #Election #ChairmanEletion #ChillikaMLA #PrasantJagdev #Attack

Comment