ଓଡ଼ିଶାଲାଇଭ୍ ବ୍ୟୁରୋ

ଅସୁସ୍ଥ ହୋଇପଡ଼ିଛନ୍ତି ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ମଙ୍ଗଳବାର ଦିନ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ବଡ଼ବିଲ ସ୍ଥିତ ଏକ ବୈଠକରେ ଯୋଗ ଦେଇଥିଲେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା । ସେଠାରେ ସମସ୍ତ କାମ ସାରି ଅପରାହ୍ନ ସମୟରେ ସେରଣ୍ଡାସ୍ଥିତ ଆଶ୍ରମକୁ ଫେରିଥିଲେ । ହଠାତ୍ ୩ଟା ସମୟରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଚିକିତ୍ସା ପାଇଁ ତାଙ୍କୁ ଯୋଡ଼ାର ଟିସ୍କୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି ।

ପଦ୍ମଶ୍ରୀ ତୁଳସୀ ମୁଣ୍ଡା ୨୦୦୧ ମସିହାରେ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପାଇଥିଲେ । ଓଡ଼ିଶାର ଗରିବ ଆଦିବାସୀମାନଙ୍କ ମଧ୍ୟରେ ସାକ୍ଷରତା ବିସ୍ତାର କରିବାରେ ତାଙ୍କର ଅବଦାନ ଅତୁଳନୀୟ । ସେ ୧୯୬୪ ମସିହାରେ ସେରେଣ୍ଡାକୁ ଫେରିଥିଲେ ଏବଂ ବିନା ସରକାରୀ ଓ ବେସରକାରୀ ଅନୁଦାନରେ ନିଜ ଘର ବାରଣ୍ଡାରେ ଆଦିବାସୀ ପିଲାଙ୍କୁ ପାଠ ପଢ଼ାଇଥିଲେ । ପରେ ସେ ଆଦିବାସୀ ପିଲାଙ୍କ ପାଇଁ ‘ଆଦିବାସୀ ବିକାଶ ସମିତି ବିଦ୍ୟାଳୟ’ ଆରମ୍ଭ କରିଥିଲେ । ଏହି ବିଦ୍ୟାଳୟରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦିଆଯାଇଥାଏ । ୧୯୬୪ ମସିହା ପରଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦ହଜାର ଛାତ୍ରଛାତ୍ରୀଙ୍କୁ ସେ ଶିକ୍ଷା ଦେଇସାରିଛନ୍ତି ।

Comment