ଓଡ଼ିଶାଲାଇଭ୍ ବ୍ୟୁରୋ

ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ‘କଳିଙ୍ଗ ବୀରାଙ୍ଗନା’ ସମ୍ମାନରେ ସମ୍ମାନିତ କରାଯାଇଛି। ସ୍ୱାସ୍ଥ୍ୟ, ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସମାଜ ସେବା, ଶିକ୍ଷା ଓ ଅଭିନୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ବର୍ଗର ମହିଳାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରବିବାର ପୁରୀ ୱଣ୍ଡର ୱାର୍ଲ୍ଡ ୱାଟର ପାର୍କଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଉତ୍ସବରେ ମୁଖ୍ୟ ଅତିଥି ଭାବେ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ଓ ସମ୍ମାନିତ ଅତିଥି ଭାବେ ଅଲମ୍ପିଆନ ଅନୁରାଧା ବିଶ୍ୱାଳ, ନୃତ୍ୟ ଶିଳ୍ପୀ ଶାଶ୍ୱତ ଯୋଶୀ ଏବଂ କଳିଙ୍ଗ ବୀରାଙ୍ଗନା ପୁରସ୍କାରର ଉପଦେଷ୍ଟା ପ୍ରିତିଛନ୍ଦା ଧଳ ଯୋଗ ବିଶିଷ୍ଟ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ଏହି ଅବସରରେ ସମାଜ ସେବୀ ସନ୍ଧ୍ୟାରାଣୀ ମଲ୍ଲିକ, ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସମ୍ କୋଭିଡ୍ ହସ୍ପିଟାଲ୍‌ର ନର୍ସିଂ ଇନ୍‌ଚାର୍ଜ ତଥା କୋଭିଡ ଯୋଦ୍ଧା କମଳିନୀ ମଲ୍ଲିକ, ସାମ୍ବାଦିକତା କ୍ଷେତ୍ରରେ ଟାଇମସ୍ ଅଫ୍ ଇଣ୍ଡିଆର ଆସିଷ୍ଟାଣ୍ଡ ଏଡିଟର ମିନତୀ ସିଂ, ସାହିତ୍ୟ କ୍ଷେତ୍ରରେ ସାହିତ୍ୟିକା ହିରଣ୍ମୟୀ ମିଶ୍ର, ରାଜନୀତି କ୍ଷେତ୍ରରେ ସସ୍ମିତା ସାହାଣୀ, ସମାଜ ସେବା କ୍ଷେତ୍ରରେ ରୀନା ସାହୁ, ଶିକ୍ଷା କ୍ଷେତ୍ରରେ ଝିଲମିଲ ସାହୁ ଏବଂ ଅଭିନୟ କ୍ଷେତ୍ରରେ ଜାଗୃତି ରଥଙ୍କୁ ‘କଳିଙ୍ଗ ବୀରାଙ୍ଗନା’ ସମ୍ମାନରେ ସମ୍ମାନିତ କରାଯାଇଥିଲା। କଳିଙ୍ଗ ବୀରାଙ୍ଗନା ପୁରସ୍କାର ଚୟନ କମିଟିର ଉପଦେଷ୍ଟା ପ୍ରିତିଛନ୍ଦା ଧଳ ଓ ଶୁଭଦର୍ଶିନୀ ମିଶ୍ରଙ୍କୁ ଡାକ୍ତର ସଂଘମିତ୍ରା ପତି ସମ୍ବର୍ଦ୍ଧିତ କରିଥିଲେ।

ପରେ ସେବା ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ମହିଳା କାର ରାଲିର ପଞ୍ଚମ ସଂସ୍କରଣ ଆୟୋଜନ ହୋଇଥିଲା। ଭୁବନେଶ୍ୱର ଉପକଣ୍ଠ ଫୁଲନଖରା ଆଦିତ୍ୟ ମହିନ୍ଦ୍ରା ଶୋ ରୁମ ନିକଟରୁ ଆରମ୍ଭ ହୋଇଥିବା ରାଲିରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଖଣ୍ଡପଡ଼ା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଓ ସେବା ପ୍ରୟାସ ଫାଉଣ୍ଡେସନର ପ୍ରତିଷ୍ଠାତା ଲିଙ୍କନ ସୁବୁଦ୍ଧି ଯୋଗ ଦେଇ ପତାକା ଦେଖାଇ ମହିଳା ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ।

କାର ରାଲି ଫୁଲନଖରାଠାରୁ ଆରମ୍ଭ ହୋଇ ପୁରୀ ସାତସଙ୍ଖ ଦେଇ ୱଣ୍ଡର୍ ୱାର୍ଲ୍ଡ ୱାଟର ପାର୍କଠାରେ ପହଞ୍ଚିଥିଲା। ଏଥିରେ ୫୦ ଜଣ ପ୍ରତିଯୋଗୀ ଭାଗ ଦେଇଥିଲେ। ପ୍ରତିଯୋଗୀଙ୍କ ମଧ୍ୟରୁ ବିଜେତା ଚୟନ କରିଥିଲେ ସିଦ୍ଧାର୍ଥ ଶେଖର ସିଂହ, ରୋଟାରିଆନ ଜୟଶ୍ରୀ ମହାନ୍ତି, ସୁଶ୍ରୀ ସିନି ମହାନ୍ତି ଏବଂ ରଞ୍ଜନ ଜୟଶ୍ୱାଳ। କର୍ଣ୍ଣେଲ ସୋନାଲି ରଥ ବିଜୟୀ ହୋଇଥିଲେ। ସନ୍ତୋଷୀ ସାହୁ ପ୍ରଥମ ରନର୍‌ଅପ୍ ଏବଂ ଅର୍ଚ୍ଚନା ପଟ୍ଟନାୟକ ଦ୍ଵିତୀୟ ରନରଅପ ହୋଇଥିଲେ। ଶ୍ରଦ୍ଧା ମହାପାତ୍ର ଓ ମୀତା ମାନାଙ୍କୁ ସାନ୍ତ୍ୱନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା। ଲିଙ୍କନ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Tag: #KalingaBiranganaAward #SebaPrayasFoundation #SandhyaraniMallikGotKalingBiranganaAward

Comment